- କବିସନ୍ଧିରେ ଯୋଗଦେଲେ ଶତ୍ରୁଘ୍ନ ପାଣ୍ଡବ
ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଆୟୋଜିତ ଗୁରୁପ୍ରସାଦ ମହାନ୍ତି ଜନ୍ମ ଶତବାର୍ଷିକୀ ଆଲୋଚନା ଚକ୍ର ଉଦ୍ଯାପିତ ହୋଇଯାଇଛି । ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଆୟୋଜିତ ଏହି ଆଲୋଚନା ଚକ୍ରର ଦ୍ଵିତୀୟ ଦିବସର ପ୍ରଥମ ଅଧିବେଶନରେ ସଭାମୁଖ୍ୟ ଭାବେ ଯୋଗ ଦେଇଥିଲେ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ । ନିଜ ବକ୍ତବ୍ୟରେ ସେ ମେଜର ଗୁରୁପ୍ରସାଦଙ୍କ ଅଧ୍ୟାପନା କାଳର କଥା କହିଥିଲେ । ଗୁରୁପ୍ରସାଦଙ୍କ କବିତାର ବୈଶିଷ୍ଟ୍ୟ ଏବଂ ଆନ୍ତର୍ଜାତିକ କବିତା ସମ୍ପର୍କରେ ସେ ଆଲୋକପାତ କରିଥିଲେ । ଏହି ଅଧିବେଶନରେ ପ୍ରବନ୍ଧ ଉପସ୍ଥାପନ ପୂର୍ବକ ଗୁରୁପ୍ରସାଦଙ୍କ କବିତାର ନୂତନତା ବିଷୟରେ ଅଜୟ ସ୍ୱାଇଁ ବର୍ଣ୍ଣନା କରିଥିଲେ । ଅତିଥିମାନଙ୍କୁ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ପବିତ୍ର ମୋହନ କର ସ୍ୱାଗତ କରିଥିଲେ । ଏହାପରେ ଆୟୋଜିତ ଉଦ୍ଯାପନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ଦେବଦାସ ଛୋଟରାୟ ଯୋଗ ଦେଇଥିଲେ । ଗୁରୁପ୍ରସାଦଙ୍କ ଉପରେ ରହିଥିବା ତାଙ୍କ ପତ୍ନୀ ଆଶାମଞ୍ଜରୀ ଦେବୀଙ୍କ ପ୍ରେରଣା ଏବଂ ଉଭୟଙ୍କ ମଧ୍ୟରେ ଚିଠି ଦିଆନିଆ ସମ୍ପର୍କରେ ସେ କହିଥିଲେ । ଗୁରୁପ୍ରସାଦ ମହାନ୍ତିଙ୍କ କବିତାରେ ନାରୀଚେତନା ଶୀର୍ଷକରେ ପ୍ରବନ୍ଧ ଉପସ୍ଥାପନ କରିଥିଲେ ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତି । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଉଦ୍ଯାପନୀ ଅଧିବେଶନରେ ସଭାପତିତ୍ୱ କରିଥିଲେ । ସାହିତ୍ୟ ଅକାଦେମିର କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପରେ ଅନୁଷ୍ଠିତ କବିସନ୍ଧି କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ସାରସ୍ୱତ ଯାତ୍ରା ସମ୍ପର୍କରେ ଅଭିବ୍ୟକ୍ତି ପ୍ରଦାନ କରିଥିଲେ ବିଶିଷ୍ଟ କବି ଶତ୍ରୁଘ୍ନ ପାଣ୍ଡବ । ସେ କହିଥିଲେ ଯେ ମହାନାୟକ ଶ୍ରୀକୃଷ୍ଣ, ମହାଶ୍ରମଣ ବୁଦ୍ଧ ଏବଂ ଗାନ୍ଧିଜୀ ତାଙ୍କୁ କବିତା ରଚନା ଦିଗରେ ବିଶେଷ ଭାବରେ ପ୍ରଭାବିତ କରିଛନ୍ତି । ଏହା ସହିତ ସେ ସ୍ୱରଚିତ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଗୌରହରି ଦାସ । ସୂଚନାଯୋଗ୍ୟ ଯେ କବି ଶତ୍ରୁଘ୍ନ ପାଣ୍ଡବ ଶାରଳା ପୁରସ୍କାର ସମେତ ଅନେକ ମର୍ଯ୍ୟାଦାଜନକ ପୁରସ୍କାର ଲାଭ କରିଛନ୍ତି । ଉଭୟ କାର୍ଯ୍ୟକ୍ରମରେ ବହୁସଂଖ୍ୟକ କବି, ଲେଖକ, ଗବେଷକ, ସାହିତ୍ୟପ୍ରେମୀ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।