jayashree

‘ଭୀମପାହାଡର ଅତିତ, ବର୍ତ୍ତମାନ ଓ ଭବିଷ୍ୟତ’ ଶୀର୍ଷକ ଆଲୋଚନା ଚକ୍ର

  • ଭୀମଡୁଙ୍ଗୁରୀରେ ସଂସ୍କୃତି ବିଶ୍ୱବିଦ୍ୟାଳୟ ସ୍ଥାପନ ହେଉ

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଐତିହ୍ୟସ୍ଥଳୀ ଭୀମଡୁଙ୍ଗୁରୀଠାରେ ଐତିହ୍ୟ ଓ ସଂସ୍କୃତିର ଗବେଷଣା ପାଇଁ ଏକ ସଂସ୍କୃତି ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯାଉ ବୋଲି ଭୀମଡୁଙ୍ଗୁରୀଠାରେ ଭୀମପାହାଡ ମହୋତ୍ସବ କମିଟି ପକ୍ଷରୁ ‘ଭୀମପାହାଡର ଅତିତ, ବର୍ତ୍ତମାନ ଓ ଭବିଷ୍ୟତ’ ଶୀର୍ଷକ ଆଲୋଚନା ଚକ୍ରରେ ବିଶିଷ୍ଟ ସଂସ୍କୃତି ଗବେଷକମାନେ ମତବ୍ୟକ୍ତ କରିଛନ୍ତି । ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଆଲୋଚକ ଭାବରେ ସଂସ୍କୃତି ଓ ଭାଷା ଗବେଷକ ଗୁରୁଜୀ ଡ. ଦୋଳଗୋବିନ୍ଦ ବିଶି, ଡ. ସଂଜୟ କୁମାର ମିଶ୍ର ଓ ରାଜୀବ ସଗରିଆ ଯୋଗ ଦେଇଥିଲେ । ବିଷୟବସ୍ତୁର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ରାଜୀବ ସଗରିଆ ଆମ ଅଞ୍ଚଳ ପାହାଡ ସଂସ୍କୃତି ଉପରେ କହିଲେ ଯେ, ଆଦିମ ଯୁଗରୁ ମଣିଷ ପାହାଡ ଓ ଜଙ୍ଗଲରେ ବସବାସ କରିଆସିଛି । ଆଦିମଜନଜାତିମାନେ ପାହାଡକୁ ସେଥିପାଇଁ ପୂଜା କରି ପରିବେଶର ସୁରକ୍ଷା କରିଆସିଛନ୍ତି । ଆଦିବାସୀଙ୍କ ମୂଳଦେବତା ଭୀମାବୁଢାର ଅନେକ ଇତିହାସ ରହିଛି । ସେଥି ମଧ୍ୟରୁ ଭୀମପାହାଡ ଅନ୍ୟତମ । ଭୀମାବୁଢାର ଇତିହାସ ସହିତ ଭୀମପାହାଡର ସାମଞ୍ଜସ୍ୟ ରହିଛି । ତେଣୁ ଏହାର ସୁରକ୍ଷା ନିତାନ୍ତ ଆବଶ୍ୟକ । ବଲାଙ୍ଗିର ଜିଲ୍ଲାର ପ୍ରତ୍ୟେକ ପାହାଡର ଏକ ବୀରଗାଥା ରହିଛି । ଭୀମଡୁଙ୍ଗୁରୀରେ ଧରମସିଂ ମାଝୀ ମାନଧାତା, ରେଣ୍ଟୋ ମାଝୀ ଓ ଚକରା ବିଶୋଇଙ୍କ ଇତିହାସ ରହିଛି । ସେହିପରି ମୁଙ୍ଗେ ପାହାଡରେ ସହିଦ ମୋହନ ମାଝୀଙ୍କ ଇତିହାଦ ଯୋଡି ହୋଇରହିଛି । ତେଣୁ ଏହାକୁ ଉଦ୍‌ଜିବିତ କରିବାର ସମୟ ଆସିଛି । ଠିକ୍‌ ସେହିପରି ଡ. ସଂଜୟ କୁମାର ମିଶ୍ର ବଲାଙ୍ଗିର ଜିଲ୍ଲାର ପାହାଡ ସାଂସ୍କୃତିକୁ ନେଇ ଆଲୋଚନ କରିଥିଲେ । ବଲାଙ୍ଗିର ଜିଲ୍ଲାର ଗନ୍ଧମାର୍ଦ୍ଦନଠୁ ନେଇ ଭୀମଡୁଙ୍ଗୁରୀ ପର୍ଯ୍ୟନ୍ତ ସବୁଠି ଏତିହ୍ୟ ଭରିରହିଛି । ଆମେ ତାର କେବଳ ସୁରକ୍ଷା କରିବା ସହ ଏହାର ଇତିହାସକୁ ପୁନଃର୍ଜିବିତ କରିବାର ଆବଶ୍ୟକତା ରହିଛି । ଆଜି ବିକାଶ ନାମରେ ଐତିହ୍ୟ, ସଂସ୍କୃତିକୁ ଖତମ କରିଦେଇ ବିଭିନ୍ନ ପାହାଡ ପର୍ବତରେ ଖଣି ଖନନ କରି ଧ୍ୱଂଶ କରୁଦେଉଥିବା ଘଟଣାକୁ ନେଇ ଶ୍ରୀ ମିଶ୍ର ଉଦ୍‌ବେଗ ପ୍ରକାଶ କରିଥିଲେ ଓ ଏହାର ସୁରକ୍ଷା ଆଗାମୀ ପିଢି ହାତରେ ରହିଛି ବୋଲି କହିଥିଲେ । ଡ. ଦୋଳଗୋବିନ୍ଦ ବିଶି ଆଲୋଚନ କରିବାକୁ ଯାଇ କହିଲେ ଯେ, ତେଳନଦୀ ଅବବାହିକାରେ ଅନେକ ଉନ୍ନତ ସଭ୍ୟତା ଥିବାର ପ୍ରମାଣ ମିଳିଛି । ବଲାଙ୍ଗିର ବିଭିନ୍ନ ପାହାଡ ପର୍ବତରେ ଥିବା ରେଖାଚିତ୍ର, ତନ୍ତ୍ରଚକ୍ର ଓ ଅନ୍ୟାନ୍ୟ ବିଷୟକୁ ଅନୁଧ୍ୟାନ କଲେ ଏଠାରେ ପ୍ରାଗଐତିହାସିକ ଯୁଗର ଇତିହାସ ରହିଆସିଛି । ଆଦିବାସୀଙ୍କ ଭୀମାଦେବତାର ଏକ ବିଶାଳ ଇତିହାସ ରହିଛି ସେହି ଇତିହାସ ଭୀମଡୁଙ୍ଗୁରୀ ସହିତ ଜଡିତ ରହିଛି । ରାଣୀପୁରଝରିଆଳ, କୁମୁଡା ସହ ଭୀମଡୁଙ୍ଗୁରୀର ଐତିହ୍ୟ ଗବେଷଣାର ଆବଶ୍ୟକତା ରହିଛି । ଭୀମଡୁଙ୍ଗୁରୀର ଐତିହ୍ୟ ଓ ସଂସ୍କୃତି ସହିତ ଆମ ଅଞ୍ଚଳର ଅନ୍ୟାନ୍ୟ ଐତିହ୍ୟସ୍ଥଳୀର ଗବେଷଣା ଠିକ୍‌ରେ ହୋଇପାରୁନାହିଁ । ଜାଣିଶୁଣି ଆମ ଅଞ୍ଚଳକୁ ଉପେକ୍ଷା କରାଯାଉଛି ବୋଲି ଡ. ବିଶି କହିଥିଲେ । ତେଣୁ ଭୀମଡୁଙ୍ଗୁରୀରେ ଏକ ସଂସ୍କୃତି ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ଗବେଷକଗଣ ମତ ଦେଇଥିଲେ । ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର ସ୍ୱାଗତ ଭାଷଣ ଦେଇଥିବା ବେଳେ କମିଟିର ସଭାପତି ପ୍ରମୋଦ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ । ସାମ୍ବାଦିକ କିଶୋର କୁମାର ସାହୁ ଓ କମିଟିର ସଂପାଦକ ଗୋବର୍ଦ୍ଧନ ସାହୁ, କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀ ମଞ୍ଚାସୀନ ଥିଲେ । ଏହି ଆଲୋଚନା ଚକ୍ରରେ ଆଞ୍ଚଳିକ ମହାବିଦ୍ୟାଳୟ ଉପରଝର, ଗୌରଗୋଠ ଡିଗ୍ରୀ କଲେଜ, ଜରାସିଂହା କଲେଜ, ମହିମୁଣ୍ଡା କଲେଜ, କଣ୍ଟାବାଞ୍ଜି କେଭି କଲେଜର ଅଧ୍ୟାପକ ଓ ଶତାଧିକ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏହି ଅବସରରେ କଲେଜର ଛାତ୍ରଛାତ୍ରୀଙ୍କୁ ମୋମେଣ୍ଟୋ ଦେଇ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.