om academy

ରାଉରକେଲା ମହାବିଦ୍ୟାଳୟରେ ପଞ୍ଚସୂତ୍ରୀ ସ୍ୱଚ୍ଛତା କାର୍ଯ୍ୟ ଯୋଜନା ସଂପର୍କିତ ଆଲୋଚନାଚକ୍ର

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ‘ରାଉରକେଲା କଲେଜ’ରେ ସ୍ୱାସ୍ଥ୍ୟ ସ୍ୱଚ୍ଛତା ଏବଂ ପାନୀୟ ଜଳ ବିଭାଗ ତରଫରୁ ଅଧ୍ୟାପକ ଅଜିତ ବେକ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହାତ୍ମାଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ଶିକ୍ଷା ପରିଷଦ ସହଯୋଗରେ ‘ପଞ୍ଚସୂତ୍ରୀ ସ୍ୱଚ୍ଛତା କାର୍ଯ୍ୟ ଯୋଜନା’ ସଂପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ରରେ ମହାତ୍ମାଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ଶିକ୍ଷା ପରିଷଦର ପ୍ରତିନିଧି ସାଗର ଟୁଡୁ ଅତିଥି ଭାବେ ଯୋଗ ଦେଇ ଉଚ୍ଚ ଶିକ୍ଷା ସଂସ୍ଥାନର ସ୍ୱଚ୍ଛତା ହେଉଛି ଶିକ୍ଷାନୁଷ୍ଠାନର ଅଭିନ୍ନ ଅଙ୍ଗ ବୋଲି କହିଥିଲେ । ଏଥିପାଇଁ କ୍ୟାମ୍ପସ ସ୍ୱଚ୍ଛତା ଏବଂ ଏଥିରେ ଛାତ୍ରଛାତ୍ରୀଙ୍କ ସହଭାଗିତା ଏକାନ୍ତ ଆବଶ୍ୟକ । ଉତ୍ତମ ସ୍ୱାସ୍ଥ୍ୟ, ବିଶୁଦ୍ଧ ପାନୀୟ ଏବଂ ସ୍ୱଚ୍ଛ ପରିସର, ବର୍ଜ୍ୟବସ୍ତୁ ପରିଚାଳନା, ସ୍ୱଚ୍ଛ ଊର୍ଜ୍ଜାର ବ୍ୟବହାର, ଜଳ ସଂରକ୍ଷଣ ପ୍ରଭୃତି ବିଷୟରେ ସେ ଆଲୋକପାତ କରିଥିଲେ । ଏହାସହ ମହାବିଦ୍ୟାଳୟରେ ଏସବୁର ଯୋଜନାବଦ୍ଧ ପ୍ରୟୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ଆଲୋଚନାଚକ୍ରରେ ପ୍ରାରମ୍ଭିକ ଅଭିଭାଷଣ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ରଖିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପକ ଶ୍ରୀ ବେକ୍ । ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସେବା ଯୋଜନାର ଓ ଯୁବ ରେଡକ୍ରସ୍‌ର ପରାମର୍ଶଦାତା, ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ମହାବିଦ୍ୟାଳୟର ସମସ୍ତ ସ୍ୱେଚ୍ଛାସେବୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମହାବିଦ୍ୟାଳୟ ତରଫରୁ ଶ୍ରୀଯୁକ୍ତ ଟୁଡୁଙ୍କୁ ସେବା, ସ୍ୱଚ୍ଛତା, ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଫଟୋକପି ଓ ପେପର କ୍ଲିପ୍ ଅର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ବୈଜୟନ୍ତୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.