ରାଉରକେଲା ଆଇନ ମହାବିଦ୍ୟାଳୟର ଦ୍ୱିଦିବସୀୟ ଜାତୀୟ ଆଲୋଚନାଚକ୍ର ଆରମ୍ଭ

  • ପରିବେଶ ସୁରକ୍ଷାରେ ବିଚାର ବିଭାଗର ଭୂମିକା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟ ତରଫରୁ ଦ୍ୱିଦିବସୀୟ ଜାତୀୟ ଆଲୋଚନାଚକ୍ର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରଥମ ଦିବସରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଉପକୂଳପତି ପ୍ରଫେସର ଡଃ ସଂଜୀବ ମିତ୍ତଲ ମୁଖ୍ୟଅତିଥି, କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟର ମୁଖ୍ୟ ପ୍ରଫେସର ଡଃ ସୁକାନ୍ତ କୁମାର ନନ୍ଦ, ଛତିଶଗଡ ଗୋବିନ୍ଦ ସରାଙ୍ଗ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ ଦେବଦତ୍ତ ପୃଷ୍ଟି, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ ଶିବପ୍ରସାଦ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ ସୁଧାଂଶୁ ରଂଜନ ମହାପାତ୍ର ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ । ରାଉରକେଲା ଆଇନ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସଭାପତିତ୍ୱ ଅଭିଭାଷଣ ରଖିଥିବା ବେଳେ ଅତିଥିଗଣ ଆଲୋଚ୍ୟ ବିଷୟ ‘ପରିବେଶ ସୁରକ୍ଷାରେ ବିଚାରବିଭାଗର ଭୂମିକା’ ସଂପର୍କରେ ଆଲୋଚନା କରିଥିଲେ । ଅତିଥିଗଣ ଏହି ଅବସରରେ କହିଥିଲେ ଯେ, ସାଂପ୍ରତିକ ପରିସ୍ଥିତିରେ ପ୍ରଦୂଷଣ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଥିବା ବେଳେ, ତାକୁ ପ୍ରତିହତ କରିବା ପ୍ରତ୍ୟେକ ସଚେତନ ନାଗରିକଙ୍କ କର୍ତ୍ତବ୍ୟ । ଏଥିପାଇଁ ଆତ୍ମସଚେତନ ସହ ସମାଜକୁ ମଧ୍ୟ ସଚେତନ ହେବାକୁ ପଡିବ । ଏଥିପାଇଁ ବିଚାରବିଭାଗର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମସ୍ତ ଅତିଥି ପ୍ଲାଷ୍ଟିକ ମୁକ୍ତ, ଶବ୍ଦ ଓ ବାୟୁ ପ୍ରଦୂଷଣ ତଥା ପରିବେଶ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଥିଲେ । ବୃକ୍ଷର ୩ଟି ଗୁଣ ନୀରବତା, ଶାନ୍ତି ଓ ଦାନକୁ ମଣିଷ ବୁଝି ପାରିଲେ ଆମେ ତାର ସୁଫଳ ପାଇପାରିବା । ଆମେ କେବେ ଏମିତି ସମାଜ ଚାହିଁବା ନାହିଁ ଯାହା ପରିବେଶକୁ ନଷ୍ଟ କରିଦେବ । ତେଣୁ ଆମେ ସଚେତନ ନହେଲେ ଏକ ସୁସ୍ଥ ସମାଜ ଗଠନ କରିପାରିବା ନାହିଁ । ପ୍ରଦୂଷଣରୁ ବିଶ୍ୱକୁ ରକ୍ଷା କରିବା ପ୍ରତ୍ୟେକ ନାଗରିକ ସହ ବିଚାର ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ଆଲୋଚନାଚକ୍ରକୁ ମହାବିଦ୍ୟାଳୟର ସହଯୋଗୀ ପ୍ରଫେସର ଡଃ ସମ୍ପାଦିକା ମହାନ୍ତି ଓ ପ୍ରଜ୍ଞା ପରମିତା ପଣ୍ଡା ପରିଚାଳନା କରିଥିବା ବେଳେ ପ୍ରାରମ୍ଭରେ ଅଧ୍ୟକ୍ଷ ଡଃ ବେହେରା ସ୍ୱାଗତ ଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଶେଷରେ ଆଲୁମନି ଆସୋସିଏସନ୍‌ର ସଭାପତି ସୁମନ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥିମାନଙ୍କୁ ଉପଢୌକନ, ମୋମେଣ୍ଟୋ, ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ମୋନାଲିସା ସାହୁଙ୍କ ସଂଯୋଜନାରେ ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର, କିଶୋର ଜେନା, ତାରିଣୀ କିଙ୍କର ଦାସ, ସ୍ୱାଗତିକା ବିଶ୍ୱାଳ, ମୀନାକ୍ଷୀ ପାଣିଗ୍ରାହୀ, ଅନୁସ୍ମିତା ମହନ୍ତ, ନେହା ଶର୍ମା, ନିଲୁ ଶର୍ମା, ମନ୍ଦାକିନୀ ମାଝୀ ପ୍ରମୁଖ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଆଇନ ମହାବିଦ୍ୟାଳୟର ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ସଂଜୀବ ମହାନ୍ତି, ଏନ୍‌ଆଇଟିର ନିର୍ଦ୍ଦେଶକ ପ୍ରଫେସର ଡଃ ସୀମାଞ୍ଚଳ ପାଣିଗ୍ରାହୀ, ପ୍ରଫେସର ପ୍ରମିଳା ପଣ୍ଡା, ଡଃ ସମର ମୁଦାଲି, ଧୀରେନ ସେନାପତି, ସୁରେନ୍ଦ୍ର ଦାଶ, ଡଃ ସରିତା ମଲ୍ଲ, ସବିତା ମହାପାତ୍ର, ଅଭିରାମ ପ୍ରଧାନ, କୈଳାଶ ପ୍ରଧାନ, ରାଜେନ୍ଦ୍ର ପଣ୍ଡା ଓ ବହୁ ଆଲୁମନିଙ୍କ ସହ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.