
ବ୍ରହ୍ମପୁର, (କେପିଏନ୍ଏସ୍) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ଅଧିନସ୍ଥ କ୍ଷେତ୍ର ପ୍ରଚାର କାର୍ଯ୍ୟାଳୟ ବ୍ରହ୍ମପୁର ତରଫରୁ ସ୍ୱାଧୀନତାର ୭୫ତମ ବାର୍ଷିକୀ ଅବସରରେ “ଆଜାଦୀକା ଅମୃତ ମହୋତ୍ସବ’ ପାଳନ ଶୀର୍ଷକ ଏକ ୱେବିନାର ଆଧାରିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଭାରତୀୟ ସୂଚନା ସେବାର ବରିଷ୍ଠ ଅଧିକାରୀ ତଥା ଆଞ୍ଚଳିକ କ୍ଷେତ୍ର ଜନ ସମ୍ପର୍କ କାର୍ଯ୍ୟାଳୟ ଓ ପ୍ରେସ୍ ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କ୍ଷେତ୍ର ପଚାର ଅଧିକାରୀ ମନମୋହନ ପାଢ଼ୀ ସଂଚାଳନ କରି ଆଜାଦୀର ୭୫ ବର୍ଷ ପୂର୍ତ୍ତିରେ ଦେଶର ସାମଗ୍ରୀକ ବିକାଶ ଏବଂ ଆଗାମୀ ଦିନର ଲକ୍ଷ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।
ଉକ୍ତ ୱେବିନାରରେ ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର ଯୋଗଦେଇ ଦେଶରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହିତ ଆର୍ଥିକ ଏବଂ ସାମାଜିକ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଆଣିବା ପାଇଁ ଗୁରୁତ୍ୱାରୋପ କରିଥିବା ବେଳେ ଅନ୍ୟତମ ଆଲୋଚକ ବ୍ରହ୍ମପୁର ଆକାଶବାଣୀର ପୂର୍ବତନ କାର୍ଯ୍ୟାଳୟ ମୁଖ୍ୟ ହୃଷିକେଶ ପାଣିଗ୍ରାହୀ ଭାରତର ସାଂସ୍କୃତିକ ବିପ୍ଲବକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଜୋର ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଅଂଶଗ୍ରହଣ କରି ଦେଶଠୁ ଆମେ କଣ ପାଇଛେ ଓ ଆଗକୁ ଦେଶପ୍ରତି ଆମର କଣ ଅବଦାନ ରହିବ ସେ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ପ୍ରତିଭାଗୀ ହିସାବରେ ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ ଦେଶ ୭୫ ବର୍ଷରେ ଢେ଼ର ଅଗ୍ରଗତି କରିଥିଲେ ମଧ୍ୟ ସାଧାରଣ ଗରିବ ଲୋକଙ୍କ ପାଇଁ ଅନ୍ୟ ଏକ ସ୍ୱାଧୀନତା ସଂଗ୍ରାମର ଆବଶ୍ୟକତା ରହିଛି ବୋଲି କହିଥିଲେ । ମହାତ୍ମାଗାନ୍ଧୀଙ୍କ ବାର୍ତ୍ତା ଅନୁଯାୟୀ ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ନହୋଇ ଆତ୍ମନିର୍ଭରଶୀଳ ହେବାକୁ ଶ୍ରୀ ରଥ ଆହ୍ୱାନ ଦେଇଥିଲେ । କରୋନା ମହାମାରୀକୁ ରୋକିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆହ୍ୱାନ ଦିଆଯାଇଥିବା ଆତ୍ମନିର୍ଭର ଭାରତ ନମୂନା ସ୍ୱରୂପ ଭାରତର ଚିକିତ୍ସା ବିଜ୍ଞାନୀ ଦ୍ୱାରା ଟୀକା ପ୍ରସ୍ତୁତ ହୋଇଥିବା ବେଳେ ସଦ୍ୟ ସମାପ୍ତ ଟୋକିଓ ଅଲମ୍ପିକ୍ସ କ୍ରୀଡ଼ାରେ ଭାରତୀୟ ଖେଳାଳିମାନେ ବିଭିନ୍ନ ବର୍ଗରେ ପୁରସ୍କୃତ ହୋଇ ଆନ୍ତର୍ଜାତିକ କ୍ରୀଡା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଆତ୍ମନିର୍ଭର ଭାରତର ଜ୍ୱଳନ୍ତ ଉଦାହରଣ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ସମସ୍ତ ଜନସାଧାରଣଙ୍କୁ ଆଜାଦି ମହୋତ୍ସବରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଥିଲା ।