
ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାର ତରଫରୁ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟଙ୍କ ଅଧ୍ୟକ୍ଷତା ଓ କାର୍ଯ୍ୟକାରୀ ସଭାପତି ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ଵରେ ଆୟୋଜିତ ଆଲୋଚନାଚକ୍ରର ଆଲୋଚ୍ୟ ବିଷୟ ଆଧୁନିକ ବିଜ୍ଞାନର ଆଧ୍ୟାତ୍ମିକ ବିବର୍ତ୍ତନ ” ବିଜ୍ଞାନ ଓ ଆଧ୍ୟାତ୍ମିକତା” ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ମୁଖ୍ୟ ଆଲୋଚକ ତଥା ଉପସ୍ଥାପକ ଭାବେ ମ୍ୟୁନିସିପାଲ ମହାବିଦ୍ୟାଳୟର ପ୍ରାକ୍ତନ ରସାୟନ ବିଜ୍ଞାନ ପ୍ରାଧ୍ୟାପକ ଡ. ପୁର୍ଣ୍ଣଚନ୍ଦ୍ର ପ୍ରଧାନ ଓ ପ୍ରାକ୍ ଉପସ୍ଥାପକ ଭାବେ ଆରଏସପିର ପ୍ରାକ୍ତନ ସହାୟକ ମହାପ୍ରବନ୍ଧକ ଇଂ ସୁବାସ ମହାପାତ୍ର ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ । ମୁଖ୍ୟ ଆଲୋଚକ ଡ. ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଲେ ଯେ ଭଗବାନଙ୍କୁ ଚାଲେଞ୍ଜ କଲା ଭଳିଆ ଶକ୍ତି ମଣିଷର ନାହିଁ । ଆଜିର ବିଜ୍ଞାନ ମଣିଷ ସମାଜକୁ ଦେଇଥିବା ଅବଦାନ ସମ୍ପର୍କରେ ତଥା ବିଜ୍ଞାନକୁ ଗୋଦର ଗୋଡ଼ ଭଳି ମତ ରଖିଥିଲେ । ଗର୍ବ ଓ ଅଜ୍ଞାନ ବ୍ୟକ୍ତି ମିଶିଲେ ସମାଜର ଅମଙ୍ଗଳ, ବିବର୍ତ୍ତନର ବିବର୍ତ୍ତନ, ବାତାବରଣ କିପରି ଜିନ୍କୁ ପ୍ରଭାବିତ କରେ, ଶରୀର, ମନ, ଔଷଧ ସମ୍ପର୍କରେ ମତ ରଖିବା ସହ ବିଶ୍ୱାସ ଉପରେ ଗୁରୁତ୍ୱାରୋପ କରିଥିଲେ । ଇଂ ମହାପାତ୍ର ପ୍ରାକ୍ ଉପସ୍ଥାପନାରେ ବ୍ରହ୍ମାଣ୍ଡ, ଛାୟାପଥ, ପ୍ଲୋଟୋନିୟମ ତଥା ସମ୍ବେଦନଶୀଳ ଓ ସହାନୁଭୂତି ମଧ୍ୟରେ ଥିବା ପାର୍ଥକ୍ୟ, ଚେତନା ସହ ସମ୍ପର୍କର ସେତୁ, ଆଧ୍ୟାତ୍ମିକର କିପରି ବିଜ୍ଞାନ ଉପରେ ପ୍ରଭାବ, ଭୋଗ-ଯୋଗ = ରୋଗ, ଭୋଗ+ ଯୋଗ = ନିରୋଗ ସମ୍ପର୍କରେ ଆଲୋଚନା ସହ ମତ ରଖିଥିଲେ । ଏହି ଅବସରରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ବିଭିନ୍ନ ପ୍ରଶ୍ନର ଉତ୍ତର ଡ. ପ୍ରଧାନ ଦେଇଥିଲେ । ପ୍ରାରମ୍ଭରେ ସଭାପତି ଡ଼ଃ ସାମନ୍ତରାୟ ସ୍ୱାଗତ ଭାଷଣ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ତଥା ଆବାହକ ଶ୍ରୀ ଆଚାର୍ୟ୍ୟ ଅତିଥି ପରିଚୟ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ସାଂସ୍କୃତିକ ସମ୍ପାଦିକା ସୁଭାଷିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ଅନୁଷ୍ଠାନର ବୁଦ୍ଧିଜୀବୀ, ସାହିତ୍ୟିକ, କବି ଓ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ ।