ଭଞ୍ଜଭବନ ସ୍ଥିତି ନେଇ ଆଲୋଚନା

  • ସାହିତ୍ୟ ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଐକ୍ୟବଦ୍ଧ ପ୍ରଚେଷ୍ଟା ଜରୁରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସାହିତ୍ୟ ଓ ସଂସ୍କୃତି ପ୍ରତି ପ୍ରତିବଦ୍ଧତା ରଖୁଥିବା ଭଞ୍ଜଭବନର ସ୍ଥିତି ସମ୍ପର୍କରେ ଏକ ଆଲୋଚନାଚକ୍ର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ଆଦର୍ଶ ପାଠାଗାର ଓ ଭଞ୍ଜ ସାଂସ୍କୃତିକ ନ୍ୟାସ ଦ୍ୱାରା ପରିଚାଳିତ ଭଞ୍ଜ ଭବନ ପ୍ରେକ୍ଷାଳୟର ସ୍ଥିତି ଓ ସ୍ଥାୟୀତ୍ୱ ସମ୍ପର୍କରେ ଅନେକ କଥା ଶୁଣାଯାଉଥିବା ବେଳେ ଏହି ସମ୍ପର୍କରେ ସହରରେ ଥିବା ବିଭିନ୍ନ ସାହିତ୍ୟାନୁଷ୍ଠାନ, ନାଟ୍ୟାନୁଷ୍ଠାନ, ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆଦର୍ଶ ପାଠାଗାରର ସଭାପତି ଚନ୍ଦ୍ର ଶେଖର ଶତପଥୀ, ଭଞ୍ଜ ସାଂସ୍କୃତିକ ନ୍ୟାସର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଭୟ କୁମାର ଦାସ, ଗୋପିନାଥ ପଟ୍ଟନାୟକ, ରାଧାକାନ୍ତ ମିଶ୍ର ଓ ସହରର ବିଭିନ୍ନ ଅନୁଷ୍ଠାନ ଯଥା ଓକିଲ ସଂଘ, ମଞ୍ଚ ଧାରା, ନବଜ୍ୟୋତି ସାହିତ୍ୟ ସଂସଦ, ଏକତ୍ର, ଗୋପବନ୍ଧୁ ପାଠାଗାର, ସମ୍ପର୍କ, ଉତ୍ତର ଓଡ଼ିଶା ସାଂସ୍କୃତିକ ପରିଷଦ, ଧାମରା ସଂଘ, ଆଦର୍ଶ ପାଠାଗାର, ମଧୁସୂଦନ ପାଠାଗାର, ଥିଙ୍କର୍ସ ଫୋରମ, ସ୍ୱସ୍ତି ଝଙ୍କାର, ସରଳାଦେବୀ ସ୍ମୃତି ସଂସଦ, ଭଜକୃଷ୍ଣ ସାରସ୍ଵତ ସ୍ମୃତି ସଂସଦ, ଆର୍‌ଏସ୍‌ପି ଅବସରପ୍ରାପ୍ତ କର୍ମଚାରୀ ସଂଘର ସୁରେଶ ମାଝୀ, ପ୍ରେମାନନ୍ଦ ସାମଲ, ଅଭିରାମ ପ୍ରଧାନ, ରାଜୀବ ପାଣି, ନଳିନୀକାନ୍ତ ଧର, ଆଲୋକ ବୋଷ, ହରିହର ଶତପଥୀ, ସୁଶାନ୍ତ କୁମାର ନାୟକ, ଅଷ୍ଟମ ରଥ, ପ୍ରଦୀପ କୁମାର ପଟ୍ଟନାୟକ, ପର୍ଶୁରାମ ପଟ୍ଟନାୟକ, ପ୍ରଳୟ କୁମାର ଶତପଥୀ, ଗୌରାଙ୍ଗ ଚରଣ ସେଠୀ, ବିଜୟ କୁମାର ବରାଳ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ବସନ୍ତ କୁମାର ଦାସ, ବିଜୟ କୁମାର ପାତ୍ର, ବିଭୁତି ଭୁଷଣ ବିଶ୍ୱାଳ, ସସ୍ମିତା ପ୍ରଧାନ, କୁଞ୍ଜବିହାରୀ ରାଉତ, ବାଉରୀବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସୂଚନା ଯୋଗ୍ୟ ଯେ ୧୯୫୮ମସିହାରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ପାଇଁ ସୃଷ୍ଟି ହୋଇଥିବା ଆଦର୍ଶ ପାଠାଗାରକୁ ଗତ ୦୭/୦୧/୧୯୭୪ ମସିହାରେ ସେକ୍ଟର ୫ଠାରେ ୩ଏକର ୧୯ ଡିସିମିଲ ଜମି ୩୦ବର୍ଷ ପାଇଁ ଲିଜ ଦିଆଯାଇଥିଲା । ୨୦୦୪ ମସିହାରେ ଆଦର୍ଶ ପାଠାଗାର ଲିଜ ନବୀକରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଜମି ଆବଣ୍ଟନ ସମିତିକୁ ଆବେଦନ କରାଗଲା । ଇସ୍ପାତ କାରଖାନା ପରିଚାଳନା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ଜମି ଆବଣ୍ଟନ ସମିତି ୨୦୧୦ ମସିହାରେ ୧ ଟଙ୍କା ବିନିମୟରେ ଆଗାମୀ ୩୩ବର୍ଷ ପାଇଁ ଲିଜ ନବୀକରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କଲେ । ୨୦୧୧ ମସିହାରେ ଏହି ପ୍ରସ୍ତାବ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇ ସ୍ପଷ୍ଟ ନିର୍ଦ୍ଦେଶ ଥିଲା ଯେ ଏକ ତ୍ରିପାକ୍ଷିକ ରାଜିନାମା ମାଧ୍ୟମରେ ଲିଜ ନବୀକରଣ କରିବା ପାଇଁ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଉକ୍ତ ନିର୍ଦ୍ଦେଶନାମାକୁ ଉପେକ୍ଷା କରି କାରଖାନା କର୍ତ୍ତୃପକ୍ଷ ୬ଲକ୍ଷ ଟଙ୍କା ନବୀକରଣ ଦେୟ ଦାବି କଲେ । ତାହା ପର୍ଯ୍ୟାୟ କ୍ରମେ ବଢି ବଢି ୨୦୨୦ ମସିହାରେ ୭୦ଲକ୍ଷ ଟଙ୍କା ହେଲା । ତେବେ ପାଠାଗାର ତରଫରୁ କାରଖାନା କର୍ତ୍ତୃପକ୍ଷଙ୍କୁ ରାଜ୍ୟ ସରକାରଙ୍କ ଅନୁମୋଦନ ଅନୁଯାୟୀ ୦୭/୦୧/୨୦୦୪ ମସିହାରୁ ୩୩ବର୍ଷ ପାଇଁ ୧ଟଙ୍କା ପ୍ରିମିୟମରେ ଲିଜ ନବୀକରଣ କରିବା ପାଇଁ ବାରମ୍ବାର ଅନୁରୋଧ କରାଗଲା । ପରବର୍ତ୍ତୀ ସମୟରେ ୦୨/୦୭/୨୦୨୦ରେ ପାଠାଗାରର ବିଦ୍ୟୁତ ସଂଯୋଗ କାଟି ଦିଆଗଲା । ବାରମ୍ବାର ଅନୁରୋଧ ସତ୍ତ୍ୱେ ବିଦ୍ୟୁତ ସଂଯୋଗ ନ ହେବାରୁ ରାଜ୍ୟ ଖାଉଟି ଅଦାଲତର ଆଶ୍ରୟ ନିଆଗଲା । ଅଦାଲତଙ୍କ ନିର୍ଦ୍ଦେଶ ବଳରେ ୨୦୨୦ ନଭେମ୍ବର ମାସରେ ପୁନଃ ବିଦ୍ୟୁତ ସଂଯୋଗ କରାଗଲା । ଶେଷରେ ଉକ୍ତ ଜମିରୁ ପାଠାଗାରକୁ ବେଦଖଲ କରିବା ପାଇଁ କାରଖାନା କର୍ତ୍ତୃପକ୍ଷଙ୍କ ଦ୍ଵାରା ସିଦ୍ଧାନ୍ତ ନିଆଗଲା ବୋଲି କୁହାଯାଉଛି । ଏଥିପାଇଁ ପାଠାଗାରକୁ ଏହି ଜମିରୁ ବେଦଖଲ କରିବା ପାଇଁ କାରଖାନା କର୍ତ୍ତୃପକ୍ଷ ଇଷ୍ଟେଟ ଅଫିସର ପାଖରେ କେସ ଦାଖଲ କରିଥିଲେ । ଇଷ୍ଟେଟ ଅଫିସ ଏକତରଫା ଭାବେ ପାଠାଗାରକୁ ନିଜ ପକ୍ଷ ରଖିବାର ସୁଯୋଗ ନଦେଇ ଜାଗା ଖାଲି କରିବାକୁ ଆଦେଶ ଦେଲେ । ଏହି ଅନ୍ୟାୟ ଆଦେଶ ବିରୋଧରେ ପାଠାଗାର ମାନ୍ୟବର ଜିଲ୍ଲା ଜଜଙ୍କ ନିକଟରେ ଅପିଲ ଦାୟର କରିଛି । ମାନ୍ୟବର ଜିଲ୍ଲା ଜଜ ରହିତାଦେଶ ଦେବା ସହିତ ଉଭୟ ପକ୍ଷୀଙ୍କୁ ଆପୋଷ ବୁଝାମଣା ମାଧ୍ୟମରେ ଦେୟ ରାଶି ନିର୍ଦ୍ଧାରଣ କରିବା ଓ ତ୍ରିପାକ୍ଷିକ ଲିଜ ରାଜିନାମା ସ୍ୱାକ୍ଷର ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଆଦେଶ ଦେଇଛନ୍ତି ଯାହା କାରଖାନା କର୍ତ୍ତୃପକ୍ଷ ମାନିବାକୁ ନାରାଜ ବୋଲି କୁହାଯାଉଛି । ତେବେ ଆଜିର ଏହି ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ନିର୍ଯ୍ୟାସ ଅନୁଯାୟୀ ସାହିତ୍ୟ ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ସହରର ସମସ୍ତ ଅନୁଷ୍ଠାନର ସଭାପତି ସମ୍ପାଦକ ଗଣଙ୍କ ଦସ୍ତଖତ ଥାଇ ଐକ୍ୟବଦ୍ଧ ଭାବେ ଏକ ଚିଠି ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାପାଳ, ରାଉରକେଲା ଓ ରଘୁନାଥପାଲି ବିଧାୟକ ଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ, ଆର୍‌ଡିସି, ୫ଟି ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଯାଇ ଏହା ଉପରେ ପଦକ୍ଷେପ ନେବାପାଇଁ ଅନୁରୋଧ କରାଯିବ ବୋଲି ସ୍ଥିର କରାଯାଇଛି । ଏଥିପାଇଁ ସହରର ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି । କାର୍ଯ୍ୟକ୍ରମ ଶେଷରେ ପାଠାଗାରର କାର୍ଯ୍ୟକାରୀ ସଭାପତି ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.