- ‘ସବୁ ପ୍ରକାର ସହାୟତା ପାଇଁ ପ୍ରସ୍ତୁତ’
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ସବୁ ସମୟରେ ସମାଜସେବା କ୍ଷେତ୍ରରେ ଆଗୁଆ । ବଲାଙ୍ଗିରରେ ସାମ୍ବାଦିକ ସଂଘ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଆସିଛି । ସମାଜକୁ ନିଆରା ବାର୍ତ୍ତା ଦେବାରେ ସଂଘ ସବୁବେଳେ ପ୍ରଚେଷ୍ଟା କରୁଛି । ଏଣୁ ଏଭଳି ଏକ ସଂଘ ପାଇଁ ପୌରାଧ୍ୟକ୍ଷା ହିସାବରେ ମୁଁ ସବୁପ୍ରକାର ସହାୟତା କରିବାକୁ ପ୍ରସ୍ତୁତ ବୋଲି ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ କହିଛନ୍ତି । ଗତକାଲି ସଂଘର ସଭାପତି ଶିବପ୍ରସାଦ ପରିଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ସାମ୍ବାଦିକ ସଂଘର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାକୁ ପୌରାଧ୍ୟକ୍ଷାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ସାମ୍ବାଦିକ ସଂଘ ଏକ ନିଆରା ଅନୁଷ୍ଠାନ ବୋଲି କହିବା ସହ ପୌରପାଳିକାର ଯାହା ସହାୟତା ଦରକାର ନିଶ୍ଚିତ କରିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ । ପ୍ରତିନିଧି ମଣ୍ଡଳୀରେ ସାମ୍ବାଦିକ ସଂଘ ପୂର୍ବତନ ସଭାପତି ଦିଲିପ କୁମାର ପୁରୋହିତ ନିଜ ପଟୁ ପ୍ରସ୍ତାବ ରଖି ସାମ୍ବାଦିକ ଭବନର ଉନ୍ନତିକରଣ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ସେହିପରି ସଂଘ ପକ୍ଷରୁ ଶରତ ମହାକୁର, ପ୍ରଦୀପ୍ତ ମିଶ୍ର, ବିଶ୍ୱଜିତ ଦାଶ ପୌରାଧ୍ୟକ୍ଷାଙ୍କୁ ସଂଘର ସମସ୍ୟା ବିଷୟରେ ଅବଗତ କରିବା ସହ ଯଥା ସମ୍ଭବ ପୌରପାଳିକା ଯାହା ସହାୟତା କରିପାରିବ ସେ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ପ୍ରକାଶ ଯେ, ସାମ୍ବାଦିକ ସଂଘର ଉନ୍ନତି ପାଇଁ ବିଗତ ଦିନରେ ସ୍ଥାନୀୟ ବିଧାୟକ, ସାଂସଦ, କେନ୍ଦ୍ରମନ୍ତ୍ରୀ ସାମ୍ବାଦିକ ସଂଘର ଉନ୍ନତି ପାଇଁ ବିଭିନ୍ନ ସମୟରେ ସହାୟତାର ହାତ ବଢାଇଛନ୍ତି । ତେବେ ଗତକାଲି ପୌରାଧ୍ୟକ୍ଷାଙ୍କୁ ସାକ୍ଷାତ ପୂର୍ବରୁ ସଂଘର ସମସ୍ୟା ନେଇ ସଭାପତି ଶ୍ରୀ ପରିଡା ଓ ସଂପାଦକ ଶିଶିରକାନ୍ତ ଶତପଥିଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା । ଏହାସହ ସଂଘର ଆଗାମୀ ବୈଠକ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା ।