
- ଟ୍ରେଡ ଲାଇସେନ୍ସରେ ନୂତନ ବ୍ୟବସାୟୀମାନଙ୍କୁ ସାମିଲ କରିଯିବ : ଏନ୍ଏସି ଅଧ୍ୟକ୍ଷା ମାନସୀ ବିଶ୍ଵାଳ
ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଏନ୍ଏସି କାର୍ଯ୍ୟାଳୟ ସଭାଗୃହଠାରେ ନବ ନିର୍ବାଚିତ କାଉନସିଲରମାନଙ୍କୁ ନେଇ ଏକ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏନ୍ଏସି ଅଧ୍ୟକ୍ଷା ମାନସୀ ବିଶ୍ଵାଳଙ୍କ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ମୁଖ୍ୟଅତିଥି, ସାସଂଦଙ୍କ ପ୍ରତିନିଧି ସନ୍ତୋଷ ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ବୈଠକରେ ପାଟଣାଗଡ଼ ସହରରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ ସହ ତୁରନ୍ତ ଏହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ମୁଖ୍ୟତଃ ପାନୀୟ ଜଳ ସମସ୍ୟା, ଆଲୋକିକରଣ, ଟିକସ ଆଦାୟ ଉପରେ ଗୁରୁତ୍ୱ ଦେଇ ଅଧକ୍ଷା ଶ୍ରୀମତୀ ବିଶ୍ଵାଳ ଦୋକାନ ଗୁଡ଼ିକର ଭଡ଼ା ବୃଦ୍ଧି, ମୃତ ବ୍ୟକ୍ତିଙ୍କ ନାମରେ ଥିବା ଦୋକାନ ଗୃହଗୁଡ଼ିକର ମାଳିକାନା ପରିବର୍ତ୍ତନ, ହୋଡିଂ ଟିକସର ଭେଲୁଏସନ୍ ପାଇଁ ସରକାରଙ୍କୁ ଚିଠି ପ୍ରଦାନ, ଓମ୍ଫେଡ୍ କମ୍ପାନୀକୁ କଲେଜ ଛକଠାରେ ଏକ ଦୋକାନ ଗୃହ ଦେବା ପାଇଁ ଅନୁମତି ପ୍ରଦାନ, ସାପ୍ତାହିକ ପନିପରିବା ବଜାର, ସାଇକେଲ ଷ୍ଟାଣ୍ଡ, ବସଷ୍ଟାଣ୍ଡ ପାର୍କିଂ ଫି ଆଦାୟ ପାଇଁ ନିଲାମ ଡାକିବା, ଟ୍ରେଡ ଲାଇସେନ୍ସରେ ନୂତନ ବ୍ୟବସାୟୀମାନଙ୍କୁ ସାମିଲ କରିବା, ଭଡ଼ା ଘର ହିସାବରେ ଧାର୍ଯ୍ୟ କରିବା ସହ ୨୯୦ ଜଣ ଷ୍ଟ୍ରିପ ଭେଣ୍ଡରଙ୍କୁ ପରିଚୟପତ୍ର ପ୍ରଦାନ ଓ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ୫ ଜଣ କର୍ମଚାରୀଙ୍କ ଦରମା ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏନ୍ଏସି ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମେହେର, ଏନ୍ଏସି କାର୍ଯ୍ୟନିର୍ବାହ ଅଧିକାରୀ ଗୌରହରୀ ମହନ୍ତ, କନିଷ୍ଠ ଯନ୍ତ୍ରୀ ବରୁଣ ସା ଓ ଜଗନ୍ନାଥ ଗଉଡଙ୍କ ସମେତ ସମସ୍ତ କାଉନସିଲର୍ ଉପସ୍ଥିତ ଥିଲେ ।