ରାଉରକେଲା, (ସସ୍ମିତା ପ୍ରଦାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ ଏକାଡେମୀ ସଭାଗୃହରେ କବି ବଳରାମ ରାଉଳଙ୍କ ସଭାପତିତ୍ୱରେ ବସନ୍ତ କବିତା ପାଠୋତ୍ସବ ଓ ସାଂପ୍ରତିକ ଯୁଦ୍ଧ ସମ୍ପର୍କରେ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଓଡ଼ିଆ ଭାଷା ବିକାଶ ମଞ୍ଚର ସମ୍ପାଦକ ଗାଳ୍ପିକ ନାଟ୍ୟକାର କବି ଆର୍ତ୍ତତ୍ରାଣ ମହାପାତ୍ର । ସାଂପ୍ରତିକ ବିଶ୍ୱର ଯୁଦ୍ଧ ବିଭୀଷିକା ଆଲୋଚନା ପରିପ୍ରେକ୍ଷୀରେ ଆମେରିକା ସ୍ୱାଧୀନତା ସଂଗ୍ରାମ, ଫରାସୀ ରାଷ୍ଟ୍ର ବିପ୍ଳବ, ପ୍ରଥମ ବିଶ୍ଵଯୁଦ୍ଧ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତା ଓ ମାନବିକତାର ଅଧୋପତନ କେଉଁ ଭଳି ଭାବରେ ନିମ୍ନମାନ ହୋଇ ଚାଲିଛି ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ଅଭିଭାଷଣ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ରାଉରକେଲାର ବିଶିଷ୍ଟ ସାମାଜିକ କର୍ମୀ ପ୍ରଗତିବାଦୀ ଚିନ୍ତକ ପଶୁପତିନାଥ ଚାଟାର୍ଜୀ ଯୁଦ୍ଧ ଜର୍ଜରିତ ବିଶ୍ୱର ଦୂରାବସ୍ଥା ଏହାର ସାମାଜିକ ମୌଳିକ କାରଣ ଗତି ପ୍ରକୃତି ସମ୍ପର୍କରେ ଗଭୀର ଆଲୋକପାତ କରି କହିଲେ ରୁଷିଆ ଓ ୟୁକ୍ରେନ ଯୁଦ୍ଧର ପଶ୍ଚାତଭାଗରେ ଥିବା ପୁଞ୍ଜିବାଦୀ ସାମ୍ରାଜ୍ୟବାଦୀ ରାଷ୍ଟ୍ରମାନଙ୍କର ସଂଘବଦ୍ଧ କୁତ୍ସିତ ମାନସିକତା ଓ ଚକ୍ରାନ୍ତକୁ ଉନ୍ମୋଚନ କରିବା ସଙ୍ଗେ ପାନାମା, ଜର୍ଜିଆ, ଇରାକ୍ ଓ ଆଫଗାନିସ୍ତାନ, ଲିବ୍ୟା ଆଦିର ମାନବିକ, ଆର୍ଥିକ, ରାଜନୈତିକ, ସାଂସ୍କୃତିକ ସଙ୍କଟ କଥା ଉପସ୍ଥାପନ କରିଥିଲେ । ଯୁଦ୍ଧକୁ ନେଇ ବ୍ୟବସାୟ କରୁଥିବା ରାଷ୍ଟ୍ରମାନେ ମଣିଷ ସମାଜକୁ ଧ୍ୱଂସ ଆଡ଼କୁ ଠେଲି ଦେଉଛନ୍ତି । ଆଜି ଯୁଦ୍ଧ ବିଧ୍ୱସ୍ତ ପୃଥିବୀରେ ଯଦିଓ ବସନ୍ତ ବାରମ୍ବାର ରକ୍ତ ଜର୍ଜରିତ ହୋଇଛି ତଥାପି ପ୍ରକୃତି ମାନବ ଜାତିକୁ ନିରାଶ କରିବ ନାହିଁ । କିନ୍ତୁ ଆଗାମୀ ଶତାବ୍ଦୀ ପାଇଁ କେତେଦୂର ଏହାର କ୍ରମ ଓ ମାଦକତା ମାନବ ସମାଜକୁ ପ୍ରଲୁବ୍ଧ କରିବ ଏହା ଯୁଦ୍ଧର ପୃଥିବୀରେ ଦ୍ୱନ୍ଦର ବିଷୟ ଅଟେ । ପରବର୍ତ୍ତୀ ପର୍ଯ୍ୟାୟରେ ରାଉରକେଲା ବେତାର କେନ୍ଦ୍ରର ଘୋଷକ ଯୁବକବି ଅଶୋକ ରାଉତଙ୍କ ସଂଯୋଜନାରେ ବସନ୍ତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ରାଉରକେଲାର କବିମାନଙ୍କ ମଧ୍ୟରେ ସଂଗୀତକାର ଶରତ ଚନ୍ଦ୍ର ପଣ୍ଡା, ସ୍ମିତା ମିଶ୍ର, ଜଳଧର ପ୍ରଧାନ, କନକଲତା ମିଶ୍ର, ଅଭିରାମ ପ୍ରଧାନ, କାଶୀନାଥ ନନ୍ଦୀ, ସଂଜୀବ କୁମାର ଭୋଇ, ଉପେନ୍ଦ୍ର ବସ୍ତିଆ, ଅର୍ଚ୍ଚନା ପାତ୍ର, ପ୍ରତାପ କୁମାର ପଣ୍ଡା, ନୃସିଂହ ଚରଣ ବିଶ୍ବାଳ, ବସନ୍ତ ବିଶ୍ଵକର୍ମା, ଗୌତମ ଦାସ, ଧୋବେଇ ବେହେରା, ପ୍ରକାଶ ଚନ୍ଦ୍ର ସେଠୀ, ଗୀତାରାଣୀ ବେହେରା, ଶ୍ରୀଧର ସୁନା, ଅଶୋକ ରାଉତ ଓ ବଳରାମ ରାଉଳ ସୁନ୍ଦର ସ୍ବରଚିତ କବିତାମାନ ପାଠ କରିଥିଲେ । ସଭାପତି ଅଭିଭାଷଣରେ ଓଡ଼ିଶାର ବରେଣ୍ୟ କବି ମାନଙ୍କର ବସନ୍ତ ଉପରେ ରଚିତ କବିତା ଗୁଡ଼ିକର କେତେକ ପଂକ୍ତି ଆଲୋଚନା ଛଳରେ ସାଂପ୍ରତିକ ମାନବୀୟ ସଂପ୍ରୀତି ସଂକଟ ଉପରେ ଆଲୋକପାତ କରିଥିଲେ । ଏହି ସଭାରେ ରାଉରକେଲାର ସାହିତ୍ୟ ସଂସ୍କୃତି ଭାଷାପ୍ରେମୀ ଡଃ କୃପାସିନ୍ଧୁ ନାୟକ, ନଳିନୀକାନ୍ତ ଧର, ଅମୂଲ୍ୟ ଚରଣ ବରାଳ, ବସନ୍ତ କୁମାର ଦାସ, ଅକ୍ଷର କୁମାର ଜେନା, ଅନନ୍ତ ପଟ୍ଟନାୟକ, ସୁକାନ୍ତ ମହାପାତ୍ର, ବିଜୟ ରାୟ, ଗଙ୍ଗାଧର ପୁହାଣ, ପଙ୍କଜ କୁମାର ପାତ୍ର, ବିଭୁ ନାୟକ, ସୁମନ ଦତ୍ତ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ କବି ଚନ୍ଦ୍ରଶେଖର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ ।