ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସମାଜଶାସ୍ତ୍ର ବିଭାଗ, ନୃତତ୍ତ୍ୱ ବିଭାଗ ଏବଂ ନାଇସେଟ ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ତା. ୧୧/୦୨/୨୦୨୬ ଏବଂ ତା. ୧୨/୦୨/୨୦୨୬ ରିଖ ‘ପଶ୍ଚିମ ଓଡ଼ିଶାର ଆଦିବାସୀ ଜୈବସଂସ୍କୃତି : ସାମାଜିକ ସଂରଚନା ଓ ଜୈବିକ ନମନିୟତାର ସମନ୍ୱୟ’ ଶୀର୍ଷକରେ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମହା ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର କୌତୁକ ପନ୍ଦରଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ବେହେରା, ମୁଖ୍ୟବକ୍ତା ଭାବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଦୀପକ କୁମାର ବେହେରା, ସମ୍ମାନିତ ଅତିଥି ଭାବରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର କୁଳସଚିବ ହରପ୍ରସାଦ ଭୋଇ, ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବିକ୍ରମଦେବ ବିଶ୍ୱବିଦ୍ୟାଳୟର ପ୍ରଫେସର ସାଗରିକା ମିଶ୍ର ପ୍ରମୁଖ ଯୋଗଦେଇ ଆଲୋଚନା ଚକ୍ରର ବିଷୟ ସଂପର୍କରେ ଅବଗତ କରାଇଥିଲେ । ଏହି ଅଧିବେଶନକୁ ଆବାହକ ଡକ୍ଟର ଶ୍ରୀକାନ୍ତ କୁମାର ବାରିକ ସଂଚାଳନ କରିଥିଲେ । ଅନ୍ୟ ଅଧିବେଶନଗୁଡ଼ିକରେ ପ୍ରଫେସର ଫଣୀନ୍ଦମ ଦେଓ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଦିତ୍ୟ କେଶରୀ ମିଶ୍ର, ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ନୃତତ୍ତ୍ୱ ବିଭାଗର ପ୍ରଫେସର ବିଭୂକଲ୍ୟାଣ ମହାନ୍ତି, ପ୍ରଫେସର ମୀରା ସ୍ୱାଇଁ, ଡକ୍ଟର କଲ୍ୟାଣୀ ରଥ, ଡକ୍ଟର ମୀନକେତନ ବାଗ, ଡକ୍ଟର ଶିବ କୁମାର, ଚନ୍ଦନ ପୁହାଣ, ପୁରୁଷୋତ୍ତମ କିଶାନଙ୍କ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟର ପ୍ରାଧ୍ୟାପକ ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ଅଧ୍ୟାପକ ହୃଷୀକେଶ ଦାସ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।