ଆଇସିଏଡିଏସ୍–୨୦୨୬ର ପ୍ରଥମ ଦିନରେ ବାୟୁ ସୁରକ୍ଷା ଚ୍ୟାଲେଞ୍ଜ ଉପରେ ଆଲୋଚନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆନ୍ତର୍ଜାତୀୟ ବାୟୁ ପ୍ରତିରକ୍ଷା ଓ ସୁରକ୍ଷା ସମ୍ମିଳନୀ (ଆଇସିଏଡିଏସ୍–୨୦୨୬)ର ପ୍ରଥମ ଦିନରେ ଜାତୀୟ ସୁରକ୍ଷା ଓ ପ୍ରତିରକ୍ଷା ପ୍ରସ୍ତୁତିକୁ ସୁଦୃଢ଼ କରିବା ପାଇଁ ନାଗରିକ–ସେନା–ଶିକ୍ଷାଜଗତର ସଠିକ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ସମ୍ମିଳନୀରେ ସେନା ନେତୃତ୍ୱ, ପ୍ରତିରକ୍ଷା ଶିଳ୍ପ, ଗବେଷଣାରତ ସଂସ୍ଥା ଓ ଶିକ୍ଷାନୁଷ୍ଠାନର ପ୍ରତିନିଧିମାନେ ଅଂଶଗ୍ରହଣ କରି ନବୀନତା, ସ୍ୱଦେଶୀ କ୍ଷମତା ବିକାଶ, ଉଦୀୟମାନ ପ୍ରଯୁକ୍ତି ଓ ଭବିଷ୍ୟତ ପ୍ରସ୍ତୁତିକୁ ଶକ୍ତିଶାଳୀ କରିବା ପାଇଁ ସହଯୋଗ ଓ ସମନ୍ୱୟ ଉପରେ ମାନସମନ୍ଥନ କରିଥିଲେ । ସମ୍ମିଳନୀର ଉଦ୍‌ଘାଟନ ନିଷ୍ଟ ବିଶ୍ୱବିଦ୍ୟାଳୟର ସ୍ଟିଫେନ ହକିଙ୍ଗ ଅଡିଟୋରିୟମରେ ହୋଇଥିଲା । ଏହି ଅବସରରେ ଡା. ବିନୟ ଦାସ, ମହାନିର୍ଦ୍ଦେଶକ, ଡିଆର୍‌ଡିଓ, ବେଙ୍ଗାଲୁରୁ; ଡା. ନୀଳାଦ୍ରି ରାୟ, ସାଇଣ୍ଟିଷ୍ଟ ‘ଜି’ ଏବଂ ଅତିରିକ୍ତ ନିର୍ଦ୍ଦେଶକ, ଆଇଟିଆର ଚାନ୍ଦିପୁର; ବ୍ରିଗେଡିଅର ଡା. ଏଲ. ସି. ପଟ୍ଟନାୟକ (ଅବସରପ୍ରାପ୍ତ), ଭାରତୀୟ ସେନା; ଆର୍ମି ଏୟାର ଡିଫେନ୍ସ କଲେଜର ବରିଷ୍ଠ ସେନା ଅଧିକାରୀ; ନିଷ୍ଟ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଓ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭ ନିଷ୍ଟ ବିଶ୍ୱବିଦ୍ୟାଳୟର କୁଳପତି ଓ ଅଧ୍ୟକ୍ଷଙ୍କ ଉଦ୍‌ଘାଟନୀ ଉଦ୍‌ବୋଧନରୁ ହୋଇଥିଲା । ପରେ ଡା. ବିନୟ ଦାସ, ମହାନିର୍ଦ୍ଦେଶକ, ଡିଆରଡିଓ, ବେଙ୍ଗଲୁରୁ ଏବଂ ଗୋକୁଳ ଚନ୍ଦ୍ର ପତି, ପୂର୍ବତନ ମୁଖ୍ୟ ଶାସନ ସଚିବ, ଓଡିଶାଙ୍କ ଦ୍ୱାରା କି ନୋଟ ଉଦ୍‌ବୋଧନ ପ୍ରଦାନ କରାଯାଇଥିଲା । ସେମାନେ ତାଙ୍କ ଉଦ୍‌ବୋଧନରେ ସମକାଳୀନ ବାୟୁ ସୁରକ୍ଷା ଚ୍ୟାଲେଞ୍ଜ, ପରିବର୍ତ୍ତନଶୀଳ ସୁରକ୍ଷା ପରିଦୃଶ୍ୟ ଓ ସ୍ୱଦେଶୀ ଗବେଷଣା ଓ ପ୍ରଯୁକ୍ତିଗତ ଉନ୍ନତିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଉଦ୍‌ଘାଟନ ପରେ ସମାନ୍ତରାଳ ଭାବେ ଟେକ୍ନିକାଲ ସେସନ୍‌ମାନେ ଆୟୋଜିତ ହୋଇଥିଲା, ଯେଉଁଥିରେ ଚୟନିତ ଲେଖକମାନେ ସମ୍ମିଳନୀର ଅନୁମୋଦିତ ଉପ-ବିଷୟମାନଙ୍କ ଉପରେ ତାଙ୍କର ଗବେଷଣା ପତ୍ର ପ୍ରସ୍ତୁତ କରିଥିଲେ । ଏହି ସେସନ୍‌ମାନେ ଅତ୍ୟାଧୁନିକ ପ୍ରଯୁକ୍ତି, କୌଶଳଗତ ପ୍ରସ୍ତୁତି ଓ ଭବିଷ୍ୟତମୁଖୀ ପ୍ରତିରକ୍ଷା ସମାଧାନ ଉପରେ ଆଲୋଚନା କରିଥିଲେ । ସମ୍ମିଳନୀର ଅଂଶ ଭାବେ ଏକ ୱେଣ୍ଡର ଏକ୍ସିବିଶନ୍‌ ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଥିରେ ପ୍ରତିରକ୍ଷା ଉତ୍ପାଦକ, ପ୍ରଯୁକ୍ତି ବିକାଶକାରୀ ଓ ଗବେଷଣା ସଂସ୍ଥାମାନେ ତାଙ୍କର ନବୀନ ପ୍ରତିରକ୍ଷା ସମ୍ବନ୍ଧୀୟ ପଣ୍ୟ, ପ୍ରଣାଳୀ ଓ ଗବେଷଣା ପ୍ରୟାସମାନଙ୍କୁ ପ୍ରଦର୍ଶନ କରିଥିଲେ । ପ୍ରଥମ ଦିନର କାର୍ଯ୍ୟକ୍ରମ ନିଷ୍ଟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଶେଷ ହୋଇଥିଲା, ଯାହା ଶିକ୍ଷାଗତ ଉତ୍କର୍ଷ ଓ ସାଂସ୍କୃତିକ ସମନ୍ୱୟର ଉଦାହରଣ ପ୍ରଦାନ କରିଥିଲା ।

Leave A Reply

Your email address will not be published.