“ଅଞ୍ଚଳର ବିକାଶରେ ପର୍ଯ୍ୟଟନର ଭୂମିକା” ଶୀର୍ଷକ ଆଲୋଚନା ଚକ୍ର

  • ପର୍ଯ୍ୟଟନର ବିକାଶ ହେଲେ ନିଯୁକ୍ତି ସୃଷ୍ଟି ହୋଇ ଅର୍ଥନୈତିକ ବିକାଶ ହୋଇଥାଏ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ମକୁନ୍ଦପୁର ପଞ୍ଚାୟତର ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀଠାରେ ଚାଲିଥିବା ୧୧ତମ ଭୀମପାହାଡ ମହୋତ୍ସବ ଅବସରରେ ଅଞ୍ଚଳର ବିକାଶରେ ପର୍ଯ୍ୟଟନର ଭୂମିକା ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଭୀମଡୁଙ୍ଗୁରୀର କଲ୍ୟାଣ ମଣ୍ଡପ ସଭା କକ୍ଷରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱ ଓ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବରେ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ହରପ୍ରସାଦ ଭୋଇ, ସମ୍ମାନିତ ଅତିଥି ଭାବରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ମୁଖ୍ୟ ଡ. ସଂଗୀତା ରାଣୀ ବେଦବାକ, ଗୁରୁଶ୍ରୀ ଘାସିରାମ ମିଶ୍ର ଓ ଆଲୋଚକ ଭାବରେ ବଲାଙ୍ଗିର ବିଇଡି କଲେଜର ଅଧ୍ୟାପକ ଡ.ଜଗନ୍ନାଥ ସାହୁ, ସଂସ୍କୃତି ଗବେଷକ ରାଜୀବ ସାଗରିଆ, କେଭି କଲେଜ କଣ୍ଟାବାଞ୍ଜିର ଅଧ୍ୟାପକ ଡ.ସଂଜୟ କୁମାର ମିଶ୍ର ଓ ଐତିହାସିକ ସାଲେଗ୍ରାମ ହୋତା ପ୍ରମୁଖ ଯୋଗଦେଇଥିଲେ । ପର୍ଯ୍ୟଟନ ଆଜି ଶିଳ୍ପ ହେବାକୁ ଯାଉଛି ଓ ଏହା ଯୋଗୁଁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ନିଯୁକ୍ତ ସୃଷ୍ଟି ହୋଇ ଅଞ୍ଚଳର ଅର୍ଥନୈତିକ ବିକାଶ ହୋଇଥାଏ ବୋଲି ବକ୍ତାଗଣ ମତବ୍ୟକ୍ତ କରିଥିଲେ । ଆଲୋଚକ ଡ. ଜଗନ୍ନାଥ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଓଡିଶାରେ ପର୍ଯ୍ୟଟନ କ୍ଷେତ୍ରରୁ ଆୟ ବଢୁଛି । ବର୍ଷକୁ ପ୍ରାୟ ୧୦ ହଜାର କୋଟି ଟଙ୍କା କେବଳ ପର୍ଯ୍ୟଟନରୁ ଆୟ ହେଉଛି । ଠିକ ସେହିପରି ଆମେରିକା ପରି ଉନ୍ନତ ଦେଶରେ ପର୍ଯ୍ୟଟନକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଆମେରିକାରେ ବର୍ଷକୁ ପ୍ରାୟ ୨.୫ ଟ୍ରିଲିୟନ ଡଲାର ଆୟ ହେଉଥିବା ସେ ତଥ୍ୟ ରଖିଥିଲେ । ଭାରତ କାଶ୍ମୀର, ରାଜସ୍ଥାନ, ଗୁଜରାଟ, ଉତ୍ତାଖଣ୍ଡରେ ଶିଳ୍ପର ବିକାଶ କରାଯାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଉଛି । ଓଡିଶା ତଥା ବଲାଙ୍ଗିରରେ ମଧ୍ୟ ପର୍ଯ୍ୟଟନର ଯଥେଷ୍ଟ ସମ୍ଭାବନା ରହିଛି ଓ ଏହି କ୍ଷେତ୍ରକୁ ବିକଶିତ କଲେ ନିଯୁକ୍ତି ସୃଷ୍ଟି ହେବ ଓ ଲୋକଙ୍କର ଅର୍ଥନୈତିକ ବିକାଶ ହେବ ବୋଲି ଡ. ସାହୁ ମତବ୍ୟକ୍ତ କରିଥିଲେ । ଠିକ ସେହିପରି ରାଜୀବ ସଗରିଆ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଚାଣକ୍ୟଙ୍କ ଅର୍ଥଶାସ୍ତ୍ର, ଚୀନ ପରିବ୍ରାଜକ ହୁଏନ ସାଂ, ଫାହିୟାନଙ୍କ ବୃତାନ୍ତରେ ଆଜିର ପଶ୍ଚିମ ଓଡିଶାକୁ ଇନ୍ଦ୍ରବନ କୁ୍‌ହାଯାଇଛି । ଅନ୍ୟାନ୍ୟ ଐତିହାସିକ ପୁସ୍ତକରେ ଏକ ସମୃଦ୍ଧ ଅର୍ଥନୀତିକ ଅଞ୍ଚଳ ଭାବରେ ପରିଚିତ ଥିବା ଆମ ଅଞ୍ଚଳ ପରିବର୍ତ୍ତି ସମୟରେ ଭୁକର ଭୂଗୋଳ ପାଲଟିଯାଇଛି । ମାରାଗୁଡା ଭଳି ଉନ୍ନତ ସଭ୍ୟତା ଅଞ୍ଚଳକୁ ପୂର୍ବକାଳରେ ମହେଞ୍ଜୋଦାରୋ ସଭ୍ୟତା ସହିତ ତୁଳନା କରାଯାଏ । ଆମ ଅଞ୍ଚଳରେ ହୀରା, ନୀଳା, ମୋତି ମାଣିକ୍ୟ ଭଳି ଦୁର୍ମୂଲ୍ୟ ଧାତୁ ରହିଆସିଛି । ଆମ ଜିଲ୍ଲାର ରାଣୀପୁର ଝରିଆଲ, ହରିଶଙ୍କର, ନୃସିଂହନାଥ ଇତ୍ୟାଦି ଅଞ୍ଚଳକୁ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀ ସହିତ ଯୋଡିଲେ ଲୋକଙ୍କ ମଧ୍ୟରେ ଭାବଗତ ସମ୍ପର୍କ ବଢିବ ଓ ବ୍ୟବସାୟ ବଢି ଅର୍ଥନୈତିକ ବିକାଶ ହେବ ବୋଲି ଶ୍ରୀ ସଗରିଆ ମତ ଦେଇଥିଲେ । ରାଜେନ୍ଦ୍ରବ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ଡ. ସଂଗୀତାରାଣୀ ବେଦବାକ ତାଙ୍କ ବକ୍ତବ୍ୟରେ ପର୍ଯ୍ୟଟନର ପ୍ରକାରଭେଦ ଉପରେ ଆଲୋଚନା କରିବା ସହିତ ଏହା ଫଳରେ ଅନେକ କ୍ଷେତ୍ର ଯଥା – ଗମନାଗମନ, ସାମାଜିକ ତଥା ଅର୍ଥନୈତିକ ବିକାଶ ହୋଇଥାଏ ବୋଲି କହିଥିଲେ । ରେଜିଷ୍ଟାର ଶ୍ରୀ ଭୋଇ ତାଙ୍କ ବକ୍ତବ୍ୟରେ ଭୀମଡୁଙ୍ଗୁରୀର ଐତିହ୍ୟ ଉପରେ ବିଶ୍ୱବିଦ୍ୟାଳୟ ଗବେଷଣା କରାଇବାକୁ ପଦକ୍ଷେପ ନେବ ବୋଲି କହିଥିଲେ । ଡ. ସଂଜୟ କୁମାର ମିଶ୍ର ତାଙ୍କ ବକ୍ତବ୍ୟରେ ପାହାଡ, ନଦୀ, ଗାଁ ବନ୍ଧ ଇତ୍ୟାଦିକୁ ସ୍ଥାନୀୟ ଅଞ୍ଚଳ ନିଜର ବୋଲି ଭାବିଲେ ତାହାର ଉନ୍ନତି ହେବ ଓ ଏହା ଲୋକଙ୍କର ବିକାଶରେ ସହାୟକ ହେବ ବୋଲି କହିଥିଲେ । ବଲାଙ୍ଗିର ଜିଲ୍ଲାର ପର୍ଯ୍ୟଟନକ୍ଷେତ୍ର ଗୁଡିକର ବିକାଶ ହେଲେ ଜିଲ୍ଲାର ବିକାଶ ନିଶ୍ଚୟ ହେବ ବୋଲି ମତ ପ୍ରକାଶ ପାଇଥିଲା । ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର ଅତିଥିଗଣଙ୍କୁ ସ୍ୱାଗତ କରିଥିବା ବେଳେ କମିଟିର ସଭାପତି ପ୍ରମୋଦ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ଆଲୋଚନା ଚକ୍ରରେ ବଲାଙ୍ଗିର ଜିଲ୍ଲାର ରାଜେନ୍ଦ୍ର କଲେଜ, ବଲାଙ୍ଗିର ସରକାରୀ କଲେଜ, ଉପରଝର ମହିଳା କଲେଜ, ଦେଓଗାଁ, ଜରାସିଂହା, ରୁଷୁଡା, ମହିମୁଣ୍ଡା କଲେଜ, ଗୌରଗୋଠ କଲେଜ ଓ କଣ୍ଟାବାଞ୍ଜି କେଭି କଲେଜର ଦେଢଶହରୁ ଅଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକ/ଅଧ୍ୟାପିକା ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହୋତ୍ସବ କମିଟିର ଗୋବର୍ଦ୍ଧନ ସାହୁ, ଅଭିମନ୍ୟୁ ମାଝୀ, ରୂପାଧର ପୁଟା, ମହମ୍ମଦ ରଣା, ଭୋଜରାଜ ରଣା ପ୍ରମୁଖଙ୍କ ସହିତ ବହୁସଂଖ୍ୟାରେ ଲୋକ ସାମିଲ ହୋଇଥିଲେ ।

Leave A Reply

Your email address will not be published.