- ବହୁ ସଂଖ୍ୟକ କୃଷକ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଏବଂ ପଞ୍ଚାୟତ ପ୍ରତିନିଧିମାନଙ୍କ ଅଂଶଗ୍ରହଣ
- କେନ୍ଦ୍ରମନ୍ତ୍ରୀ କୃଷକମାନଙ୍କୁ କୃଷି ସହିତ ପଶୁପାଳନ, ମତ୍ସ୍ୟଚାଷ ଏବଂ ମହୁମାଛି ପାଳନ କରିବାକୁ ଅନୁରୋଧ କରିଥିଲେ
- “ଲୋକ ଏବଂ ମନ୍ତ୍ରୀମାନେ ଏକାଠି କାମ କଲେ ବ୍ୟାପକ ପରିବର୍ତ୍ତନ ସମ୍ଭବ” : ଶ୍ରୀ ଶିବରାଜ ସିଂହ ଚୌହାନ
- “କୃଷି ଯନ୍ତ୍ରପାତି ଉପରେ ସଂଶୋଧିତ ଜିଏସଟି ହାର ଚାଷୀମାନଙ୍କୁ ସିଧାସଳଖ ଆର୍ଥିକ ଲାଭ ପ୍ରଦାନ କରିଛି”: ଶ୍ରୀ ଚୌହାନ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ, ଶିବରାଜ ସିଂହ ଚୌହାନ ଆଜି ଉତ୍ତର ପ୍ରଦେଶର ଗୋରଖପୁରର ଡୁମରି ଖୁର୍ଦ ଗ୍ରାମରେ ଆୟୋଜିତ ଏକ ‘ଗ୍ରାମ ଚୌପାଲ’ କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳରେ ରହୁଥିବା ଭାଇଭଉଣୀମାନଙ୍କ ସହିତ ଆଲୋଚନା କରିଥିଲେ । ଏଥିରେ ବହୁ ସଂଖ୍ୟକ ସ୍ଥାନୀୟ ଲୋକ, କୃଷକ, ସ୍ୱୟଂ ସହାୟକ ଗୋଷ୍ଠୀର (ଏସଏଚଜି) ସଦସ୍ୟ ଏବଂ ପଞ୍ଚାୟତ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ଶ୍ରୀ ଚୌହାନ କୃଷକମାନଙ୍କ ହିତ ପାଇଁ କେନ୍ଦ୍ର ଏବଂ ଉତ୍ତର ପ୍ରଦେଶ ସରକାରଙ୍କ ମିଳିତ ପ୍ରୟାସ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ, ସରକାର ଉତ୍ପାଦନ ବୃଦ୍ଧି, ଉନ୍ନତ ବିହନ ଯୋଗାଇବା ଏବଂ ଖର୍ଚ୍ଚ ହ୍ରାସ କରିବା ପାଇଁ ନିରନ୍ତର ପଦକ୍ଷେପ ଗ୍ରହଣ କରୁଛନ୍ତି । ଫସଲର କ୍ଷୟକ୍ଷତି ଭରଣା କରିବା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । କୃଷକମାନଙ୍କ ସହ ଆଲୋଚନା ସମୟରେ, ସେ ପ୍ରମୁଖ ଫସଲ, ଉତ୍ପାଦନ ଖର୍ଚ୍ଚ ଏବଂ ସ୍ଥାନୀୟ ଖାଦ୍ୟ ଦୋକାନର ଆବଶ୍ୟକତା ଭଳି ପ୍ରସଙ୍ଗ ଉପରେ ମଧ୍ୟ ମତାମତ ନେଇଥିଲେ । ଶ୍ରୀ ଚୌହାନ କେନ୍ଦ୍ର ସରକାରଙ୍କ ‘ଡାଲି ଆତ୍ମନିର୍ଭରଶୀଳତା ମିଶନ’ ଅଧୀନରେ ମସୁର ଏବଂ ଚଣା ଡାଲି ଉତ୍ପାଦନ ବୃଦ୍ଧି ପାଇଁ ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ ଏବଂ ଚାଷୀଙ୍କ ଠାରୁ ମଧ୍ୟ ଆବଶ୍ୟକୀୟ ପରାମର୍ଶ ମଧ୍ୟ ଲୋଡ଼ିଥିଲେ । ସେ ଉଲ୍ଲେଖ କରିଥିଲେ ଯେ, ଏହି ବର୍ଷ କେନ୍ଦ୍ର ସରକାର ରବି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି, ଯାହା ଚାଷୀମାନଙ୍କୁ ଯଥେଷ୍ଟ ଲାଭ ଦେବ । ସେ ବିଶେଷ ଭାବରେ ଗହମ, ଚଣା, ମସୁର ଏବଂ ସୋରିଷ ପାଇଁ ଏମଏସପି ବୃଦ୍ଧି ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କୃଷି ଯନ୍ତ୍ରପାତି ଉପରେ ଜିଏସଟି ହାର ୧୨ ପ୍ରତିଶତ ଏବଂ ୧୮ ରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି, ଯାହା ଚାଷୀମାନଙ୍କୁ ସିଧାସଳଖ ଆର୍ଥିକ ଲାଭ ପ୍ରଦାନ କରୁଛି ବୋଲି ଶ୍ରୀ ଶିବରାଜ ସିଂହ କହିଥିଲେ । କେନ୍ଦ୍ରମନ୍ତ୍ରୀ କୃଷି ସହିତ ପଶୁପାଳନ, ମତ୍ସ୍ୟଚାଷ, ମହୁମାଛି ପାଳନ ଏବଂ ଉଦ୍ୟାନ କୃଷି ଗ୍ରହଣ କରିବାକୁ ଚାଷୀମାନଙ୍କୁ ମଧ୍ୟ ଆହ୍ୱାନ ଦେଇଥିଲେ । ସେ ପଶୁମାନଙ୍କ ଟୀକାକରଣ ପାଇଁ ରହିଥିବା ସରକାରୀ ଯୋଜନା ବିଷୟରେ ମଧ୍ୟ ସୂଚନା ପ୍ରଦାନ କରିଥିଲେ । ଏହି ‘ଗ୍ରାମ ଚୌପାଲ’ରେ ବହୁ ସଂଖ୍ୟକ କୃଷକ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଏବଂ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ, ଯେଉଁଠାରେ ସେମାନେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚୌହାନଙ୍କ ସହ ସେମାନଙ୍କର ସମସ୍ୟା ଏବଂ ପରାମର୍ଶ ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ଶେଷରେ, ଶ୍ରୀ ଚୌହାନ ଗ୍ରାମୀଣ ବିକାଶ ଏବଂ କୃଷି ସମୃଦ୍ଧି ପାଇଁ ସମସ୍ତଙ୍କୁ ସହଯୋଗ ଏବଂ ଅଂଶଗ୍ରହଣ ପାଇଁ ନିବେଦନ କରିଥିଲେ ।