ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଉପରେ ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ଆକ୍ରମଣ ବିରୋଧରେ ଓଡ଼ିଆ ଅନୁଷ୍ଠାନ ଏକତ୍ରିତ

  • ଆଦର୍ଶ ପାଠାଗାର ପାଇଁ ଏକ ହେଲେ ସାହିତ୍ୟିକ, ସାଂସ୍କୃତିକ, ସାମାଜିକ, ଶ୍ରମିକ ସଂଗଠନ ଓ ରାଜନୈତିକ ଦଳ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ସହରର ସର୍ବପୁରାତନ ସାହିତ୍ୟ ସଂସ୍କୃତିର ବାର୍ତ୍ତାବହ ସାଜିଥିବା ଆଦର୍ଶ ପାଠାଗାର ଓ ଭଞ୍ଜଭବନକୁ ନିଜ ଅକ୍ତିଆରକୁ ନେଇଥିବାରୁ, ଏହା ବିରୋଧରେ ସହରର ବିଭିନ୍ନ ସାହିତ୍ୟିକ, ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ତରଫରୁ ବିରୋଧ କରାଯାଇ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ଏ ସମ୍ପର୍କରେ କୋଏଲ ନଗର ସ୍ଥିତ ଆର୍‌ଏସ୍‌ପି ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କୁହାଯାଇଛି ଯେ, ରାଜ୍ୟ ସରକାର ଓଡ଼ିଆ ଅସ୍ମିତା କଥା କହୁଥିବାବେଳେ, ରାଉରକେଲା ଇସ୍ପାତ କାରଖାନା (ସେଲ) ଓଡ଼ିଆ ଅସ୍ମିତାକୁ ପଦାଘାତ କରି ଦୀର୍ଘ ୬୮ ବର୍ଷର ଅନୁଷ୍ଠାନ ଆଦର୍ଶ ପାଠାଗାର ତଥା ଭଞ୍ଜଭବନକୁ ଜୋର ଜବରଦସ୍ତ ନିଜ ଅକ୍ତିଆରକୁ ନେଇ ତାଲା ପକାଇଦେଇଛି । ୧୯୫୮ ମସିହାରେ ଭାଷା, ସାହିତ୍ୟ, ସଂସ୍କୃତି ପାଇଁ ପ୍ରତିଷ୍ଠିତ ହୋଇଥିବା ଆଦର୍ଶ ପାଠାଗାରର ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ତେବେ ନ୍ୟାୟାଳୟରେ ମାମଲା ବିଚାରଧୀନ ଥିଲା ବେଳେ ଅତ୍ୟନ୍ତ ଅନ୍ୟାୟ ଭାବେ କୋର୍ଟର ରହିତାଦେଶକୁ ଅବଜ୍ଞା କରି ବଳପୂର୍ବକ ଭାବେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଜୋର ଜବରଦସ୍ତ ନିଜ ଅଧୀନକୁ ନେଇ ଭାଷା, ସାହିତ୍ୟ, ସଂସ୍କୃତି ପ୍ରତି କୁଠାରାଘାତ କରିଛନ୍ତି ବୋଲି ଏକ ନିନ୍ଦା ପ୍ରସ୍ତାବ ଗୃହୀତ ହେବା ସହିତ ଘୋର ପ୍ରତିବାଦ କରାଯାଇଛି । ଏନେଇ କୋଏଲ ନଗର ସ୍ଥିତ ଆର୍‌ଏସ୍‌ପି ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ବିଶିଷ୍ଟ ଶ୍ରମିକନେତା ବିଷ୍ଣୁ ମହାନ୍ତି, ଅଭୟ କୁମାର ଦାସ, ରାଧାକାନ୍ତ ମିଶ୍ର, ସଂଜୀବ ମହାନ୍ତି, ବିଚିତ୍ରାନନ୍ଦ ସାହୁ ଓ ଅନ୍ୟମାନେ ବୈଠକରେ ତଥା ସହରର ବିଭିନ୍ନ ଅନୁଷ୍ଠାନରୁ ଶତାଧିକ ଓଡ଼ିଆ ଭାଷା ପ୍ରେମୀ ଆର୍‌ଏସ୍‌ପିର ଏତାଦୃଶ କାର୍ଯ୍ୟକୁ ନିନ୍ଦା କରିବା ସହ ଏହା ବିରୁଦ୍ଧରେ ବ୍ୟାପକ ଜନମତ ସୃଷ୍ଟି ସହ ଆଦର୍ଶ ପାଠାଗାରର ପୂର୍ବାବସ୍ଥା ଫେରାଇବାକୁ ଦାବି କରିଛନ୍ତି । ଏହି ଦ୍ୱିତୀୟ ବୈଠକରେ ନିଷ୍ପତି ଅନୁଯାୟୀ ଆବଶ୍ୟକ ହେଲେ ପଥପ୍ରାନ୍ତ ସଭା କରାଯାଇ, ପ୍ରଚାର ପତ୍ର ବଣ୍ଟନ, ଜିଲ୍ଲାର ସମସ୍ତ ଲୋକ ପ୍ରତିନିଧି, ପ୍ରଶାସନିକ ଅଧିକାରୀଙ୍କୁ ପ୍ରକୃତ ତଥ୍ୟ ଅବଗତ କରାଯାଇ, ଆବଶ୍ୟକ ହେଲେ ରାଉରକେଲା ବନ୍ଦ, ସରକାରଙ୍କ ପକ୍ଷରୁ ଆର୍‌ଏସ୍‌ପି ପାଇଥିବା ୨୦ ହଜାର ଏକର ଅଧିକ ଜମିରୁ ହଜାର ହଜାର ଏକର ଜମିକୁ ଆର୍‌ଏସ୍‌ପିର କିଛି ଅସାଧୁ ଅଧିକାରୀ ଓ ଦଲାଲ ଜବରଦଖଲକାରୀଙ୍କ ହାତକୁ ଟେକିଦେବା ଦ୍ୱାରା ଆର୍‌ଏସ୍‌ପିର ଆଧୁନିକ କରଣ କାର୍ଯ୍ୟ ବାଧାପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ଅପାରଗ ପଣିଆକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏହାକୁ ବିଧିବଦ୍ଧ ତଦନ୍ତ କରି ଦାୟୀ ଆର୍‌ଏସ୍‌ପି ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ମତ ପାଇଛି । ସର୍ବୋପରି ଆର୍‌ଏସ୍‌ପି ଲୋକସମ୍ପର୍କ ଅଧିକାରୀଙ୍କ ଗଣମାଧ୍ୟମରେ ଅଶାଳୀନ ତଥା ବିଭ୍ରାନ୍ତିକର ମନ୍ତବ୍ୟ, ଆର୍‌ଏସ୍‌ପିର ମୁଖ୍ୟ ଓ ଜିଲ୍ଲାପାଳଙ୍କ ନୀରବଦ୍ରଷ୍ଟା ସାଜି କୌଣସି ପଦକ୍ଷେପ ନ ନେବା ବିରୋଧରେ ସେମାନଙ୍କ ବାସଭବନ ତଥା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । ପ୍ରକାଶ ଥାଉକି ରାଉରକେଲା ଇସ୍ପାତ କାରଖାନାକୁ ରାଜ୍ୟ ସରକାର ଦେଇଥିବା ଜମି, ଯେଉଁ ଆଦିବାସୀ ଓ ସ୍ଥାନୀୟ ଅଧିବାସୀଙ୍କୁ ବିସ୍ଥାପିତ କରି ନିଆଯାଇଥିଲା ସେହି ଜମିକୁ ଆଜି ବେଆଇନ ଭାବେ ହଜାର ହଜାର ଏକର ଜବର ଦଖଲ ହୋଇଥିଲେ ସୁଦ୍ଧା ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଯେଉଁ ପିପି କୋର୍ଟ ମାଧ୍ୟମରେ ମୁକ୍ତ କରିବା ପାଇଁ ଅକ୍ଷମ ହୋଇଛନ୍ତି, ସେତେବେଳେ ନ୍ୟାୟ ସଙ୍ଗତ ଭାବେ ଆଦର୍ଶ ପାଠାଗାର ଦଖଲରେ ଥିବା ଜମିକୁ ବଳପୂର୍ବକ ନିଜ ଅକ୍ତିଆରକୁ ନେବା ଓ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ବନ୍ଦ କରିଦେବା କେତେଦୂର ସମୀଚିନ ତଥା ସୀମାନ୍ତ ଅଞ୍ଚଳରେ ବାସ କରୁଥିବା ରାଉରକେଲାବାସୀ ତଥା ଓଡ଼ିଶାର ଜନସାଧାରଣଙ୍କ ଆଗରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଉରକେଲା ଇସ୍ପାତ କାରଖାନା ଓଡ଼ିଶାର ଗୌରବ, ତଥା ଏହାକୁ ୧୦ ମିଲିୟନ ଟନ୍ କରିବା ପାଇଁ ୩୬ହଜାର କୋଟି ଟଙ୍କା ସେଲ କର୍ତ୍ତୃପକ୍ଷ ପ୍ରଦାନ କରିଥିବା ବେଳେ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଅକ୍ଷମ ହୋଇଛନ୍ତି । ଓଡ଼ିଶାର ଜମି, ଜଙ୍ଗଲ, ପାଣି, ଖଣି ପ୍ରମୁଖ ବ୍ୟବହାର କରୁଛି । ରାଉରକେଲା ଇସ୍ପାତ କାରଖାନାର ଅଭିବୃଦ୍ଧି ସମସ୍ତ ଓଡ଼ିଆଙ୍କ କାମ୍ୟ । ତଦାନୁଯାୟୀ ଆର୍‌ଏସ୍‌ପିର କର୍ତ୍ତୃପକ୍ଷଙ୍କ ଓଡ଼ିଆ ଅନୁଷ୍ଠାନ ଗୁଡ଼ିକୁ ପ୍ରୋତ୍ସାହିତ କରିବା ସାମାଜିକ ଦାୟିତ୍ୱ । ଏହି ପରିପ୍ରେକ୍ଷୀରେ କୋଏଲ ନଗର ସ୍ଥିତ ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ସହରର ବିଭିନ୍ନ ସାହିତ୍ୟିକ, ସାଂସ୍କୃତିକ, ସାମାଜିକ, ରାଜନୈତିକ ତଥା ଶ୍ରମିକ ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ବୈଠକ କରାଯାଇ ଆର୍‌ଏସ୍‌ପିର ଏତାଦୃଶ କାର୍ଯ୍ୟକଳାପ ପାଇଁ ଘୋର ନିନ୍ଦା କରାଯାଇ ଏକ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି । ଆର୍‌ଏସ୍‌ପି ନିଜ ଅକ୍ତିଆରରେ ଥିବା ଜମିକୁ ବ୍ୟବହାର କରିପାରୁନଥିବା ବେଳେ ଓଡ଼ିଆ ଅସ୍ମିତାକୁ କୁଠାରାଘାତ କରି ତଥା ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ କୋର୍ଟରେ ମାମଲା ବିଚାରାଧୀନ ସତ୍ୱେ ତତ୍କାଳୀନ ରାଜ୍ୟ ସରକାର ଆଦର୍ଶ ପାଠାଗାରକୁ ପ୍ରଦତ୍ତ ଜମିକୁ ବଳପୂର୍ବକ ନିଜ ଅକ୍ତିଆରକୁ ନେଇ ଆର୍‌ଏସ୍‌ପି ଲକ୍ଷ ଲକ୍ଷ ଓଡ଼ିଆ ପ୍ରେମୀଙ୍କୁ ମନରେ ଆଘାତ ଦେଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ୨୬/୦୨/୨୦୨୬ରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏସମ୍ପର୍କରେ ଶୁଣାଣି କରି ଆର୍‌ଏସ୍‌ପି କର୍ତ୍ତୃପକ୍ଷ ଓ ଇଷ୍ଟେଟ ଅଫିସରଙ୍କୁ ଅଦାଲତ ଅବମାନନା ପାଇଁ ନୋଟିସ କରିଛନ୍ତି । ଏ ସମ୍ପର୍କରେ ବିସ୍ତୃତ ବିବରଣୀ ତଥା ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଆଜିର ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏହି ବୈଠକରେ ସହରର ବିଭିନ୍ନ ସାହିତ୍ୟ, ସାଂସ୍କୃତିକ ଅନୁଷ୍ଠାନ, ରାଜନୈତିକ ଦଳ ପକ୍ଷରୁ ବିଷ୍ଣୁ ମହାନ୍ତି, ସୁଦାମ ଚରଣ ଦାଶ, ସଂଜୀବ ମହାନ୍ତି, ବିଚିତ୍ରାନନ୍ଦ ସାହୁ, ଅକ୍ଷୟ ସାମଲ, ଚନ୍ଦ୍ରଶେଖର ଶତପଥୀ, ଗଙ୍ଗାଧର ଦାଶ, ଦିଲ୍ଲୀପ କୁମାର ପଟ୍ଟନାୟକ, ଶ୍ରୀମନ୍ତ ବେହେରା, ତ୍ରିଲୋଚନ ପରିଡା, ପ୍ରଭାତ କୁମାର ମହାନ୍ତି, ସୁରେନ୍ଦ୍ର ଦାଶ, ରାଜକିଶୋର ପ୍ରଧାନ, ବିମାନ ମାଇତି, ପ୍ରଫୁଲ୍ଲ ସାମଲ, ସୁକାନ୍ତ ମହାପାତ୍ର, ଟୁକୁଲା ପାଢ଼ୀ, ଏଟମ ରଥ, ସୁବାସ ଚନ୍ଦ୍ର ମିଶ୍ର, ଡ. ଜୟନ୍ତୀ ପାଢ଼ୀ, ଜୟଶ୍ରୀ ପାଣିଗ୍ରାହୀ, ବ୍ରଜେନ୍ଦ୍ର ଦାଶ, ଡା. ବସନ୍ତ ଦାସ, ଅମରେନ୍ଦ୍ର ପାଢ଼ୀ, ଆର୍ତ୍ତତ୍ରାଣ ମହାପାତ୍ର, ତ୍ରିଲୋଚନ ପରିଡା, ପର୍ଶୁରାମ ପଟ୍ଟନାୟକ, ପ୍ରଭାକର ମଲ୍ଲିକ, ସଞ୍ଜୀବ ଭୋଇ, ତୁଷାରକାନ୍ତ ବେହେରା, ମଧୁସୂଦନ ମହାପାତ୍ର, ଡ. ସନାତନ ପ୍ରଧାନ, ଅଭୟ କୁମାର ଦାସ, ରାଜୀବ ବସନ୍ତରାୟ, କରୁଣାକର ପାଟ୍ଟଶାଣୀ, ପ୍ରାକ୍ତନ ବିଧାୟକ ପ୍ରଭାତ ମହାପାତ୍ର, ସସ୍ମିତା ପ୍ରଧାନ, ପ୍ରେମାନନ୍ଦ ସାମଲ, ପି ଏନ୍ ବେହେରା, ଡ. ଶକ୍ତିପ୍ରସାଦ ସାମନ୍ତରାୟ, ବସନ୍ତ ନାୟକ ତଥା ଆଦର୍ଶ ପାଠାଗାରର ସଭାପତି ରାଧାକାନ୍ତ ମିଶ୍ର, ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଓ ଲୋକସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ରଖିଥିଲେ ।

Leave A Reply

Your email address will not be published.