- ଚିକିତ୍ସା ପାଇଁ ଦୁଇଲକ୍ଷ ଟଙ୍କା ଦିଆଯିବାକୁ ଦାବି
ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଦିବାସୀ ସେଙ୍ଗେଲ ଆଭିଯାନ ବାରିପଦା ଜୋନାଲ କମିଟିର ସଭାପତି ସହ ଅଲ୍ ଇଣ୍ଡିଆ ମାଝୀ-ପାର୍ଗାନା ମାଡୱା ଓଡ଼ିଶା ପ୍ରଦେଶ କମିଟିର ସେଙ୍ଗେଲ ପାର୍ଗାନା ନାରାନ ମୁର୍ମୁଙ୍କ ନେତୃତ୍ୱରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରସକଣାଙ୍କୁ ଦାବିପତ୍ର ପ୍ରଦାନ କରାଯାଇ କହିଛନ୍ତି ଯେ, ମୋହନ ମାଝୀଙ୍କ ସରକାର ଦ୍ୱାରା ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଜନ୍ମମାଟି ଅଞ୍ଚଳ ରାଇରଙ୍ଗପୁରକୁ ପୁଲିସ ଜିଲ୍ଲା ଭାବରେ ଘୋଷଣାକୁ ସେଙ୍ଗେଲ ପକ୍ଷରୁ ସ୍ୱାଗତ କରାଯାଇଛି । କିନ୍ତୁ ଘୋଷଣା ହେବାର ଦୁଇ ଦିନ ପରେ ୧୯ ତାରିଖରେ ଟ୍ରାଇବ୍ ଟିଭି ଚ୍ୟାନେଲର ଆଦିବାସୀ ସାମ୍ବାଦିକଙ୍କୁ ବାମନଘାଟି ଏସ୍ଡିପିଓଙ୍କ ଆଦେଶରେ ଅଶ୍ଳୀଳ ଭାଷାରେ ଜାତିସୂଚକ ଗାଳିଗୁଲଜ କରାଯାଇ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରାଯାଇଛି ଏବଂ ଇଲେକ୍ଟ୍ରି ବିଜୁଳି ଲିଭାଇ କେତେକ ଆଦିବାସୀ ମହିଳା, ପୁରୁଷଙ୍କୁ ଲାଠିଚାର୍ଜ କରାଯାଇଛି । ତେବେ ଉକ୍ତ ପୁଲିସ ଜିଲ୍ଲା ବ୍ୟବସ୍ଥାଟି, ଆଦିବାସୀ ମାନଙ୍କୁ ଡରାଇ, ଧମକାଇ ତାଙ୍କର ହାସା, ଭାଷା, ସାହିତ୍ୟ, ସଂସ୍କୃତି, ଜାତି, ଧର୍ମ, ଇଜ୍ଜତ, ଆବାଦୀ, ରୋଜଗାର, ଚାଷବାସ ଆଦିକୁ ସୁରକ୍ଷା, ସମୃଦ୍ଧି କରିବା ପାଇଁ କରାଯାଇଛି.. ନା, ଆଦିବାସୀଙ୍କ ଉପରେ ଗୁଣ୍ଡାରାଜ କରିବା ପାଇଁ କରାଯାଇଛି ? ଏଥି ପାଇଁ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ପୁଲିସ ପ୍ରଶାସନ ଦ୍ୱାରା ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣକୁ ତୀବ୍ର ନିନ୍ଦା କରାଯାଇଛି । ତେଣୁ ଅବିଳମ୍ବେ ଉଚ୍ଚସ୍ତରୀୟ ଯାଞ୍ଚ କରାଇ ଦୋଷୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ତତସହିତ ଘାୟଲ ହୋଇଥିବା ସାମ୍ବାଦିକଙ୍କୁ ଟ.୨୦୦୦୦୦/- (ଦୁଇ ଲକ୍ଷ) ଟଙ୍କା ଚିକିତ୍ସା ଖର୍ଚ୍ଚ ସହିତ କ୍ଷତିପୂରଣ ପ୍ରଦାନ କରାଯାଉ ଏବଂ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ରାଜ୍ୟରେ ସ୍ୱତନ୍ତ୍ର ଆଇନ ବ୍ୟବସ୍ଥା ସହିତ ଇନସୁରେନ୍ସ୍ ବ୍ୟବସ୍ଥା ଲାଗୁ କରାଯିବାକୁ ଦାବି କରାଯାଇଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବା ସହିତ ମୟୁରଭଞ୍ଜ ବନ୍ଦ ଡାକରା ଦେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦିଆଯାଇଛି । ଦାବିପତ୍ର ପ୍ରଦାନ ବେଳେ ସେଙ୍ଗେଲ ସଭାପତି ଅନନ୍ତ ଚରଣ ମାର୍ଣ୍ଡିଙ୍କ ସହ ଚାନ୍ଦ୍ରାୟ ହେମ୍ବ୍ରମ, କାଶିରାୟ ଟୁଡୁ, ପ୍ରଶାନ୍ତ ସୋରେନ, ବୁଧୁରାୟ ହେମ୍ବ୍ରମ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ ।