ମାଲପଡା ଛକରେ ଟ୍ରକ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରି ଦେଢ଼ ଲକ୍ଷ ଟଙ୍କା ସହ ଦାମୀ ମୋବାଇଲ ଲୁଟ ଘଟଣା

  • ୩ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ୨ବର୍ଷ ୬ମାସ ସଶ୍ରମ କାରାଦଣ୍ଡ, ୨ଜଣଙ୍କୁ ଜେଲ, ଜଣଙ୍କୁ ଜାମିନ୍

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଚଳିତ ବର୍ଷ ଫେବୃୟାରୀ ମାସରେ ରାୟପୁର- ଗୋପାଳପୁର ୫୯ନମ୍ବର ଜାତୀୟ ରାଜପଥ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଲପଡା ଗ୍ରାମ ଛକ ନିକଟରେ ୪ଜଣ ବାଇକ୍ ଆରୋହୀ ମୁଖାପିନ୍ଧା ଦୃବୃତ୍ତ ଆତଙ୍କରାଜ ଖେଳାଇ ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରି ଦେଢ଼ ଲକ୍ଷ ଟଙ୍କା ସହ ଏକ ଦାମୀ ମୋବାଇଲ ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଅଧିକ ତଦନ୍ତ କରି ପୁଲିସ ବ୍ୟବହୃତ ବାଇକ ସହ ୩ଜଣ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗିରଫ ଡକାୟତମାନେ ଥିଲେ କଣ୍ଟାବାଞ୍ଜି ସହର ନୂଆପଡ଼ାର ରୋହିତ ପାଣ୍ଡେ(୨୧), କଣ୍ଟାବାଞ୍ଜି ଧୋବାପଡ଼ାର ଅର୍ଜୁନ ମଛଖଣ୍ଡ ଓରଫ ଚିନୁ(୨୬) ଓ ବେଲପଡ଼ା ଥାନା ମଧ୍ୟପୁର ଗ୍ରାମର ଶ୍ରୀତମ ପାଢ଼ୀ ଓରଫ ଲାଲା(୨୦) । ଏମାନେ ବ୍ୟବହାର କରିଥିବା ଏକ ଏକ୍ସଟ୍ରିମ ୨୦୦ ବାଇକ ଓଡି ୩୧ଜି ୮୪୫୫, ଏକ ଛୁରୀ ଓ ଲୁଟ ମୋବାଇଲ ସିମ ଜବତ କରାଯାଇଥିଲା । ଗିରଫ ଡକାୟତମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ସଙ୍ଗୀନ ଦଫାରେ ଅଭିଯୋଗମାନ ରହିଥିଲା । ଏହି ମାମଲାର ବିଚାର କରି ଗୁରୁବାର ମୁରିବାହାଲ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସମସ୍ତ ପ୍ରକାରର ସାକ୍ଷୀ ପ୍ରମାଣ ଆଧାରରେ ଏହି ତିନି ଜଣ ଅଭିଯୁକ୍ତଙ୍କୁ ୨ବର୍ଷ ୬ମାସ ଲେଖାଏଁ ସଶ୍ରମ କାରାଦଣ୍ଡଦେଶ ଶୁଣାଇଛନ୍ତି । କୋର୍ଟ ଅନ୍ୟ ଦୁଇଜଣଙ୍କୁ ଜେଲ୍ ପଠାଇଥିବା ବେଳେ କେବଳ ଅଭିଯୁକ୍ତ ଶ୍ରୀତମ ପାଢୀଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି । ପୁଲିସର ସୁଚନାମତେ ଏହି ଜିଲ୍ଲା ଆଗଲପୁର ଥାନା ରାଜଆଗଲପୁର ଗ୍ରାମର ଟ୍ରକ ଡ୍ରାଇଭର ତଥା ମାଲିକ ଭରତ ମେହେର(୩୦) କନ୍ଧମାଳ ଜିଲ୍ଲା ଗଣ୍ଡାପିପିଲିରୁ ନିଜର ଟ୍ରକ୍ ନଂ (ଓଡ଼ି ୧୫ ଡବ୍ଲ୍ୟୁ ୮୮୭୧)ରେ କପା ବୋଝେଇ କରି ଟିଟିଲାଗଡ ରାସ୍ତାରେ ପାଟଣାଗଡ ପର୍ଯ୍ୟନ୍ତ ଆସୁଥିଲେ । ବଡି ଭୋର ସାଢେ ଚାରିଟା ସମୟରେ ସେ ମୁରିବାହାଲ ଥାନା ମାଳପଡା ଗ୍ରାମ ରାସ୍ତା ପାର୍ଶ୍ଵରେ ନିଜ ଟ୍ରକ୍ ଭିତରେ ବିଶ୍ରାମ ନେଇଥିଲେ । ଏହି ସମୟରେ ୪ଜଣ ମୁଖାପିନ୍ଧା ଦୁର୍ବୃତ୍ତ ୨ଟି ବାଇକରେ ଟ୍ରକ୍ ନିକଟକୁ ଆସି ନିଜକୁ ପୁଲିସ ପରିଚୟ ଦେଇ ଭରତଙ୍କୁ ଡାକିଥିଲେ । ଭରତ ଟ୍ରକ୍ ଗେଟ ଖୋଲିବା ସଙ୍ଗେ ସଙ୍ଗେ ଦୁର୍ବୃତ୍ତମାନେ ତାଙ୍କ ମୁହଁରେ ଲଙ୍କା ଗୁଣ୍ଡ ପକାଇ ଦେଇଥିଲେ । ଭରତ ଟ୍ରକର ଆରପଟକୁ ଚାଲିଯିବାକୁ ବସିଥିବା ବେଳେ ସେମାନେ ଧରିଥିବା ଭୁଜାଲି ଓ ଅନ୍ୟ ଧାରୁଆ ଅସ୍ତ୍ରରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଦୁର୍ବୃତ୍ତମାନେ ଆକ୍ରମଣ କରି ଭରତ ଧରିଥିବା ନଗଦ ଦେଢ଼ ଲକ୍ଷ ଟଙ୍କା ଓ ଏକ ଦାମୀ ୫ଜି ମୋବାଇଲ ଲୁଟି ନେଇ ଦୃତ ଗତିରେ ବାଇକରେ ବଙ୍ଗୋମୁଣ୍ଡା ପଟକୁ ଫେରାର ହୋଇଯାଇଥିଲେ । ଗୁରୁତର ଭରତ ଏହା ପରେ ସେମାନଙ୍କ ପିଛା କରି ନିକଟସ୍ଥ ବଙ୍ଗୋମୁଣ୍ଡା ଥାନାକୁ ଯାଇ ଘଟଣା ସମ୍ପର୍କରେ ଜଣାଇଥିଲେ ମଧ୍ୟ ଘଟଣାସ୍ଥଳଟି ମୁରିବାହାଲ ଥାନା ଅନ୍ତର୍ଗତ ହୋଇଥିବାରୁ ତାଙ୍କୁ ମୁରିବାହାଲ ଥାନାରେ ଅଭିଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ସେ ମୁରିବାହାଲ ଥାନାକୁ ଆସି ଘଟଣା ସମ୍ପର୍କରେ ଲିଖିତ ଏତଲା ଦେଇଥିଲେ । ଭରତଙ୍କ ଏତଲା ଆଧାରରେ ପୁଲିସ ଥାନା କେସ ନଂ ୫୫/୨୦୨୪ରେ ଡକାୟତି ସହ ବିଭିନ୍ନ ଦଫାରେ ମାମଲା ରୁଜ୍ଜୁ କରି ଘଟଣାସ୍ଥଳ ପରିଦର୍ଶନ କରି ବିଭିନ୍ନ ଦିଗକୁ ନେଇ ତନାଘନା ତଦନ୍ତ ଜାରି ରଖିଥିଲା । ଏହି ମାମଲାରେ ସଂପୃକ୍ତ ୪ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ପୁଲିସ ଦଫା ୩୯୪ ଆଇପିସିରେ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଥିଲେ । ଅଭିଯୋଗକାରୀ ଟ୍ରକ୍ ଡ୍ରାଇଭରଙ୍କ ପକ୍ଷରୁ ସରକାରୀ ଆଇନଜୀବୀ ବିଶ୍ୱନାରାୟଣ ବହିଦାର ମାମଲା ପରିଚାଳନା କରୁଥିଲେ ।

Leave A Reply

Your email address will not be published.