- ରୁଚିପୂର୍ଣ୍ଣ କଳାକୃତି ପାଇଁ ପୂର୍ତ୍ତ ବିଭାଗକୁ ଧନ୍ୟବାଦ ଜଣାଇଲେ
ଭୁବନେଶ୍ୱର : ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କଳା ମଣ୍ଡଳ ପ୍ରାଙ୍ଗଣରେ ଉଦ୍ଘାଟିତ ହୋଇଯାଇଛି ଅକ୍ଷର ଭୂମି । ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ସ୍ମୃତିକୁ ଚିରସ୍ମରଣୀୟ କରିବା ସହିତ ଏହି ସମ୍ମିଳନୀର ସ୍ମାରକୀ ଭାବେ ଅକ୍ଷର ଭୂମି, ଓଡିଆ ଭାଷା, କଳା ଓ ସଂସ୍କୃତିର ଜୟଗାନ କରିବ । ଓଡିଆ ଭାଷାର ଗୌରବ ବିଷୟରେ ଏହା ଆଗାମୀ ପିଢିକୁ ପ୍ରେରଣା ଦେବ । କଳିଙ୍ଗ ଶୈଳୀରେ ନିର୍ମିତ ଏହି ସୁଦୃଶ୍ୟ କଳାକୃତି ଅକ୍ଷର ଭୂମିର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି । ଓଡିଆ ବର୍ଣ୍ଣମାଳାର ପ୍ରତ୍ୟେକ ଅକ୍ଷରକୁ ଯେପରି କଳାତ୍ମକ ଭାବେ ସେଠାରେ ସଜ୍ଜିତ କରି ରଖାଯାଇଛି ତାହା ଓଡିଆ ଭାଷାର ସୌନ୍ଦର୍ଯ୍ୟକୁ ସଫଳ ଭାବେ ଉପସ୍ଥାପିତ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେବା ସହ ତା’ର ଉଚ୍ଚ ପ୍ରଶଂସା କରିଛନ୍ତି । ଅକ୍ଷର ଭୂମିର ନିର୍ମାଣ ଦାୟିତ୍ୱ ନେଇଥିବା ଏବଂ ତାକୁ ସଫଳ ଭାବେ ସମ୍ପନ୍ନ କରିଥିବା ପୂର୍ତ୍ତ ବିଭାଗକୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।