ଅଖିଳ ଚନ୍ଦ୍ର ହୋତାଙ୍କ କବିତା ସଙ୍କଳନ ‘ଶୂନ୍ୟ ଶବ୍ଦାଞ୍ଜଳି’ ଲୋକାର୍ପିତ
ବସ୍ତୁବାଦୀ ସୁଖ ଅପେକ୍ଷା ବ୍ରହ୍ମାନନ୍ଦ ଧେୟହେଉ
ବଲାଙ୍ଗିର, (କେପିଏନ୍ଏସ୍) : କବିତା ଆତ୍ମାକୁ ଉଚ୍ଛନ୍ନ କରିଦିଏ । ଯନ୍ତ୍ରଣାରୁ ଜୀବନ୍ୟାସ ପର୍ଯ୍ୟନ୍ତ ସବୁ ମୁହୂର୍ତ୍ତରେ କବିତାର ସୃଷ୍ଟି ହୋଇପାରେ । ଏହା ମଣିଷର ଅନ୍ତଃଚେତନାକୁ ଜାଗ୍ରତ କରେ । ମଣିଷକୁ ସଚେତନ କରି ତା ଭିତରେ ସଦ୍ଭାବ ଆଣିଥାଏ । ଯାହା ମଣିଷକୁ ଆନନ୍ଦରୁ ଊର୍ଦ୍ଧକୁ ନେଇ ବ୍ରହ୍ମାନନ୍ଦକୁ ପହଞ୍ଚାଇଥାଏ । ସାରସ୍ୱତ ଅନୁଷ୍ଠାନ ରଚନା ଦ୍ଵାରା ପ୍ରକାଶିତ ତଥା ପ୍ରମେୟ କେବିକେ ସଂସ୍କରଣର ମୁଖ୍ୟ ଅଖିଳଚନ୍ଦ୍ର ହୋତାଙ୍କ ରଚିତ ପ୍ରଥମ କବିତା ସଙ୍କଳନ ‘ଶୂନ୍ୟ ଶବ୍ଦାଞ୍ଜଳି’ ଲୋକାର୍ପଣ ଅବସରରେ ଅତିଥିଗଣ ଏଭଳି ମତ ଦେଇଛନ୍ତି । ସକାଳେ ପୁସ୍ତକକୁ ପ୍ରଫେସର ମଧୁସୂଦନ ପତି ଉନ୍ମୋଚନ କରିଥିଲେ । ପରେ ସଂଧ୍ୟାରେ ରଚନା ସଭାପତି ସନାତନ ଠାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାରସ୍ଵତ ସମାରୋହରେ କବୟିତ୍ରୀ ଡ. ଅପର୍ଣ୍ଣା ମହାନ୍ତି, କବି ରାଜୀବ ଲୋଚନ ଆଚାର୍ଯ୍ୟ, କବୟିତ୍ରୀ ମୁକୁଲ ମିଶ୍ର ପ୍ରମୁଖ ଯୋଗଦେଇ ପୁସ୍ତକ ଲୋକାର୍ପଣ କରିବା ସହ ‘କବିତାରେ ଯେଉଁ ଆନନ୍ଦ’ ଶୀର୍ଷକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ କବୟିତ୍ରୀ ଡ. ମହାନ୍ତି କହିଥିଲେ ପ୍ରେମ ଓ ପୀଡ଼ା କବିତାକୁ ଆନନ୍ଦମୟ କରେ । ଅନ୍ତରର ଜାଗ୍ରତ ଅବସ୍ଥା ହିଁ କବିକୁ କବିତା ଲେଖାଇପାରେ । କବିତାର ଆନନ୍ଦକୁ ସମାଜ ସବୁବେଳେ ଡରେ । କାରଣ ତାହା ସବୁବେଳେ ନୂଆସୃଷ୍ଟି କରିବାର ଉଦ୍ୟମ କରେ । ଦୋଷ ଦୁର୍ବଳତା ମଣିଷକୁ ଶୁଦ୍ଧ କରେ ବୋଲି କହିଥିଲେ । କବି ଆଚର୍ଯ୍ୟ କହିଥିଲେ କବି ଲେଖକ ଭାବପ୍ରବଣତାରେ ବଞ୍ଚତି । ନିଜେ କାନ୍ଦନ୍ତି ପୀଡ଼ା ଭିତରେ ବଞ୍ଚିପାରନ୍ତି । କିନ୍ତୁ ବସ୍ତୁବାଦୀ ଲୋକେ ସେମାନଙ୍କୁ ପ୍ରାକ୍ଟିକାଲ ହେବାକୁ ପରାମର୍ଶ ଦିଅନ୍ତି । ପ୍ରାକ୍ଟିକାଲ ମଣିଷ ହୁଏତ ଧନ ସମ୍ପଦର ପ୍ରାଚୁର୍ଯ୍ୟ ପାଇବ, ସୁଖ ଆନନ୍ଦ ପାଇବ । କିନ୍ତୁ ବ୍ରହ୍ମାନନ୍ଦ ପାଇପାରିବ ନାହିଁ । ବ୍ରହ୍ମାନନ୍ଦ ପାଇବାକୁ ହେଲେ ମଣିଷକୁ ଆବେଗସହ ବଞ୍ଚିବାକୁ ପଡ଼ିବ । କବୟିତ୍ରୀ ମୁକୁଲ ମିଶ୍ର ନିଜର କେତେକ କବିତା ଆବୃତ୍ତିକରି ମଣିଷର ସବୁ ରସ ମଧ୍ୟରୁ ଶ୍ରେଷ୍ଠ ରସ ଏବଂ ଶ୍ରେଷ୍ଠ ସୁଖ ହେଉଛି କବିତା ଅଟେ ବୋଲି କହିଥିଲେ । ଏ ଅବସରରେ ବହିର ଲେଖକ ହୋତା ବକ୍ତବ୍ୟ ରଖିବାୟସହ କବିତା ଆବୃତ୍ତି କରିଥିଲେ । ପରେ କବି ପୁଷ୍ପାଞ୍ଜଳି ମେହେର ଏବଂ କବି ମୃଗେଶ ବୈଷ୍ଣବ ପାଣିଗ୍ରାହୀ ଶୂନ୍ୟ ଶବ୍ଦାଞ୍ଜଳିର ଦୁଇଟି କବିତା ଆବୃରି କରିଥିଲେ । ରଚନା ସମ୍ପାଦକ କବି ଭାଗୀରଥି ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ରଚନା ସଦସ୍ୟା ସସ୍ମିତା ନେପାକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ କବି ରତ୍ନମୟ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।