ସମାଜସେବା ସଂକଳ୍ପ ଯୁବ ସମାଜ ପାଇଁ ଏକ ଆହ୍ୱାନ : ସଂକଳ୍ପର ତୃତୀୟ ପ୍ରତିଷ୍ଠା ଦିବସ ଓ ବଳିଦାନ ଦିବସରେ ମତ ପ୍ରକାଶ

ବରଗଡ, (ନିରୋଜ କୁମାର ପାଣୀ) : ସାମ୍ପ୍ରତିକ ସମାଜରେ ନିସ୍ୱାର୍ଥପର ସେବା ଯୁବ ସମାଜ ପାଇଁ ଆହ୍ୱାନରେ ପରିଣତ ହୋଇଥିବା ବେଳେ ସମାଜସେବା ପାଇଁ ଯୁବ ସମାଜ ଆଗେଇ ଆସିବା ଉଚିତ ବୋଲି ବରଗଡ଼ ଟାଉନ ହଲଠାରେ ମଙ୍ଗଳବାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ସଂକଳ୍ପର ତୃତୀୟ ପ୍ରତିଷ୍ଠା ଦିବସ ତଥା ବଳିଦାନ ଦିବସ ପାଳନ ଅବସରରେ ବିଶିଷ୍ଟ ଅତିଥିଗଣ ମତ ପ୍ରକାଶ କରିଛନ୍ତି । ରୋହିତ ଜେଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୁଲବାମାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଯୋଗ ଦେଇ ଯୁବ ଶକ୍ତି ପାଇଁ ସେବାକୁ ବ୍ରତ ଭାବେ ଗ୍ରହଣ କରି ଆଗେଇ ଆସନ୍ତୁ ବୋଲି ଆହ୍ୱାନ ଦେଇଥିବା ବେଳେ ଅନ୍ୟତମ ବରେଣ୍ୟ ଅତିଥି ସିଆରପିଏଫ୍‌ ଡିଆଇଜି ଲାଲଚାନ୍ଦ ଯାଦବ ଦେଶ ମାତୃକାର ସେବା ହିଁ ପ୍ରତ୍ୟେକ ଭାରତୀୟଙ୍କ ସଂକଳ୍ପ ହେଉ ବୋଲି ଉଲ୍ଲେଖ କରିଥିଲେ । ମୁଖ୍ୟବକ୍ତା ଆନ୍ତର୍ଜାତୀୟ ସଫ୍ଟ ସ୍କିଲ ଟ୍ରେନର ଜୟପ୍ରକାଶ ଶତପଥୀ ସଂକଳ୍ପ ଅନୁଷ୍ଠାନର ସେବା ସଂକଳ୍ପକୁ ଭୁୟସୀ ପ୍ରସଂଶା କରିଥିଲେ । ଏହି ଅବସରରେ ବିକାଶ ଅଗ୍ରୱାଲ ବାର୍ଷିକ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ବିଶିଷ୍ଟ ଶିକ୍ଷାବିଦ୍‌ ମନୋରଂଜନ ସାହୁ କବି ନୀତିଶ ଆଚାର୍ଯ୍ୟ ପ୍ରମୁଖ ମଂଚସୀନ ଥିଲେ । ସହିଦ ରଞ୍ଜନ ଦାଶଙ୍କ ମାଆ କୁମୁଦିନୀ ଦାଶଙ୍କୁ ଅନୁଷ୍ଠାନ ତରଫରୁ ସ୍ୱତନ୍ତ୍ର ସମର୍ଦ୍ଧନା ସମୟରେ ଗାନ କରାଯାଇଥିବା ଦେଶାତ୍ମବୋଧକ ସଙ୍ଗୀତରେ ଉପସ୍ଥିତ ଜନସାଧାରଣଙ୍କ ମଧ୍ୟରେ କିଛି ସମୟ ପାଇଁ ଭାବବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲ । ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଭରତ ପଣ୍ଡା ଓ ସାଥୀ ତଥା ସମ୍ବଲପୁରର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ପରିଚୟର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସୁଶ୍ରୀ ଅଭିପ୍ସା ପତି ଓଡିଶୀ ନୃତ୍ୟ ମହମ୍ମଦ ତାହୀର ଓ ସୁଶ୍ରୀ ଗ୍ରେସୀ ନିଶା ସିଂହଲ କଣ୍ଠ ସଙ୍ଗୀତ ପରିବେଷଣ କରିଥିବା ବେଳେ ବିଶାଳ ଡେନ୍ସ ଏକାଡେମୀ ଦ୍ୱାରା ଲୋକନୃତ୍ୟ ଉସୁ ଏକାଡେମୀ ଦ୍ୱାରା ଆତ୍ମ ରକ୍ଷା କଳା ପରିବେଷଣ କରାଯାଇଥିଲା । ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ୧୫ ଜଣ ମହିଳାଙ୍କ ସମେତ ସମୁଦାୟ ୬୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ବିଭିନ୍ନ ସମୟରେ ସଂକଳ୍ପ ପରିବାରର ରକ୍ତଦାନ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ ପାଇଁ ନିୟାମ ଶିକ୍ଷା ସଂସ୍ଥା ଓ ପଂଚାୟତ କଲେଜ ଏନ୍‌ସିସି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସର୍ଦାର ପ୍ରୀତମ ସିଂ, କବି ନୀତିଶ ଆଚାର୍ୟ୍ୟ, ସମାଜସେବୀ ଗୌରହରି ମିଶ୍ର, କୁମୁଦିନୀ ଦାଶ ପ୍ରମୁଖ ଉପସ୍ଥିତ ରହି କଳାକାରଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ଗୋପବନ୍ଧୁ ପୁରୋହିତ ସଂଯୋଜନା କରିଥିବା ବେଳେ ସଂକଳ୍ପ ପରିବାରର ସମସ୍ତ ସଦସ୍ୟ ସଦସ୍ୟା ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ସଭାପତି ରୋହିତ ଜଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.