ଗୋରୁକୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ମାଳତୀ ବସ୍‌ ଦୁର୍ଘଟଣାଗ୍ରସ୍ତ : ଗୋରୁ ମୃତ, ୧୦ରୁ ଅଧିକ ଆହତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ ଅଧିନସ୍ଥ ଲିଙ୍ଗାଗଡ଼ ଗ୍ରାମ ପଞ୍ଚାୟତରେ ମାଳତୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି । ମାଳତୀ ବସ୍‌ ନମ୍ବର ଓଆର୍‌-୧୨-ସି- ୨୧୪୨ ଆସିକା ଠାରୁ ମୁନିଗୁଡା ଅଭିମୁଖେ ଯାଉଥିଲା । ଗାଈ ଷଣ୍ଢ ଲଢେଇ ହୋଇ ୨ ଗୋଟି ଗୋରୁ ହଠାତ୍‌ ରାସ୍ତା ଉପରକୁ ଉଠିଆସିଥିଲେ । ଡ୍ରାଇଭର୍‌ ବିଜୟନାରାୟଣ ପ୍ରଧାନ ଉକ୍ତ ୨ ଗୋଟି ଗୋରୁଙ୍କୁ ବଞ୍ଚାଇବାକୁ ଯାଇ ବସ୍‌ଟି ରାସ୍ତାକଡ଼କୁ ଖସି ଯାଇ ଓଲଟିପଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ ଗୋଟିଏ ଗାଈର ମୃତ୍ୟୁ ହୋଇଛି । ପ୍ରାୟ ୧୦ରୁ ଅଧି ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି । ଆହତ ବ୍ୟକ୍ତିଙ୍କୁ ଜି.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଯାଉଛି । ଦୁର୍ଘଟଣାସ୍ଥଳରେ ଦମକଳବାହିନୀ ସହ ଜି. ଉଦୟଗିରି ଏସ୍‌ଡିପିଓ ବିଜୟ କୁମାର ବିଶି, ଥାନା ଭାରପ୍ରାପ୍ତ ଅଧିକାରୀ ଭଗବାନ ପୂଜାରୀ ଏବଂ ଓଡିଶା ମୋଟର ଚାଳକ ସଂଘ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ପୋଲିସ ଦୁର୍ଘଟଣା ବିଷୟରେ ଅଧିକ ତଦନ୍ତ ଅବ୍ୟାହତ ରଖିଛନ୍ତି ।

Leave A Reply

Your email address will not be published.