ବିରକେଲ୍ ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୫ ଆହତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବାଦିମୁଣ୍ଡା ପଞ୍ଚାୟତ ବିରକେଲ ଗ୍ରାମରେ ରବିବାର ରାତିରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ଉଭୟ ପକ୍ଷର ୫ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଆହତମାନେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଗତକାଲି ରାତିରେ ବିରକେଲ ଗ୍ରାମର ଏକ ନିର୍ଦ୍ଧିଷ୍ଟ ପରିବାର ବିରୋଧରେ ଲୋକେ ଗାଁ ଦାଣ୍ଡରେ ସଭା ଡ଼କାଇଥିଲେ । ତେବେ ସଭାକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ଗ୍ରାମର ଲେକ୍ରୁ ପଟେଲ ତଥା ଝେକୃ ପଟେଲଙ୍କ ପରିବାର ତରଫରୁ କିଛି ଲୋକଙ୍କ ଉପରକୁ ଅତର୍କିତ ଆକ୍ରମଣ କରାଯାଇଥିଲା । ଏପରିକି କିଛି ଲୋକଙ୍କ ଉପରେ ଭୁଜାଲି ଓ ଟାଙ୍ଗିଆ ଦ୍ଵାରା ଆକ୍ରମଣ କରାଯାଇଥିବା ନେଇ ବଲାଙ୍ଗିର ସଦର ଥାନାରେ ଅଭିଯୋଗ ହୋଇଛି । ଫଳରେ ଗ୍ରାମର ବୃନ୍ଦାବନ ପଟେଲ, ପିଣ୍ଟୁ ପଟେଲ, ଭୁବନେଶ୍ଵର ପଟେଲ, ଓମପ୍ରକାଶ ପଟେଲ, ଉମାକାନ୍ତ ପଟେଲ ପ୍ରମୁଖ ଗୁରୁତର ଆହତ ହୋଇ ବଲାଙ୍ଗିର ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି । କିଛିମାସ ପୂର୍ବରୁ ବିରକେଲ ଗ୍ରାମର ମହାଲିଙ୍ଗ କଟାରେ ମାଟିକାମକୁ ନେଇ ଗ୍ରାମବାସୀ ତଥା ଏକ ନିର୍ଦ୍ଧିଷ୍ଟ ପରିବାର ମଧ୍ୟରେ ମୁହାମୁହି ପରିସ୍ଥିତି ସୃଷ୍ଟି ହେବା ସହିତ କାମ ବନ୍ଦ ହୋଇ ଯାଇଥିଲା । ସେହିଦିନ ଠାରୁ ଗ୍ରାମରେ ଅଶାନ୍ତି ଦେଖାଦେବା ସହିତ ଗତକାଲିର ଆକ୍ରମଣ ଘଟଣା ପରେ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

error: Content is protected !!