jayashree

ଦନ୍ତା ଆକ୍ରମଣରେ ୨ ଆହତ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜରେ ଗତକାଲି ବିଳମ୍ବିତ ରାତିରେ ତେଲକୋଇ ଫରେଷ୍ଟ ବିଟ୍‌ର କନ୍ତଲେଇ ମୁଣ୍ଡା ସାହି ଓ ବିମଳା ଫରେଷ୍ଟ ବିଟ୍ ଗୋଳାଗାଡିଆ ମୁଣ୍ଡା ସାହିରେ ହାତୀପଲ ଉପଦ୍ରବ କରିଥିବା ଖବର ମିଳିଛି । ଦୁଇ ସାହିରେ ୪ଟି ଘରକୁ ଭାଙ୍ଗି ଧାନଚାଉଳ ଖାଇ ଯାଇଥିଲେ । ସୂଚନାନୁଯାୟୀ, କନ୍ତଲେଇ ମୁଣ୍ଡା ସାହିର ଲେମ୍ବୁ ମୁଣ୍ଡାଙ୍କ ଘର ଭାଙ୍ଗିବା ସହ ସୁକୁମାରୀ ମୁଣ୍ଡା ଘର ଭିତରେ ଶୋଇଥିବା ଅବସ୍ଥାରେ ହାତୀପଲ ଘର ଭାଙ୍ଗିବାରୁ ତାଙ୍କ ଉପରେ କାନ୍ଥ ପଡିଯାଇଥିଲା । ବୟସ ଅଧିକ ଯୋଗୁଁ ସେ ଚେତା ହରାଇ ଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ବର୍ତ୍ତମାନ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଭଲ ରହିଛି । ସେପଟେ ବିମଳା ଫରେଷ୍ଟ ବିଟ୍‌ର ଗୋଳାଗାଡିଆ ଗାଁ ମୁଣ୍ଡା ସାହିରେ ଦେବାନନ୍ଦ ମୁଣ୍ଡା ଓ ପାଣ୍ଡବ ମୁଣ୍ଡାଙ୍କ ଘର ଭାଙ୍ଗି ସାତ ବସ୍ତା ଚାଉଳ ଖାଇବା ସହ ଘରର ହାଣ୍ଡି କଡେଇକୁ ଦଳିମକଚି ନଷ୍ଟ କରିଦେଇଛନ୍ତି । ଦେବାନନ୍ଦ ମୁଣ୍ଡା ହାତୀ କବଳରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ହାତୀପଲ ଘର ଭାଙ୍ଗିବା ଦେଖି ଦେବାନନ୍ଦ ଘରୁ ବାହାରକୁ ବାହାରି ଆସିଥିଲେ । ତେବେ ସେ ଦନ୍ତା ହାବୁଡ଼ରେ ପଡିଯାଇଥିଲେ । ଦନ୍ତା ତାଙ୍କୁ ଶୁଣ୍ଢରେ ପିଟି ଦେଇଥିଲା । ଜୀବନ ବିକଳରେ ଦେବାନନ୍ଦ ଦୌଡ଼ି ପଳାଇ ଅଳ୍ପକେ ବର୍ତ୍ତିଯାଇଥିଲେ ।

Leave A Reply

Your email address will not be published.