ସହୃଦୟ ବ୍ୟକ୍ତିଙ୍କ ସହାୟତାରେ ଚାଲିଛି ମ.ରାମପୁର ଆହାର କେନ୍ଦ୍ର

ମ.ରାମପୁର, (ହେମନ୍ତ ସାହୁ) : ଭୋକିଲା ପେଟରେ ଗଣ୍ଡେ ଖାଇବା ଦେବାକୁ ନିଜର ଧର୍ମ ନିଶ୍ଚିତ । ଏଥିପାଇଁ ତ କିଛି ସହୃଦୟ ବ୍ୟକ୍ତି ଆଗେଇ ଆସିଛନ୍ତି ପ୍ରତିଦିନ ମାତ୍ର ଦଶଟଙ୍କାରେ ଆହାର ଯୋଗାଇଦେବାକୁ । ସରକାରଙ୍କ ଦ୍ୱାରା ବିଭିନ୍ନ ମୁଖ୍ୟାଳୟଗୁଡ଼ିକରେ ଆହାର କେନ୍ଦ୍ରମାନ କରାଯାଇ ଆହାର ଯୋଗାଇ ଦେବାର ବନ୍ଦୋବସ୍ତ କରାଯାଇଛି । ଯେଉଁଠି ଲୋକେ ନିଜ ପେଟ ପାଇଁ ଗଣ୍ଡେ ସୁଲଭ ମୁଲ୍ୟରେ ଖାଇବାକୁ ପାଇପାରୁଛନ୍ତି । କିନ୍ତୁ କଳାହାଣ୍ଡି ଜିଲ୍ଲା ମ.ରାମପୁରରେ ଚାଲିଥିବା ଆହାର କେନ୍ଦ୍ରଟି ଗତ ପ୍ରାୟ ତିନିମାସ ହେଲା ସହୃଦୟ ବ୍ୟକ୍ତିଙ୍କ ସହଯୋଗରେ ଚାଲୁ ରହିଛି । ପ୍ରତିଦିନ ଏହି ଆହାର କେନ୍ଦ୍ରରେ ପଚାଶଜଣଙ୍କ ପାଇଁ ମଧ୍ୟାହ୍ନ ଭୋଜନ ମାତ୍ର ଦଶଟଙ୍କାରେ ଯୋଗାଇ ଦିଆଯାଉଛି । ସୂଚନା ମୁତାବକ, ଗତ ମାର୍ଚ୍ଚ ମାସ ୯ ତରାିଖରେ ଏଆଇଏମ୍‌ ଏସିଆ ଟ୍ରଷ୍ଟ, ଭୁବନେଶ୍ୱରର ସହାୟତାରେ ଏହି ଆହାର କେନ୍ଦ୍ରଟି ଆରମ୍ଭ କରାଯାଇଥିଲା ଉକ୍ତ ସଂସ୍ଥା ତରଫରୁ ମାର୍ଚ୍ଚ, ଅପ୍ରେଲ, ମଇ ମାସ ଯାଏଁ ଏହି ଆହାର କେନ୍ଦ୍ର ପାଇଁ ଆର୍ଥିକ ସହାୟତା ଦେବା ପରେ ସହଯୋଗ ବନ୍ଦ କରିଦେଥିଲେ । ପରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅବିନାଶ ତରଫରୁ ଏହାର ପ୍ରତିଷ୍ଠାତା ଡ଼ଃ ଦେବେନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ଜୁନ ମାସ ଆହାର କେନ୍ଦ୍ର ପାଇଁ ଆର୍ଥିକ ସହାୟତା କରିଥିଲେ । ଗୋଟିଏ ମାସପରେ ଏହି ସଂସ୍ଥା ବିକଳ୍ପ ଚିନ୍ତା କରିବାକୁ ଯାଉଥିବେ ବେଳେ ଏହାର ପ୍ରତିଷ୍ଠାତା ଶ୍ରୀ ନାୟକ କିଛି ସହୃଦୟ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରିଥିଲେ ଏବଂ ସେଇ ବ୍ୟକ୍ତିମାନେ ସହଯୋଗର ହାତ ବଢେଇଥିଲେ । ଜୁଲାଇମାସ ଆରମ୍ଭରୁ ଏହି ଆହାର କେନ୍ଦ୍ରଟି ଏବେ ସେମିତି କିଛି ସହୃଦୟ ବ୍ୟକ୍ତିଙ୍କ ସହାୟତାରେ ଚାଲୁଥିବା ବେଳେ ପ୍ରତିମାସରେ ଗୋଟିଏ ଦିନ ରାଜା ଢାବା, କର୍ଲାଖୁଣ୍ଟା ତରଫରୁ ମାଗଣା ପଚାଶଜଣଙ୍କ ନିମନ୍ତେ ଖାଦ୍ୟ ଯୋଗାଇ ଦେଉଛନ୍ତି । ତେବେ ସଂପୂର୍ଣ୍ଣ ସ୍ୱେଚ୍ଛାକୃତ ଭାବରେ ଚାଲିଥିବା ଏହି ଆହାର କେନ୍ଦ୍ରର ସମସ୍ତ ପରିଚାଳାନା ଦାୟିତ୍ୱ ଡ଼ଃ ନାୟକଙ୍କ ସମେତ ବଜରଙ୍ଗ ଅଗ୍ରୱାଲ, ପୁଷ୍ପେନ୍ଦ୍ର ସିଂହଦେଓ, ବିଭୂତି ଭୂଷଣ ମହାଖୁଡ଼, କାମଦେବ ସାହୁ, ପ୍ରଦୀପ ଅଗ୍ରୱାଲ ପ୍ରମୁଖ ନେଇଥିବା ଜଣାଯାଇଛି । ଏହି ଆହାର କେନ୍ଦ୍ରରେ ପ୍ରତିଦିନ ପଚାଶଜଣ ଖାଦ୍ୟ ଗ୍ରହଣ କରି ଖୁସି ବ୍ୟକ୍ତ କରିବା ସହିତ ଏହି ଅନୁଷ୍ଠାନ ମଙ୍ଗଳ ତଥା ଦୀର୍ଘାୟୁ କାମନା କରନ୍ତି । ବିଭିନ୍ନ ମହଲରେ ମଧ୍ୟ ଏହି ଆହାର କେନ୍ଦ୍ରର ମହତ କାର୍ଯ୍ୟକୁ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.