om academy

ଆହାର କେନ୍ଦ୍ର ବନ୍ଦ ହେବନାହିଁ : ଦୁର୍ଗା ଚରଣ ତନ୍ତୀ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଇସ୍ପାତ ନଗରୀର ଦୁଇଟି ଆହାର କେନ୍ଦ୍ରକୁ ବିଧାୟକ ଦୁର୍ଗା ଚରଣ ତନ୍ତୀ ଅଚାନକ ପରିଦର୍ଶନ କରିଥିଲେ । ସେ ସର୍ବ ପ୍ରଥମେ ସେକ୍ଟର -୨ ବସ୍‌ଷ୍ଟାଣ୍ଡ ସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ କରିବା ସହିତ ସଧାରଣ ଜନତାଙ୍କ ସହିତ ଧାଡ଼ିରେ ଠିଆ ହୋଇ ମିଲ୍‌ ଟୋକେନ୍ ନେଇ ଭୋଜନ କରିଥିଲେ । ସେ ଭୋଜନ କରୁଥିବା ଲୋକଙ୍କ ସହିତ କଥା ବାର୍ତ୍ତା କରିଥିଲେ । ଆହାର କେନ୍ଦ୍ରରେ କର୍ତ୍ତବ୍ୟ ତଥା କାମକରୁଥିବା ବ୍ୟକ୍ତିମାନଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ବିଶେଷ କରି ଏହି କେନ୍ଦ୍ରରେ ଶୌଚାଳୟ ନଥିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କହିବା ସହ ଥଣ୍ଡା ପାନୀୟ ଜଳ କୁଲର୍ ଖରାପ ହୋଇ ଥିବା ସୂଚନା ଦେଇଥିଲେ । ସେହିଭଳି ସେ ସେକ୍ଟର -୧୯ ଆହାର କେନ୍ଦ୍ର ପରିଦର୍ଶନ କରିବା ସହିତ ଅନୁରୂପ ସମସ୍ୟା ରହିଥିବା ଅଭିଯୋଗ ଶୁଣିଥିଲେ । ବିଧାୟକ ଶ୍ରୀ ତନ୍ତୀ ଏହାର ଯଥା ଶୀଘ୍ର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ମିଡିଆ ଚେନାଲଙ୍କ ସହିତ ସାକ୍ଷାତ କାର୍‌ରେ ସେ ପ୍ରକାଶ କରି କହିଲେ ଯେ, ସୋସିଆଲ୍‌ ମିଡିଆରେ ବିରୋଧୀ ଦଳ ମିଥ୍ୟା ପ୍ରଚାରର ଆଶ୍ରୟ ନେଇ ଆହାର କେନ୍ଦ୍ର ବିଜେପି ସରକାର ବନ୍ଦ କରିଦେବେ ବୋଲି ଅପପ୍ରଚାର ଚଳାଇ ବିଜେପି ସରକାରକୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି । କିନ୍ତୁ ସେମାନେ ଏ ଅପ୍ରଚାରରେ କେବେବି ସଫଳ ହେବେ ନାହିଁ କାରଣ ଆହାର କେନ୍ଦ୍ର ବନ୍ଦ ହେବ ନାହିଁ ବୋଲି ସେ ଦୃଢ଼ ସ୍ଵରରେ କହିଥିଲେ । ଏହି ସମୟରେ ସେକ୍ଟର -୨, ଖରିଆ ବାହଲ ବସ୍ତି ଓ ଜୋତା ବନ୍ଧ ବସ୍ତିର ଶତାଧିକ ମହିଳା ଓ ପୁରୁଷ ବାସିନ୍ଦା ବିଧାୟକଙ୍କୁ ଭେଟି ସେମାନଙ୍କ ବସ୍ତିରୁ ଇସ୍ପାତ କାରଖାନା, ବିଜୁଳି ବିଭାଗ ଅଧିକାରୀମାନେ ବିଜୁଳି ଲାଇନ୍‌ କାଟି ଦେଇଥିବାରୁ, ବିଜୁଳି ଯୋଗାଯୋଗ ବିଚ୍ଛିନ୍ନ ଅଭିଯାନ ଚଳାଇ ଏହି ପ୍ରଚଣ୍ଡ ରୌଦ୍ରତାପରେ ବସ୍ତି ବାସିନ୍ଦାଙ୍କୁ ହଇରାଣ କରୁଥିବା ପ୍ରକାଶ କରିଥିଲେ । ଏହା ଶୁଣିବା ମାତ୍ରେ ବିଧାୟକ ତୁରନ୍ତ ଆର୍‌. ଏସ୍‌. ପି ବିଜୁଳି ବିଭାଗ ଅଧିକାରୀଙ୍କ ସହିତ ଫୋନ୍‌ ଜରିଆରେ କଥାବାର୍ତ୍ତା କରିବା ସହିତ ୩ ମାସ ପର୍ଯ୍ୟନ୍ତ କୌଣସି ବିଜୁଳି ଲାଇନ୍‌ କାଟିବାରୁ ବିରତ ରହିବାକୁ ପରାମର୍ଶ ଦେବାସହ ମୋଦୀ ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା ନକରିବାକୁ ଚେତାବନୀ ଶୁଣାଇ ଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ଜିଲ୍ଲା ସଂପାଦକ ଅଜୟ କଂସାରୀ, ବରିଷ୍ଠ ନେତା ଜିତେନ ମହାନ୍ତି, ଅକ୍ଷୟ ଦାଶ, ପ୍ରଫୁଲ୍ଲ ମିଶ୍ର, କୈଳାଶ ରାଉତ୍, ଜୋକେନ୍ ବେହୂରିଆ, ଜଗବନ୍ଧୁ ସାହୁ, ସୁରେନ୍ଦ୍ର ନାଥ ପାତ୍ର, ମନୋଜ ପଟ୍ଟନାୟକ, ଶ୍ରୀକାନ୍ତ ରାୟ, ଯଦୁମଣି ପାତ୍ର, ବିଜୟ ସିଂ, ଶରତ ନାଗ ବଜରଙ୍ଗୀ, ଆଦିତ୍ୟ ତିୱାରୀ, ରଜନୀ ସ୍ୱାଇଁ, ଅଜିତ ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.