ଶ୍ରୀମନ୍ଦିର ସରଘରେ ଅଗ୍ନିକାଣ୍ଡ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀମନ୍ଦିର ସରଘରେ ଗତକାଲି ରାତିରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ସେଥିରେ ଥିବା କିଛି ଚାଉଳ ଓ ଡାଲି ସମେତ ରୋଷେଇ ଉପକରଣ ପୋଡ଼ିଯାଇଛି । ସେବାୟତମାନେ ପାଣିଢାଳି ନିଆଁକୁ ଆୟତ୍ତ କରିଛନ୍ତି । ଏହି ସରଘର ଜଣେ ସୁଆର ସେବକଙ୍କ ଦଖଲରେ ଥିବା ଜଣାପଡ଼ିଛି । ଘର ଭିତରେ ସେ ରୋଷ ସାମଗ୍ରୀ ରଖି ବାହାରୁ ତାଲା ପକାଇଥିଲେ । ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଘର ଭିତରୁ ଧୂଆଁ ବାହାରିଥିଲା । ଘର ଭିତରେ କିଛି ଅଧାପୋଡ଼ା କାଠ ରଖାଯାଇଥିବାରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି । ଏ ସମ୍ପର୍କରେ ମନ୍ଦିର ପ୍ରଶାସନର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଶ୍ରୀମନ୍ଦିର ଭିତର ସରଘରେ ନିଆଁ ଲାଗିବା ଘଟଣା ସେବାୟତ ଓ ଭକ୍ତଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ସିଂହଦ୍ୱାର ଥାନା ପୁଲିସ ଏବଂ ଜେଟିପି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଏଥିନେଇ ଥାନାରେ ଅଭିଯୋଗ ହୋଇନଥିବା ଇନ୍ସପେକ୍ଟର ସୁନିଲ କୁମାର ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.