ଶରଣକୁଳ ଲଡୁବାବାଙ୍କର ଭଉଁରୀ ଚାପଖେଳରେ ଅଘଟଣ : ଓଲଟିଲା ଡଙ୍ଗା, ବୁଡିଗଲେ ଚଳନ୍ତି ପ୍ରତିମା ଓ ଲଡୁବାବାଙ୍କ ସେବାୟତ

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ନୟାଗଡ ଜିଲ୍ଲା ଶରଣକୁଳ ସ୍ଥିତ ପ୍ରସିଦ୍ଧ ଶୈବପୀଠ ଲଡୁବାବାଙ୍କର ଉତ୍କଳ ଭଉଁରୀରେ ଚାପ ଖେଳିଲା ବେଳେ କାଠଡଙ୍ଗା ଫାଟକଣାରେ ପାଣି ପଶି ଓଲଟିଲା ଡଙ୍ଗା । ବୁଡିଗଲେ ଚଳନ୍ତି ପ୍ରତିମା ଓ ଲଡୁବାବାଙ୍କ ସେବାୟତ । ଦିଅଁଙ୍କ ଭଉଁରୀ ଖେଳ ବେଳେ ଗତ ସୋମବାର ରାତିରେ ଏହି ଅଘଟଣ ଘଟିଛି ବୋଲି କୁହାଯାଇଛି । ପ୍ରକାଶ ଥାଉକି, ଦିଅଁଙ୍କ ଭଉଁରୀ ଖେଳ ବେଳେ ସୋମବାର ରାତିରେ ଡଙ୍ଗା ଓଲଟି ପଡିବାରୁ ଲଡୁବାବାଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର, ମାତା ପାର୍ବତୀ, ଲଡୁବାବା ମନ୍ଦିରର ଲକ୍ଷ୍ମୀ ନାରାୟଣ ଓ ନିକଟସ୍ଥ ହରିହରପୁର ଗ୍ରାମର ଦଧିବାମନ ଜୀଉ ମୂର୍ତ୍ତୀ ପୋଖରୀରେ ପଡି ବୁଡ଼ି ଯାଇଥିଲେ । ଏପରି କି ଠାକୁରଙ୍କ ସେବାୟତମାନେ ମଧ୍ୟ ପୋଖରୀରେ ବୁଡିଯାଇଥିଲେ । ନୟାଗଡରୁ ଦମକଳ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରଥମେ ସମସ୍ତ ସେବାୟତ ମାନଙ୍କୁ ଉଦ୍ଧାର କରାଯାଇଥିଲା । ପରେ ଠାକୁର ମାନଙ୍କୁ ପୋଖରୀ ମଧ୍ୟରୁ ଉଦ୍ଧାର କରାଯାଇଥିଲା । ଡଙ୍ଗା ବୁଡିଯିବା ପରେ ଭଉଁରୀ ଖେଳ ବନ୍ଦ ରହିଥିଲା । ଦୁରଦୂରାନ୍ତ ଆସିଥିବା ଭକ୍ତମାନେ ନିରାଶ ହୋଇ ଫେରିଯାଇଥିଲେ । ଡଙ୍ଗା ବୁଡିଲା ବେଳେ ସେଥୀରେ ୩୮ଜଣ ଲୋକ ବସିଥିଲେ । ସବୁ ବର୍ଷ ଏହି ଭଉଁରୀ ଯାତ୍ରା ଅନୁଷ୍ଠିତ ହେଉଥିଲେ ମଧ୍ୟ ଏଥିରେ ବ୍ୟବହୃତ ହେଉଥିବା ଡଙ୍ଗା ବହୁ ପୂରୁଣା ଅଟେ । ସେବାୟତମାନଙ୍କ କହିବାନୁଯାୟୀ ଏହି ଡଙ୍ଗା ବିଗତ ତିନି ବର୍ଷ ହେଲା କୌଣସି ମରାମତି କରାଯାଇନାହିଁ । ଡଙ୍ଗାର ଏପରି ଅବସ୍ଥାରେ ବିନା ମରାମତିରେ ଡଙ୍ଗାକୁ କାହିଁକି ଓ କିଭଳି ଭାବେ ମନ୍ଦିର ପ୍ରସାଶନ ବ୍ୟବହାର କରିଥିଲା, ଏକଥା ଚର୍ଚ୍ଚାକୁ ଆସିଛି । ମନ୍ଦିର ପ୍ରଶାସନର ଖାମଖିଆଲ ମନୋବୃତ୍ତି ଯୋଗୁଁ ଏଭଳି ଘଟଣା ଘଟିଛି । ଚାଲିଯାଇଥାନ୍ତା ନୀରିହ ସେବାୟତ ମାନଙ୍କ ଜୀବନ । ଶରଣକୁଳ ମନ୍ଦିର ପ୍ରଶାସନର ବିଭିନ୍ନ ସ୍ରୋତରୁ ଅଜସ୍ର ଟଙ୍କା ଆଦାୟ ହେଉଥିବା ବେଳେ ଲଡୁବାବାଙ୍କ ପୀଠକୁ କାହିଁକି କରାଯାଉଛି ଅବହେଳା । କାହାର ହୀନ ମାନସିକତା ଯୋଗୁଁ ବାରମ୍ବାର କିଛି ନା କିଛି ଅଘଟଣ ଘଟୁଛି ଯାହାକି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ମନ୍ଦିର ପ୍ରଶାସନର ଏହିଭଳି ଖାମଖିଆଲ ମନୋଭାବ ଯୋଗୁଁ ବାରମ୍ବାର ଏହିଭଳି ନିନ୍ଦନୀୟ ଘଟଣା ଘଟୁଥିବାରୁ ଜନସାଧାରଣଙ୍କ ମହଲରେ ଅସନ୍ତୋଷ ବ୍ୟକ୍ତ କରାଯାଇଛି ।

Leave A Reply

Your email address will not be published.