ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ କାଇସକନ୍ଦା ପ୍ରାଥମିକ ବିଦ୍ୟାଳୟର ଇକୋ କ୍ଲବ ତରଫରୁ ଆର୍ଦ୍ରଭୂମି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଚୁମକି ବିଶିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଙ୍ଗନବାଡି କର୍ମୀ ଶକୁନ୍ତଳା ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋଖରୀ, କୂଅ, ନଦୀ, ନାଳ, ଗାଡ଼ିଆ ପରି ଆର୍ଦ୍ରଭୂମି ଓ ଜୈବ ବିବିଧତାର ସୁରକ୍ଷା ପାଇଁ ଗ୍ରାମବାସୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିବା ସହ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଏଥିରେ ପନ୍ଦର ଜଣ ଛାତ୍ରଛାତ୍ରୀ ଓ ଅବିଭାବକ ଯୋଗଦେଇଥିଲେ । ସମସ୍ତେ ନିକଟସ୍ଥ ପୋଖରୀ ପରିଦର୍ଶନ କରିବା ସହ ଆର୍ଦ୍ରଭୂମିର ସୁରକ୍ଷା ପାଇଁ ସ୍ୱଚ୍ଛତା ଓ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକର ବର୍ଜନ ଉପରେ ଜ୍ଞାନ ଲାଭ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ଗୋକୁଳାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।