jayashree

ଆଦିବାସୀମାନଙ୍କୁ ମିଥ୍ୟା ଅବକାରୀ କେସ୍‌ରେ ଫସାଇ ହଇରାଣ ଘଟଣାରେ ସଂପୃକ୍ତ ଅବକାରୀ ଉପନିରୀକ୍ଷକଙ୍କ ବିରୁଦ୍ଧରେ ଆଦିବାସୀ ସଂଘର ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଦିବାସୀମାନଙ୍କୁ ମିଥ୍ୟା ଅବକାରୀ କେସ୍‌ରେ ଫସାଇ ହଇରାଣ ଘଟଣାରେ ସଂପୃକ୍ତ ଅବକାରୀ ଉପନିରୀକ୍ଷକଙ୍କ ବିରୁଦ୍ଧରେ ଆଦିବାସୀ ସଂଘ କଡା ଅଭିଯୋଗ କରିଛି । ସଂଘର ଅଭିଯୋଗ ଅନୁସାରେ ଅବକାରୀ ବିଭାଗର ଉପନିରୀକ୍ଷକ ବିଶ୍ଵନାଥ ପରିଡା ଯୋଗଦେବା ଦିନଠାରୁ ବଡ଼ ବଡ଼ ମଦ ମାଫିଆ, ଗଞ୍ଜେଇ ମାଫିଆ, କଫ୍‌ସିରପ ମାଫିଆ ଓ ନିଶା କାରବାର କରୁଥିବା ପ୍ରଭାବଶାଳୀ ଲୋକଙ୍କ ସହିତ ହାତ ମିଳାଇ ମଧୁଚନ୍ଦ୍ରିକା କରୁଛନ୍ତି । ଖପ୍ରାଖୋଲ, ପାଟଣାଗଡ଼, ବେଳପଡା ବ୍ଲକର ଗ୍ରାମାଞ୍ଚଳରେ ବେଆଇନ ମଦ ଗଞ୍ଜେଇ କଫ୍‌ସିରପ ଶ୍ରୀ ପରିଡା ଏସଆଇଙ୍କ ଜାଣତରେ ହେଉଛି ବୋଲି ମଧ୍ୟ ଅଭିଯୋଗ କରାଯାଇଛି । ଅସାଧୁ ବ୍ୟବସାୟୀ ମାନଙ୍କଠାରୁ ଏସଆଇ ଶ୍ରୀ ପରିଡ଼ା ମାସିକିଆ କୋଟା ନେଉଛନ୍ତି । ବିନା ଲାଇସେନ୍ସଧାରି ମଦ ଦୋକାନୀମାନଙ୍କ ଠାରୁ ସେ ପିସି ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଲୋକ ଅଭିଯୋଗ କଲେ ଷ୍ଟାଫ ଅଭାବ, ଗାଡି ଅଭାବ, ବହୁତ ବିଶାଳ ଏରିଆ ଯୋଗୁଁ ଯାଞ୍ଚ କରିବା ସମ୍ଭବ ନୁହେଁ ବୋଲି ଯୁକ୍ତି କରନ୍ତି । ଅଥଚ ମାସିକିଆ ଅବକାରୀ କେସ ଟାର୍ଗେଟ ପୂରଣ କରିବା ଉଦ୍ଦେଶ୍ୟରେ କିଛି ଗରିବ, ନିରୀହ, ଆଦିବାସୀ ମାନଙ୍କୁ ମିଥ୍ୟା କେସରେ ଫସାଇ ମାମଲା ରୁଜୁ କରି ଉପରିସ୍ଥ ଅଧିକାରୀମାନଙ୍କ ଠାରୁ ସାବାସୀ ନେଉଛନ୍ତି ବୋଲି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଠାରେ ଶ୍ରୀ ପରିଡା ଅବକାରୀ ଏସଆଇ ବିରୁଦ୍ଧରେ ଆଜି ଅଭିଯୋଗ କରିଛି ଏବଂ ନ୍ୟାୟ ମିଳିବା ପାଇଁ ଦିବାକର ଧରୁଆ ମଧ୍ୟ ପାଟଣାଗଡ଼ ଥାନାରେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ ଗତ ତା.୧୭.୦୫.୨୧ ସୋମବାର ଦିନ ସାଢେ ଦଶଟାରେ ପାଟଣାଗଡ଼ ଥାନା ପଣ୍ଡାରିପାଣି ଗାଁର ଦିବାକର ଧରୁଆ ତାଙ୍କର ସୁପର ଏକ୍ସଏଲ ଗାଡ଼ିରେ ତେନ୍ତୁଳି, ଆମ୍ବୁଲ କିଣିବା ସହିତ ଗାଁ ଗାଁ ବୁଲି ପନିପରିବା ମଧ୍ୟ ବିକିବାକୁ ଯାଉଥିଲେ । ଚଂଘରିଆ ପାଞ୍ଚ ଛକଠାରେ ଅବକାରୀ ବିଭାଗର କର୍ମଚାରୀମାନଙ୍କ ସହିତ ଏସଆଇ ଶ୍ରୀ ପରିଡା ପନିପରିବା ବିକାଳୀ ଶ୍ରୀ ଧରୁଆଙ୍କୁ ଅଟକାଇ ଗାଳି ଗୁଲଜ, ମାଡ଼ ପିଟ କରି ତାଙ୍କ ମୋବାଇଲ, ନିକିତି, ଗାଡି, ଟଙ୍କା ଏବଂ ପନିପରିବା ଅନ୍ୟାନ୍ୟ ଜିନିଷ ଲୁଟି ନେଲେ । ନିରୀହ ଆଦିବାସୀ ଶ୍ରୀ ଧରୁଆ ଏକୁଟିଆ ଥିବା ସୁଯୋଗ ନେଇ ଅବକାରୀ ଏସଆଇ ଶ୍ରୀ ପରିଡା ଦିବାକର ଧରୁଆଙ୍କ ନାମରେ ମିଥ୍ୟା ଅବକାରୀ କେଶରେ ମାମଲା ରୁଜୁକରି ହଇରାଣ କରିବା ସହିତ ତାଙ୍କ ଗାଡ଼ି, ଟଙ୍କା, ମୋବାଇଲ, ଆମ୍ବୁଲ, ତେନ୍ତୁଳି, ପନିପରିବାକୁ ନେଇଗଲେ । ଶ୍ରୀ ଧରୁଆଙ୍କୁ ଗାଳି ଗୁଳଜ ଧମକ ଚମକ ଦେବା ସହିତ ମିଥ୍ୟା କେଶରେ ଜେଲ ପଠାଇଦେବି ବୋଲି ଶ୍ରୀ ପରିଡା ଧମକ ଦେଇଥିଲେ । ଅବକାରୀ ଏସଆଇ ଜଣକ ଜଣେ ରାଜନେତାଙ୍କ ଇସାରାରେ କାମ କରୁଛି, ଆଦିବାସୀ ନିରୀହ ଲୋକଙ୍କୁ ମିଥ୍ୟା ମକଦ୍ଦମାରେ ଛନ୍ଦିଦେଇ ହଇରାଣ କରୁଛି, କୋଟିପତି ମଦ ମାଫିଆ ସହିତ ହାତ ମିଳାଇ ନିରୀହ ଜନତାକୁ ଦାଉ ସାଧୁଛି । ତେଣୁ ଶ୍ରୀ ପରିଡାକୁ ତୁରନ୍ତ ବଦଳି କରିବା ସହିତ ଆଦିବାସୀ ବିରୋଧୀ ମନୋଭାବ ଯୋଗୁଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଉପଜିଲ୍ଲାପାଳ ପାଟଣାଗଡ଼ଙ୍କ ଠାରେ ଅଭିଯୋଗ କରିଛି ଯଦି ଶ୍ରୀ ପରିଡ଼ାଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ଆଗାମୀ ଦିନରେ ଆଦିବାସୀ ସଂଘ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି । ଆଜିର ଦାବୀପତ୍ର ପ୍ରଦାନ ସମୟରେ ସଂଘର ବ୍ଲକ ସଭାପତି ଅଷ୍ଟରତ୍ନ ବରିହା, ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ, ମନବୋଧ ବରିହା, ହୃଷିକେଶ ଭୋଇ, ଧୁବଲେଶ୍ୱର ଭୋଇ, ମହେନ୍ଦ୍ର ବରିହା, ଲୋକନାଥ ବାରିକ, ଗଦି ବରିହା, ବଳରାମ ବରିହା, ଘନ ଭୁଏ, ବୀର କାଳସାଏ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.