ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ୩ ଆଦିବାସୀ ଛାତ୍ରଛାତ୍ରୀ ଡାକ୍ତର ହେବେ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଦୃଢ଼ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ଦ୍ୱାରା ସବୁ କିଛି ସମ୍ଭବ ହୋଇଥାଏ । ଏଭଳି ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ୩ ଆଦିବାସୀ ଛାତ୍ରଛାତ୍ରୀ ଚଳିତ ବର୍ଷ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପଢ଼ାରେ ନାମ ଲେଖାଇଛନ୍ତି । ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ ୩ ଜଣ ସବେରାଙ୍ଗା ଗ୍ରାମର କଳାକାର ପ୍ରଧାନ ଭୁବନେଶ୍ଵର ବିଜେବି କଲେଜରୁ ଯୁକ୍ତ ୨ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ସେ ଘରକୁ ଘର ଆସି ବାପା-ମାଙ୍କୁ ଚାଷ କାମରେ ସାହାର୍ଯ୍ୟ କରି ଚଳିତ ବର୍ଷ ସେ ନିଟ୍ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇ କଟକ ଏସ୍‌ସିବି ମେଡିକାଲ କଲେଜରେ ନାମ ଲେଖାଇଛନ୍ତି । ଘଞ୍ଜ ଜଙ୍ଗଲ ମଧ୍ୟରେ ଥିବା ସବେରାଙ୍ଗା ଗାଁରେ ଏକ ଛୋଡି ଛାଟିଆ ଘରେ ବାପା ମାସୁଙ୍ଗା ପ୍ରଧାନ ଓ ମା’ ସୁମିତା ପ୍ରଧାନ ରୁହନ୍ତି । ବାପା ହଳଦୀ ଚାଷ ସହିତ ଧାନ ଚାଷ କରି ପରି ପରିବାର ପୋଷଣ କରନ୍ତି । ସେହିଭଳି ବାଡ଼ାବାଙ୍ଗା ପଞ୍ଚାୟତ ଉପାନ୍ତ ଗଜେଡ଼ି ଗ୍ରାମର ଲିସା । ସେ ଜଣେ ଦିବ୍ୟାଙ୍ଗ । ବିନା କୋଟିଂରେ ଦୁର୍ଗମାଞ୍ଚଳରୁ ୟୁଟ୍ୟୁବ୍ ମାଧ୍ୟମରେ ପାଠପଢି ନିଟ୍ ପରୀକ୍ଷାରେ ପ୍ରଥମ ଚେଷ୍ଟାରେ ଉତ୍ତୀର୍ଣ୍ଣ ହୋଇ ବ୍ରହ୍ମପୁର ଏମ୍‌କେସିଜିରେ ନାମ ଲେଖାଇଛନ୍ତି । ତାଙ୍କ ବାପା ଜଣେ ଗଣ ଶିକ୍ଷକ ହୋଇଥିବା ବେଳେ ମା’ ଅଙ୍ଗନୱାଡ଼ି କର୍ମୀ । ଲିସା ନୟାଗଡ଼ ସ୍ଥିତ ଡିଭାଇନ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତ ୨ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇଥିଲେ । ଡାକ୍ତରୀ ପଢ଼ିବାକୁ ଇଚ୍ଛା ରଖି ଭୁବନେଶ୍ୱର ସ୍ଥିତ ଏକ ଘରୋଇ କଲେଜରେ ଯୁକ୍ତ ୩ରେ ନାମ ଲେଖାଇଥିଲେ । କିନ୍ତୁ ମା’ଙ୍କ ଦେହ ଖରାପ ଯୋଗୁଁ ସେ ପାଠପଢ଼ା ଅଧାରେ ଛାଡ଼ି ଘରକୁ ଫେରିଥିଲେ । ଘରେ ରହି କଠିନ ପରିଶ୍ରମ କରି ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବ୍ରହ୍ମପୁର ଏମ୍‌କେସିଜିରେ ନାମ ଲେଖାଇଛନ୍ତି । ସେହିଭଳି ଭଳି ଦାସିଙ୍ଗବାଡ଼ି ପଞ୍ଚାୟତ ତାଡ଼ିମାହା ଗ୍ରାମର ଚାଷୀ କନେଶ୍ୱର ପ୍ରଧାନଙ୍କ ପୁଅ ସନାତନ ପ୍ରଧାନ ଚଳିତ ବର୍ଷ ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବ୍ରହ୍ମପୁର ଏମ୍‌କେସିଜିରେ ନାମ ଲେଖାଇଛନ୍ତି । ସନାତନ ବ୍ରହ୍ମପୁର ସ୍ଥିତ ଖଲିକୋଟ କଲେଜରେ ଦ୍ୱାଦଶ ପାସ୍‌ କରିଥିଲେ । ନିଟ୍ ପରୀକ୍ଷାରେ ଗୋଟିଏ ଚେଷ୍ଟାରେ କୃତିତ୍ୱ ଅର୍ଜନ କରିଛନ୍ତି ସେ ଖଲ୍ଲିକୋଟ କଲେଜରେ ପଢି ପଢିବା ସମୟରେ ଘରଭଡା ଓ ପାଠପଢା ଖର୍ଚ୍ଚ କରି ତାଙ୍କ ବାପା ଭାଙ୍ଗି ପଡିଥିଲେ । ତେଣୁ ସେ ଯୁକ୍ତ ୩ ପାଠପଢ଼ାରୁ ବଞ୍ଚିତ ରହିଥିଲେ । ସାଙ୍ଗ ସାଥୀଙ୍କ ବହି ମାଗି ନିଟ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଗାଁରେ ଇଣ୍ଟରନେଟ୍ ବ୍ୟବସ୍ଥା ନଥିବାରୁ ଗାଁ ଠାରୁ ଦୂର ଏକ ପାହାଡ଼ ଉପରେ ବସି ପାଠ ପଢି ନିଟ୍ ପରୀକ୍ଷା ଦେଇ ଆଜି ସେ ସଫଳତା ପାଇଛନ୍ତି ।

Leave A Reply

Your email address will not be published.