ଝିରପାଣି ଆର୍ ଏସ୍ କଲୋନୀ ଆଦିବାସୀ ମଞ୍ଚ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ-୨୦୨୫ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୧୯୯୨ ମସିହା ଡିସେମ୍ବରରେ ମିଳିତ ଜାତିସଂଘ ସାଧାରଣ ସଭାରେ ଏକ ପ୍ରସ୍ତାବ ପାରିତ କରି ୧୯୯୩ ଅଗଷ୍ଟ ୯ ତାରିଖକୁ ବିଶ୍ୱ ଆଦିବାସୀ ଦିବସ ରୂପେ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ୧୯୯୩ ମସିହା ଅଗଷ୍ଟ ୯ ତାରିଖ ଠାରୁ ଅନ୍ତର୍ଜାତୀୟ ଆଦିବାସୀ ଦିବସ ପାଳିତ ହୋଇଆସୁଛି । ଝିରପାଣି ଆ୍‌ର ଏସ୍ କଲୋନୀ ଆଦିବାସୀ ମଞ୍ଚ ପକ୍ଷରୁ ଝିରପାଣି ବିଜୟ କ୍ଲବ୍ ଫୁଟବଲ୍ ପଡିଆରେ ଦ୍ୱିତୀୟ ବିଶ୍ୱ ଆଦିବାସୀ ଦିବସ-୨୦୨୫ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରାକ୍ତନ ଝିରପାଣି ସରପଞ୍ଚ ପ୍ରଭା ଖାଲକୋଙ୍କ ଆବାହକତ୍ୱରେ ଅଜୟ ଖାଲକୋଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସୁଶୀଲ କିଣ୍ଡୋ, ଝିରପାଣି ସରପଞ୍ଚ ଅଜିତ୍ ତିର୍କୀ, ଅର୍ଥ ବିଭାଗର ସହ କମିଶନର ବାସିଲ କୁଲ୍ଲୁ, ସୁରା ଓରାମ୍, ନର୍ବଟ ତିର୍କି, ରସାଲ ଯୋଯୋ, ଜେମ୍ସ କୁଜୁର, ସନ୍ଧ୍ୟାରାଣୀ ସୟ ,ଶ୍ରୀନାୟାର, ଆଇନଜୀବୀ ବିଜୟ ପଟ୍ଟନାୟକ, ଅଧ୍ୟାପକ ମନୋଜ ସାମଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆଦିବାସୀ ଦିବସ ପାଳନର ଆଭିମୁଖ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟତଃ ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତାକୁ ଗୁରୁତ୍ୱାରୋପ କରିଥିଲେ । କୃଷ୍ଣ ତନ୍ତୀ, ଫିରୋଜ କିସପୋଟା, ରାଜେଶ ଟପ୍ପୋ, ଆଲେକଜାଣ୍ଡାର ବୋଷ୍, ଶକ୍ତି ଲୋହାର, କାର୍ତ୍ତିକ ବାରିକଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଝିରପାଣି ବିଜୟ କ୍ଲବ୍ ଫୁଟବଲ୍ ପଡିଆଠାରୁ ବାହାରି ଝିରପାଣି ଅଂଚଳ ବୁଲିବା ପରେ ପୁଣି ବିଜୟ କ୍ଲବ୍ ଫୁଟବଲ୍ ପଡିଆର ବିଶ୍ୱ ଆଦିବାସୀ ଦିବସ-୨୦୨୫ ସମାରୋହ ସ୍ଥଳରେ ପହଞ୍ଚି ଥିଲା । ଆଦିବାସୀ ପରମ୍ପରା ଅନୁଯାୟୀ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ଧନୁତୀର, ଖଣ୍ଡା, ବର୍ଚ୍ଛା ସହିତ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଗ୍ରାମରୁ ଆସିଥିବା ଓରାମ୍ ସମାଜ, ଖଡିଆ ସମାଜ, ମୁଣ୍ଡା ସମାଜ, କିସାନ ସମାଜ, ସାନ୍ତାଳି ସମାଜର ଆଦିବାସୀମାନେ ବିଶ୍ୱ ଆଦିବାସୀ ଦିବସ-୨୦୨୫ ସମାରୋହରେ ଅଂଶଗ୍ରହଣ କରିଥିଲେ । ଶୋଭାଯାତ୍ରା ବିଜୟ କ୍ଲବ୍ ଗ୍ରାଉଣ୍ଡରେ ପହଞ୍ଚିବା ପରେ, ସ୍ୱର୍ଗତଃ ବିର୍ସା ମୁଣ୍ଡା, ବୀର ତେଲେଙ୍ଗା ଖାଡିଆ, ଭିକରାମ ଭଗତ ଏବଂ ଶିବୁ ସୋରେନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ଆଦିବାସୀ ଯୁବକମାନଙ୍କ ପ୍ରିୟ ଧନୁତୀର ପ୍ରତିଯୋଗୀତା ସହିତ ମହିଳାଙ୍କ ପ୍ରିୟ ଖେଳ ହାଣ୍ଡିଭଙ୍ଗା, ମ୍ୟୁଜିକ ଚେୟାର, ଝିଲାପି ରେସ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଭିନ୍ନ ଗ୍ରାମରୁ ଆସିଥିବା ରାଜା କିମ୍ବା ଦେୱାନମାନଙ୍କୁ ଏହି ଆଦିବାସୀ ଦିବସ ସମାରୋହରେ ସମ୍ମାନିତ କରାଯାଇଥିଲା । ଆଦିବାସୀ ପରମ୍ପରା ଅନୁସାରେ ମହିଳା ଓ ପୁରୁଷମାନେ ଅଂଶଗ୍ରହଣ କରି ନୃତ୍ୟଗୀତ ପରିବେଷଣ କରିଥିଲେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମେଲୋଡି ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଅମିତ୍ କୁମାର ବାରା,ଅଜୟ ଖାଲକୋ, ମୋନାଲିସା କୁଜୁର ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.