
ରାଉରକେଲା, (ସସ୍ମିତା ପ୍ରଧାନ) : ନିୟମ ବହିଃଭୂତ କାର୍ଯ୍ୟକରି ହରଡ଼ଘଣାରେ ଏବେ ମିସନ ବାତ୍ସଲ୍ୟର କଣ୍ଟ୍ରାକ୍ଟ ଚୁଆଲ ଅଧିକାରୀ । ସୂଚନାଯୋଗ୍ୟ ଯେ ରାଉରକେଲା ସ୍ୱତନ୍ତ୍ର କାରାଗାର ପରିସରରେ ଥିବା ସୁରକ୍ଷିତ ଆଶ୍ରୟକେନ୍ଦ୍ର ମିସନ ବାତ୍ସଲ୍ୟର ଚୁକ୍ତି ବିଷୟକ ଅଧିକ୍ଷକ ଉମେଶ କୁମାର ସାବତ ପ୍ରୋଟୋକଲ ନମାନି ଜଣେ ଅନ୍ତେବାସୀଙ୍କୁ ବିନା ସୁରକ୍ଷା ଓ ଉପରିସ୍ଥ ଅଧିକାରୀଙ୍କୁ ନଜଣାଇ ଗତ ମେ ମାସ ୧୬ ତାରିଖ ଦିନ ନିଜ ବାଇକରେ ବସାଇ ସନ୍ଧ୍ୟାବେଳେ ଚିକିତ୍ସା ପାଇଁ ବାହାରକୁ ନେଇ ଯାଇଥିଲେ । ସୁରକ୍ଷିତ ଆଶ୍ରୟକେନ୍ଦ୍ରଠାରୁ ମାତ୍ର ୧୦୦ ମିଟର ଦୂରତାରେ ଥିବା ଅନ୍ତେବାସୀଙ୍କୁ ତଦାରଖ କରୁଥିବା ଡ଼ାକ୍ତରଙ୍କୁ ନଦେଖାଇ ଓ ରାଉରକେଲା ସରକାରୀ ଡାକ୍ତରଖାନାକୁ ନନେଇ ବାହାରୁ ଔଷଧ ଦୋକାନରୁ ଔଷଧ କିଣିଥିଲେ ବୋଲି କୁହାଯାଉଛି । ଯେହେତୁ ସେ ଡାକ୍ତରଖାନା ନେଇନଥିଲେ ସେଥିପାଇଁ ସେ ଓପିଡିର ଟିକେଟ ଦେଖାଇ ପାରିନଥିଲେ । ତାପରେ ଯେଉଁ ଅନ୍ତେବାସୀଙ୍କୁ ନେଇଥିଲେ ସେ ଅନ୍ତେବାସୀଙ୍କ ବିରୋଧରେ ପୋକ୍ସୋ ଆଇନ ଭଳି କଠୋର ଦଣ୍ଡରେ ଦଣ୍ଡିତ ହୋଇ ଜେଲଦଣ୍ଡ ଭୋଗୁଛନ୍ତି । ସେହିପରି ଉପରୋକ୍ତ ଅଧିକାରୀ ଙ୍କ ବିରୋଧରେ ପୂର୍ବରୁ ଛେଣ୍ଡ ପୋଲିସ ଥାନାରେ କ୍ରିମିନାଲ କେଶ ନଂ ୧୨୦, ତା ୦୪/୦୫/୨୦୨୫ ରିଖ ରେ ଏକ ମାମଲା ରୁଜ୍ଜୁ କରାଯାଇଛି । ଯାହା ଏବେ ବିଚାରାଧୀନ ଅଛି । ତେଣୁ ଏଭଳି ଏକ ସ୍ପର୍ଶକାତର ବିଷୟରେ ଉପଜିଲ୍ଲାପାଳ ବିଜୟ କୁମାର ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନା , ଶିଶୁ ମଙ୍ଗଳ ସମିତିର ବାଳମୁକୁନ୍ଦ ଶୁକ୍ଳା ପ୍ରମୁଖ ତଦନ୍ତ କରୁଛନ୍ତି । ଏ ସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଜେନାଙ୍କୁ ପଚାରିବାରୁ, ସେ କହିଛନ୍ତି ଯେ ତଦନ୍ତ ଚାଲିଛି । ତଦନ୍ତ ପରେ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।