ଆକ୍ସନ ମୋଡ଼ରେ ସଇଁତଲା ଥାନା ଅଧିକାରୀ

  • ଯୋଗଦାନର ସପ୍ତାହ ନପୂରୁଣୁ ୫ ବାଇକ୍‌ ଉଦ୍ଧାର ସହ ୬ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ, ସାମ୍ବାଦିକ ସମ୍ବିଳନୀରେ ଅପରାଧୀମାନଙ୍କୁ ପୋଲିସ କଡା ନଜର ରଖିଛି – ଟିଟିଲାଗଡ଼ ଏସ୍‌ଡିପିଓ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ବାଇକ୍‌ ଚୋରି ବୃଦ୍ଧି ଚାଲିଥିବା ବେଳେ ନୂଆଁ ଥାନା ଅଧିକାରୀ ଯୋଗଦାନ କରିବାର ସପ୍ତାହ ନପୂରୁଣୁ ୫ ବାଇକ୍‌ ଉଦ୍ଧାର ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଟିଟିଲାଗଡ଼ କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନା ମଞ୍ଜୁର ହେବାରୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି । ଏନେଇ ସଇଁତଲା ଥାନା କେସ ନଂ ୩୫୩/୨୪ ଅନୁସାରେ ଭାରତୀୟ ଦଣ୍ଡ ବିଧି ଅନୁଯାୟୀ ଦଫା ୩୦୩ (୨) (୬୧) (୨) (ବ) (୧୧୧)(୪)(୬) ରୁଜୁ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବିଜୟ ନାଗ ଓରଫ କ୍ରିଷ୍ଣା (୧୯) ସଇଁତଲା ଥାନା କରେଲଧୂଆ, ସଞ୍ଜୟ ସାହୁ (୩୦) ଟିଟିଲାଗଡ଼ ଥାନା ଦେଶୀଳ, ଅଭି କୁମ୍ଭାର (୧୮) ସଇଁତଲା, ଭାଟିଶାଳ ପଡା, ବ୍ରଜକିଶୋର ବେରିଆ (୩୦) ତୁଷୁରା ଥାନା ବଡ଼ବାହାଲ, ଡୁଲେଶ୍ଵର ରଣା (୩୪) ଓ ଯଶୋବନ୍ତ ମଲ୍ଲିକ (୨୩) ତୁଷୁରା ଥାନା ଗୌରଗୋଟ ଅଞ୍ଚଳର ବୋଲି ଜଣାପଡିଛି । ପ୍ରକାଶ ଯେ, ସଇଁତଲା ଥାନାର ମାଣେଶ ଜାଲ, ଯୁଧିଷ୍ଠିର ଜାଲ ଓ ସିଲେଟପଡା ଲକ୍ଷ୍ମୀକାନ୍ତ ସାହୁଙ୍କ ବାଇକ୍‌ ରାତ୍ରି ସମୟରେ ଦୁର୍ବୁତ୍ତମାନେ ଘରୁ ଚୋରି କରିଥିବା ଥାନା ଅଭିଯୋଗ ହୋଇଥିଲା । କିନ୍ତୁ ଆକ୍ସନ ମୋଡ଼ର ନୂଆଁ ଥାନା ଅଧିକାରୀ ଯୋଗଦାନ କରିବାର ସପ୍ତାହ ନପୂରୁଣୁ ଅଭିଯୁକ୍ତ ସହ ବାଇକ୍‌ ଉଦ୍ଧାର ହୋଇଛି । ଯାହାକୁ ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି । ଉକ୍ତ ଘଟଣା ନେଇ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସଇଁତଲା ଆଇଆଇସି ସୁଶାନ୍ତ ବଢ଼େଇଙ୍କ ତତ୍ତ୍ୱାବଧାନରେ ଏକ ଟିମ୍‌ ଗଠନ କରାଯାଇଥିଲା । ଏଥିରେ ଏସ୍‌ଆଇ ଆଲୋକ ପ୍ରସାଦ ଭୋଇ, ଏଲ୍‌. ଚାଲାଣ, ପିଏସ୍‌ଆଇ ରାଜେଶ ବେହେରା ଓ ଏଏସ୍‌ଆଇ ଥବିର ମହାରଣାଙ୍କୁ ସାମିଲ ହୋଇଥିଲେ । ଏହି ଟିମ୍‌ ନବୀନ ଛକ ଠାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ପୋଲିସ ସନ୍ଦେହ କରି ଡିଲକ୍ସ ବାଇକ୍‌ ସହ ଅଭିଯୁକ୍ତଙ୍କୁ ପ୍ରଥମେ ଧରିବାରେ ସଫଳ ହୋଇଥିଲା । ଏହାପରେ ଟିଟିଲାଗଡ଼ ଓ ତୁଷୁରା ଅଞ୍ଚଳକୁ ଚଢ଼ାଉ କରି ୫ ଗୋଟି ବାଇକ୍‌ ସହ ୬ ଜଣ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଏପରିକି ଅପରାଧୀମାନଙ୍କ ପ୍ରତି ପୋଲିସ କଡା ନଜର ରଖିଛି ବୋଲି ଏକ ସାମ୍ବାଦିକ ସମ୍ବିଳନୀରେ ଟିଟିଲାଗଡ଼ ଏସ୍‌ଡିପିଓ ଅଙ୍କିତା କୁମ୍ଭାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ସମ୍ବିଳନୀରେ ଆଇଆଇସି ସୁଶାନ୍ତ ବଢ଼େଇ ଓ ସେକେଣ୍ଡ ଅଫିସର ଆଲୋକ ପ୍ରସାଦ ଭୋଇ ଉପସ୍ଥିତ ଥିଲେ ।

Leave A Reply

Your email address will not be published.