ରାଉରକେଲା : ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ଶ୍ରମିକ ସଙ୍ଗଠନର ମିଳିତ ଡାକରାରେ ଆଜି ଭାରତ ବନ୍ଦ କରାଯାଇଛି । ଶ୍ରମିକ ନୀତି, କୃଷି ବିରୋଧ ନୀତି, ମାଇନ୍ସ, କୋଇଲା କାରଖାନାରେ ଶ୍ରମିକ ବିରୋଧୀ କାର୍ୟ୍ୟକୁ ନେଇ ଏହି ଧର୍ମଘଟ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାରେ ଏହାର ପ୍ରଭାବ ପଡ଼ିଛି । ଜିଲ୍ଲାର ମୁଖ୍ୟ ସହର ରାଉରକେଲାରେ ସ୍ଥିତି ସ୍ଵାଭାବିକ ଥିବାବେଳେ ସୁନ୍ଦରଗଡ଼ ବ୍ଲକ ଅଞ୍ଚଳରେ ଅଧିକ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି । ସକାଳ ୭ଟାରୁ ସିଆଇଟିୟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ଚରଣ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ଶ୍ରମିକ ଶୋଭାଯାତ୍ରାରେ ବସଷ୍ଟାଣ୍ଡରୁ ବିର୍ସାମୁଣ୍ଡା ଛକ ପର୍ଯ୍ୟନ୍ତ ଯାଇଥିଲେ । ଛକରେ ବିଭିନ୍ନ ଶ୍ରମିକ ବିରୋଧୀ ନୀତିକୁ ବିରୋଧ କରି ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ଛକରେ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ବିକ୍ଷୋଭ କରିଥିଲେ । ଏଥିରେ ସିଆଇଟିୟୁର ବିମାନ ମାଇତୀ, ଅନ୍ୟ ସଦସ୍ୟଙ୍କ ସହ ଶ୍ରମିକମାନେ ସାମିଲ ଥିଲେ । ଅନ୍ୟପଟେ ସକାଳୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ ଥିବାବେଳେ ସରକାରୀ ଓ ଘରୋଇ ବସ୍ ସବୁ ବନ୍ଦ ରହିଛି । ସେହିଭଳି କିଛି ସରକାରୀ ସ୍କୁଲ ବନ୍ଦ ଥିବାବେଳେ ଘରୋଇ ସ୍କୁଲ୍, ବ୍ୟାଙ୍କ୍, ଦୋକାନ ବଜାର ଖୋଲା ରହିଛି । ଫଳରେ ସହରରେ ଧର୍ମଘଟର ଆଂଶିକ ପ୍ରଭାବ ପଡ଼ିଥିଲା । ଅପରପକ୍ଷେ ସୁନ୍ଦରଗଡ଼, ବଣାଇ, କୋଇଡା, ବୀରମିତ୍ରପୁର, ରଜମୁଣ୍ଡା, ଲହୁଣୀପଡ଼ା, ହେମଗିରି ଅଞ୍ଚଳରେ ଜୋରଦାର ବିକ୍ଷୋଭ ହୋଇ ବନ୍ଦ ପ୍ରଭାବ ପଡିଛି । ବ୍ଲକ୍ ଅଞ୍ଚଳରେ ଥିବା ମାଇନ୍ସ ଓ କାରଖାନାର ପରିବହନ ଗାଡ଼ି ସବୁ ବନ୍ଦ ଥିବାବେଳେ ଦୋକାନ ବଜାର, ସ୍କୁଲ, ଅଫିସ ବନ୍ଦ କରି ଶ୍ରମିକ ସଂଘଗୁଡ଼ିକ ବିକ୍ଷୋଭ କରିଥିଲେ ।
