
ଭୁବନେଶ୍ୱର, (କେପିଏନ୍ଏସ୍) : ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ୨୧ତମ ରାଷ୍ଟ୍ରୀୟ ଅଧିବେଶନ ଆସନ୍ତା ଏପ୍ରିଲ ୧୬, ୧୭ ଓ ୧୮ ତିନିଦିନ ଧରି କୋରାପୁଟର ଜୟପୁର ସ୍ଥିତ ଏମଏସ୍ ସ୍ୱାମୀନାଥନ କୃଷି ଗବେଷଣା କେନ୍ଦ୍ର ଠାରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ସଂଗଠନର ସଭାପତି ରବି ରଥ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି । ଏହି ଅଧିବେଶନରେ ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରୁ ପ୍ରକାଶ ପାଇ ଆସୁଥିବା ୨୦୦ ସମ୍ବାଦପତ୍ରର ସମ୍ପାଦକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟତଃ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକୁ ବିଜ୍ଞାପନ ପ୍ରଦାନ କ୍ଷେତ୍ରରେ ସରକାର ସ୍ୱତନ୍ତ୍ର ନୀତି ପ୍ରଣୟନ ପାଇଁ ଅଧିବେଶନରେ ଦାବୀ କରାଯିବ । ଏଠାରେ ଉଲ୍ଲେଖ କରାଯାଇପାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୂତନ ବିଜ୍ଞାପନ ନୀତି ଯୋଗୁଁ କ୍ରମାଗତ ଭାବେ ଭାରତ ବର୍ଷ ତଥା ବିଭିନ୍ନ ରାଜ୍ୟରେ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକ ବହୁ ସମସ୍ୟା ଦେଇ ଗତି କରୁଛନ୍ତି । କରୋନା ମହାମାରୀ ଯୋଗୁଁ ପ୍ରୋତ୍ସାହନ ଅଭାବରୁ ଗତ ଦୁଇବର୍ଷରେ ଶହ ଶହ ସମ୍ବାଦପତ୍ର ବନ୍ଦ ହୋଇଗଲାଣି । ସବୁଠୁ ଆଶ୍ଚର୍ଯ୍ୟର କଥା ରାଜ୍ୟ ସରକାର ସାମ୍ବାଦିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହୁଥିବା ବେଳେ ଦୀର୍ଘ ୨ ବର୍ଷରୁ ଅଧିକ ଦିନ ଧରି ସାମ୍ବାଦିକମାନଙ୍କୁ ରାଜ୍ୟ ସଚିବାଳୟକୁ ଯିବାକୁ ଅନୁମତି ଦିଆଯାଉନାହିଁ । ଏ ସମ୍ପର୍କରେ ମଧ୍ୟ ରାଜ୍ୟରେ ପ୍ରକାଶ ପାଉଥିବା ବୃହତ୍ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମମାନେ ମଧ୍ୟ ପ୍ରତିବାଦ କରିନାହାନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ଧାରାବାହିକ ଭାବେ ପ୍ରକାଶ ପାଉଥିବା ସମ୍ବାଦପତ୍ରଗୁଡ଼ିକୁ ସରକାରୀ ଅନୁମୋଦନ ପ୍ରଦାନ, କେନ୍ଦ୍ର ସରକାରଙ୍କ ଡିଏଭିପି ଅନୁମୋଦିତ ସମ୍ବାଦପତ୍ରଗୁଡ଼ିକ ପାଇଁ ଜାରି ବିଜ୍ଞାପନ ଦର ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟକାରୀ କରିବା, ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ରାଜ୍ୟସ୍ତରୀୟ ସାମ୍ବାଦିକମାନଙ୍କୁ ସରକାରୀ କ୍ୱାଟର ଭୁବନେଶ୍ୱରରେ ଯୋଗାଇବା, ଦିଲ୍ଲୀରେ ଥିବା ଇଣ୍ଡିଆନ ନ୍ୟୁଜ୍ପେପର ସୋସାଇଟି ଭଳି ଓଡ଼ିଶାରେ ଏକ ଭବନ ନିର୍ମାଣ କରି ସମ୍ବାଦପତ୍ରର କାର୍ଯ୍ୟାଳୟ ପାଇଁ କୋଠରୀ ପ୍ରଦାନ କରିବା, କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମ୍ପାଦକମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ସହ ବୀମା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି, ଓଡ଼ିଶାରେ ସାମ୍ବାଦିକ ପେନସନ ଓ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯିବା ସମ୍ପର୍କରେ ବ୍ୟାପକ ବିଚାର ବିମର୍ଶ କରାଯିବ, ଭାରତ ବର୍ଷର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଦୁଇ ହଜାର ପ୍ରକାଶ ପାଉଥିବା ସମ୍ବାଦପତ୍ରଗୁଡ଼ିକୁ ଡିଏଭିପି ଅନୁମୋଦନ ଦେଉଥିବା ବେଳେ ରାଜ୍ୟ ସରକାରମାନେ ଏହି ପ୍ରକ୍ରିୟାକୁ ଲାଗୁ କରନ୍ତୁ ଏବଂ ଏହି ଅବସରରେ କେନ୍ଦ୍ର ଓ ରାଜ୍ୟର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଏ ସମ୍ପର୍କରେ ମହାସଂଘ ସଭାପତି ଶ୍ରୀ ରଥ ପ୍ରକାଶ କରିଛନ୍ତି ।