ସୂଚନା ଓ ଲୋକସମ୍ପର୍କ ବିଭାଗରେ ଅବସରକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗରୁ ଗତକାଲି ସରକାରୀ ଚାକିରୀରୁ ୫ଜଣ ଅଧିକାରୀ ଏବଂ କର୍ମଚାରୀଙ୍କ ଅବସର ଗ୍ରହଣ ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ବିଭାଗୀୟ କାର୍ଯ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅଧିକାରୀ ଡ. ଉମାକାନ୍ତ ମହାପାତ୍ର, ସୂଚନା ଓ ଲୋକସମ୍ପର୍କ ବିଭାଗରେ କାର୍ଯ୍ୟରତ ଅତିରିକ୍ତ ରଚନା ଅଧିକାରୀ ଡ. ପ୍ରଶାନ୍ତ କୁମାର ପ୍ରହରାଜ, ଟିଭି ୟୁନିଟର କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ କୁମାର ମହାନ୍ତି, ବିଭାଗର ଅନ୍ୟ ଦୁଇ କର୍ମଚାରୀ ମାଗନ୍ତା ବେହେରା ଓ ସତ୍ୟାନନ୍ଦ ବିଶ୍ୱାଳ ଗତକାଲି ଅବସର ଗ୍ରହଣ କରିଥିଲେ । ବିଭାଗର କର୍ମଚାରୀ କଲ୍ୟାଣ କମିଟି ତରଫରୁ ଆଜି ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠିତ ସଭାରେ ବିଭାଗୀୟ ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀ, ଉକ୍ରଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ ଡ. ଲେନିନ୍‌ ମହାନ୍ତି, ବିଭାଗର ସହାକରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ପ୍ରମୁଖ ଯୋଗଦେଇ ଅବସରଗ୍ରହଣ କରିଥିବା ଉପରୋକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କର କାର୍ଯ୍ୟଦକ୍ଷତା ଏବଂ ନିଷ୍ଠାର ସହ ସେମାନେ କିପରି ନିଜ ନିଜ ସ୍ତରରେ ବିଭାଗ ତଥା ସରକାରୀ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିଥିଲେ, ସେ ସମ୍ପର୍କରେ ପ୍ରକାଶ କରିଥିଲେ । ଉପ ନିର୍ଦ୍ଦେଶକ ପାହ୍ୟାରେ ଅବସ୍ଥାପିତ ରହି ଅବସରଗ୍ରହଣ କରିଥିବା ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅଧିକାରୀ ଡ. ମହାପାତ୍ର ତାଙ୍କ ବକ୍ତବ୍ୟରେ ବିଭାଗୀୟ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ ଓ ପ୍ରଯତ୍ନର ସହ କରି ବିଭାଗର ସୁନାମ ବଜାୟ ରଖିବା ଏବଂ ଓଡ଼ିଶା ସୂଚନା ସେବା ପାହ୍ୟାର ଅଧିକାରୀ ମାନଙ୍କର କ୍ୟାଡ଼ର ପୁନର୍ଗଠନ କ୍ଷେତ୍ରରେ ତାଙ୍କର ସକ୍ରିୟ ଯୋଗଦାନ ସଂପର୍କରେ ତାଙ୍କର ଅଭିଜ୍ଞତା ଓ ଅଭିବ୍ୟକ୍ତି ପ୍ରକାଶ କରିଥିଲେ । ସେହିପରି ଅବସରଗ୍ରହଣ କରିଥିବା ଟିଭି ୟୁନିଟର କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ମହାନ୍ତିଙ୍କର ପ୍ରତିଦିନ ରାଜ୍ୟ ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଦୃଶ୍ୟଶ୍ରାବ୍ୟ ସଂଗ୍ରହ ଓ ବିଭିନ୍ନ ଗଣମାଧ୍ୟମକୁ ପ୍ରେରଣ କରିବାଠାରୁ ଆରମ୍ଭ କରି କୋଭିଡ଼୍‌ ସ୍ଥିତିରେ ଲାଇଭ୍‌ କମନ ଫିଡ୍‌ ଓ ରଥଯାତ୍ରା ସମୟରେ ସିଧାପ୍ରସାରଣ କାର୍ଯ୍ୟରେ ତାଙ୍କର ସଂଯୋଜନା ଉଲ୍ଲେଖନୀୟ ରହିଥିଲା । ସହକାରୀ ରଚନା ଅଧିକାରୀ ଶ୍ରୀ ପ୍ରହରାଜ ଓ ଅନ୍ୟ କର୍ମଚାରୀ ଦ୍ୱୟ ମଧ୍ୟ ବିଭାଗ ପ୍ରତି କିପରି ନିଷ୍ଠା ଓ ଅନୁରୁକ୍ତିର ସହ କାର୍ଯ୍ୟ ସଂପାଦନ କରିଥିବା ସଂପର୍କରେ କରି ନିଜ ନିଜର ଅନୁଭୂତି ବଖାଣିଥିଲେ । ବିଭାଗର ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ ସମସ୍ତ ଅଧିକାରୀ ଓ କର୍ମଚରୀମାନଙ୍କୁ ଗୀତା, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରି ସମସ୍ତଙ୍କର ଅବସରକାଳୀନ ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ କାମନା କରିଥିଲେ ।
ଅନୁଷ୍ଠିତ ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର ସମସ୍ତ ଯୁଗ୍ମ ଶାସନ ସଚିବ, ସମସ୍ତ ଯୁଗ୍ମ ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକ ଓ ଅନ୍ୟ ସମସ୍ତ ବରିଷ୍ଠ ପଦାଧିକାରୀ, ଉପ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କୋଭିଡ଼୍‌ କଟକଣା ମଧ୍ୟରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ପ୍ରକାଶ ଥାଉକି, ଗତକାଲି ସୂଚନା ଓ ଲୋକସମ୍ପର୍କ କେନ୍ଦ୍ରାଂଚଳ ଉପନିର୍ଦ୍ଦେଶକ ଅଶୋକ କୁମାର ଷଡ଼ଙ୍ଗୀ ମଧ୍ୟ ଅବସରଗ୍ରହଣ କରିଥିଲେ ଓ ଏହି ପରିପ୍ରେକ୍ଷୀରେ ଏକ କଟକ ଜିଲ୍ଲା ପ୍ରଶାସନ ତରଫରୁ କଟକରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.