ପେନସିଲ୍‌ରେ ଆଙ୍କି ପକାଉଛନ୍ତି ଅବିକଳ ଚିତ୍ର

ଢେଙ୍କାନାଳ : ହାତରେ ତାଙ୍କର ଯାଦୁ ଭରିରହିଛି । ଏଭଳି ଜଣେ ଚିତ୍ରଶିଳ୍ପୀ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ବାରିହାପୁର ଗାଁର ମାନସ ରଞ୍ଜନ ସାହୁ ଓରଫ ମୁନା ଭାଇ । ଛୋଟ ବେଳୁ ପାଠପଢା ସହ ମାଟି କାଦୁଅରେ ସୁନ୍ଦର ସୁନ୍ଦର ମୂର୍ତ୍ତି ତିଆରି କରୁଥିଲେ । ଆଉ କାଗଜ ପେନସିଲରେ ସାଙ୍ଗସାଥିଙ୍କୁ ବସାଇ ସେମାନଙ୍କ ଅବିକଳ ଚିତ୍ର ଆଙ୍କି ପକାଉଥିଲେ ଯାହାକି ବୟସ ବଢିବା ସହ ଏକ ନିଶାରେ ପରିଣତ ହୋଇଛି । କଳାରେ ଯୁକ୍ତ ତିନି ସାରିବା ପରେ ଭୁବନେଶ୍ୱର ସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟରେ ନାମ ଲେଖାଇଥିଲେ । ସେଠାରୁ ସେ ୨୦୧୭ରେ ଭିଜୁଆଲ ଡିଗ୍ରୀ ହାସଲ କରିବା ପରେ ନିଜସ୍ୱ ଉଦ୍ୟମରେ ଗାଁରେ ଆରମ୍ଭ କରିଥିଲେ ମୁନା ଫାଇନ ଆର୍ଟ ନାମକ ଏକ ସଂସ୍ଥା । ଯେଉଁଥିରେ ମାର୍ବଲ, ବ୍ରୋଞ୍ଜ, ଗ୍ରାନାଇଟ, ଫାଇବରରେ ବିଭିନ୍ନ ମୂର୍ତ୍ତି ତିଆରି ଅର୍ଡର ରଖାଯିବା ସହ ଲୋକଙ୍କୁ ସୁଲଭ ମୂଲ୍ୟରେ ଭଳିକି ଭଳି ମୂର୍ତ୍ତି ଯୋଗାଇ ଦେଉଛନ୍ତି । ଯାହାର ମୂଲ୍ୟ ୭ ହଜାରରୁ ଆରମ୍ଭ କରି ୩୦ ହଜାର ପର୍ଯ୍ୟନ୍ତ ରହିଛି । ଏହାସହ ୪ ରୁ ୫ ଜଣଙ୍କୁ ରୋଜଗାର ଯୋଗାଇଛନ୍ତି । ଏହାସହ କଳାରେ ଆଗ୍ରହ ରଖୁଥିବା ପିଲାଙ୍କୁ ସପ୍ତାହକୁ ଦୁଇ ଦିନ ମାଗଣାରେ ଶିକ୍ଷା ଦେଉଛନ୍ତି । ନିଜ କାମ ପାଇଁ ମାନସ ସାଙ୍ଗସାଥି ଓ ବନ୍ଧୁ ପରିଜନଙ୍କଠୁ ଖୁବ୍‌ ପ୍ରଶଂସା ପାଉଛନ୍ତି ।

Leave A Reply

Your email address will not be published.