
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ରାଜାଜୀ ଟାଉନ ହଲଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପଦ୍ମପୁର ତରଫରୁ ଦଶମ, ଦ୍ୱାଦଶ ଓ ସ୍ନାତକ ଶ୍ରେଣୀର କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଏକ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ନଗରର ବିଭିନ୍ନ ବିଦ୍ୟାଳୟ ଓ ମହା ବିଦ୍ୟାଳୟମାନଙ୍କରେ ପଢ଼ୁଥିବା ଛାତ୍ରଛାତ୍ରୀ ତଥା ତାଙ୍କର ଅଭିଭାବକ ଓ ଶିକ୍ଷକମାନେ ଉପସ୍ଥିତ ଥିଲେ । ୨୦୨୪-୨୫ ଶିକ୍ଷାବର୍ଷରେ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ୯୦% ରୁ ଅଧିକ ନମ୍ବର ରଖିଥିବା ବିଦ୍ୟାର୍ଥୀ, ଦ୍ୱାଦଶ ଶ୍ରେଣୀରେ କଳା, ବାଣିଜ୍ୟ ଓ ବିଜ୍ଞାନରେ ଶ୍ରେଷ୍ଠ ତିନି ଜଣ ଲେଖାଏଁ ଛାତ୍ରଛାତ୍ରୀ ତଥା ସ୍ନାତକରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ସ୍ତରରେ ଶ୍ରେଷ୍ଠ ଦଶ ଜଣଙ୍କ ଭିତରେ ସ୍ଥାନ ପାଇଥିବା ବିଦ୍ୟାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରଗଡ଼ ଲୋକସଭା କ୍ଷେତ୍ରର ଲୋକପ୍ରିୟ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରଗଡ଼ ଜିଲ୍ଲାର ମାନନୀୟ ସଙ୍ଘଚାଳକ ରୋହିତ କୁମାର ମେହେର ସମ୍ମାନିତ ଅତିଥି ଓ ଏବିଭିପିର ଓଡ଼ିଶା ପଶ୍ଚିମ ପ୍ରାନ୍ତର ଉପସଭାପତି ତଥା ନୂଆପଡା ସ୍ଥିତ ନେସନାଲ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶିବ ପ୍ରସାଦ ସା ମୁଖ୍ୟ ବକ୍ତା ଭାବରେ ଉପସ୍ଥିତ ଥିଲେ । ତାଙ୍କ ସହ ବରଗଡ଼, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାକୁ ନେଇ ଗଠିତ ସମ୍ବଲପୁର ବିଭାଗର ସଂଗଠନ ସମ୍ପାଦକ ବିଜୟ କଲତା ଓ ବିଭାଗ ସଂଯୋଜକ ସଂକେତ ସାହୁ ମଧ୍ୟ ମଞ୍ଚାସିନ ହୋଇ ନିଜର ଉଦବୋଧନ ରଖିଥିଲେ । ନଗର ଉପସଭାପତି ଅକ୍ଷୟ ବାରିକ ଉଦ୍ଦେଶ୍ୟ କଥନ କରିଥିବା ବେଳେ ନଗର ସମ୍ପାଦକ ପ୍ରତ୍ୟୁଷ କୁମାର ଦାସ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରଦ୍ୱୟ ତଥା ନଗର ସହସମ୍ପାଦକ କିରଣ କୁମାର ବାଗ ଓ କଲେଜ ଶାଖାର ସଭାପତି ଆଦିତ୍ୟ ବନଛୋର ମଞ୍ଚ ପରିଚାଳନା କରିଥିଲେ ଓ ମୁକେଶ ଯାଦବ ସମ୍ବର୍ଦ୍ଧନା ସଭାକୁ ସଂଯୋଜନା କରିଥିଲେ । ଏବିଭିପିର ପୂର୍ବତନ କାର୍ଯ୍ୟକର୍ତ୍ତା ତଥା ବର୍ତ୍ତମାନର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହ ଜିଲ୍ଲା ପ୍ରଚାର ପ୍ରମୁଖ ରୀତେଶ ରଂଜନ ମେହେରଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବାଦଲ ମେହେର, ଅଭିଷେକ ଡନସନା ଆଦି କାର୍ଯ୍ୟକର୍ତ୍ତା ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏଥିରେ ପଦ୍ମପୁରର ଅନେକ ସାମାଜିକ ସଂଗଠନର କର୍ମକର୍ତ୍ତା, ବିଭିନ୍ନ ଗଣ୍ୟମାନ୍ୟ ବ୍ୟକ୍ତି, ଶିକ୍ଷାବିତ, ସମ୍ବର୍ଦ୍ଧନା ପାଇଁ ଆସିଥିବା ଛାତ୍ରଛାତ୍ରୀ, ତାଙ୍କର ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଅଭିଭାବିକା ତଥା ଏବିଭିପିର କାର୍ଯ୍ୟକର୍ତ୍ତା ଓ ଅନେକ ସଂଖ୍ୟାରେ କଲେଜ ବିଦ୍ୟାର୍ଥୀ ଉପସ୍ଥିତ ରହିଥିଲେ । ଏହା ଛଡ଼ା ମନୀଷା ସାହୁ, ରେଣୁକା ମାଝୀ, ନିରୂପମା ଭଗତ, ଲିପ୍ସା ଛତର, ଚୈତନ୍ୟ ପଣ୍ଡା, ଶୁଭମ କୁମାର ବାରିକ, ସୌମ୍ୟରଂଜନ ସାହୁ ଆଦି କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ ।