ବିଭାଗୀୟ ସମ୍ବନ୍ଧୀୟ ସ୍ଥାୟୀ କମିଟି-୭ର ସଦସ୍ୟ ରୂପେ ବିଧାୟକ ଦୁର୍ଗା ଚରଣ ତନ୍ତୀ ମନୋନୀତ ହୋଇଥିବାରୁ ଜିଲ୍ଲା ତରଫରୁ ସ୍ଵାଗତ ଓ ଅଭିନନ୍ଦନ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତବର୍ଷ ରାଜ୍ୟ ବିଧାନସଭା ନିର୍ବାଚନରେ ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ରରୁ ବିଧାୟକ ରୂପେ ଦୁର୍ଗା ଚରଣ ତନ୍ତୀ ବିଜୟ ପ୍ରାପ୍ତ ହୋଇ ବିଜେପିର ପ୍ରଥମ ବିଧାୟକ ଭାବେ ଗୌରବ ଅର୍ଜନ କରିଥିବାରୁ ଜିଲ୍ଲା କର୍ମୀ ମହଲରେ ଆନନ୍ଦ ଉଲ୍ଲାସ ଖେଳି ଯାଇଥିଲା । ଶ୍ରୀ ତନ୍ତୀ ଜଣେ କର୍ତ୍ତବ୍ୟନିଷ୍ଠ, ସରଳ, ଭଦ୍ର , ନମ୍ର, ସୁଶିଳ, ନିର୍ଭୀକ, ସଂଗଠକ ଭାବରେ ସୁପରିଚିତ । ବିଧାୟକ ଶପଥ ନେବା ପରେ ସେ ବିଧାନସଭା କ୍ଷେତ୍ରର ସମସ୍ତ ଅଞ୍ଚଳ ବୁଲି ଜନତାଙ୍କୁ ଭେଟି ଧନ୍ୟବାଦ୍ ଜଣାଇବା ସହିତ ସେମାନଙ୍କ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି ପ୍ରକାଶ କରିଥିଲେ । ସେ ନିରନ୍ତର ଭାବେ ବିଭିନ୍ନ ସରକାରୀ ଦପ୍ତର, ଡାକ୍ତରଖାନା, ବିଦ୍ୟାଳୟ, ମହାବିଦ୍ୟାଳୟ ପରିଦର୍ଶନ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ତାର ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି । ସେ ରାଉଲକେଲା ସରକାରୀ ଡାକ୍ତରଖାନା ପରିଦର୍ଶନ କରିବା ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ଏବଂ ସେଠାରେ ଚାଲିଥିବା ଦୁର୍ନୀତି ଉପରେ ଅଭିଯୋଗର ବିହୀତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେଇ ଥିବାରୁ ଜନସାଧାରଣ ସନ୍ତୋଷ ଓ ଆସ୍ଥା ପ୍ରକଟ କରିଥିଲେ । ବିଭିନ୍ନ ବସ୍ତିର ମୌଳିକ ସୁବିଧାର ସମସ୍ୟା ଉପରେ ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ବାର୍ତ୍ତାଳାପ କରି ଜନଶୁଣାଣି ଆରମ୍ଭ କରି ସମସ୍ୟାର ସମାଧାନ କରିବାକୁ ଆଗେଇ ଚାଲିଛନ୍ତି ଓ ଲୋକଙ୍କ ନିକଟତର ହୋଇ ପାରିଛନ୍ତି । ଡେଙ୍ଗୁ ହଟ୍ ସ୍ପଟ ଅଞ୍ଚଳ ବୁଲି ଜନଜାଗରଣ ଓ ସଚେତନତା ସୃଷ୍ଟି କରି ତାର ନିରାକରଣ ପାଇଁ ଅଧିକାରୀଙ୍କ ସହିତ ଆଲୋଚନା କରି ବିହୀତ ପଦକ୍ଷେପ ନେବାରେ ସଫଳ ହୋଇଛନ୍ତି । ଅତି ଆନନ୍ଦର କଥା ବିଧାନସଭା ବାଚସ୍ଵତି ଶ୍ରୀ ତନ୍ତୀଙ୍କୁ ଚଳିତ ମାସ ୧ ତାରିଖ ଦିନ ବିଭାଗୀୟ ସମ୍ପର୍କୀୟ ସ୍ଥାୟୀ କମିଟି – ୭ ( ୭ଟି ବିଭାଗ -ଇସ୍ପାତ ଓ ଖଣି ବିଭାଗ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶିଳ୍ପ, ବାଣିଜ୍ୟ, ପରିବହନ, ଯୋଜନା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଆଦି ବିଭାଗ)ର ସଦସ୍ୟ ରୂପେ ୨୦୨୪-୨୦୨୫ ପାଇଁ ମନୋନୀତ କରିଛନ୍ତି । ଏହି ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତିଙ୍କୁ ବିଧାୟକ ଶ୍ରୀ ତନ୍ତୀ ଓ ଜିଲ୍ଲା ତରଫରୁ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ଅଶେଷ ଧନ୍ୟବାଦ୍ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ଜିଲ୍ଲା ତରଫରୁ ବିଧାୟକ ଶ୍ରୀ ତନ୍ତୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି । ଶ୍ରୀ ତନ୍ତୀ ଜଣେ ସେବକ ରୂପେ ନିଜକୁ ସମର୍ପିତ କରିଛନ୍ତି ଏଣୁ ଏ ଅଂଚଳର ସର୍ବାଙ୍ଗୀନ ଉନ୍ନତି କରିବେ ବୋଲି ବିଜେପି କର୍ମୀ ଆଶା ଓ ଭରସା ପୋଷଣ କରିଛନ୍ତି ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.