- ଭାଷା ସାହିତ୍ୟର ଚିର ସମୃଦ୍ଧ ସ୍ୱାକ୍ଷର ଓ ଗଙ୍ଗାଧର ଓଡ଼ିଆ ସାହିତ୍ୟର ଅଭିମନ୍ୟୁ
ରାଉରକେଲା, (ସସ୍ମିତା ପ୍ରଧାନ) : ଡ. ବିଜୟ ପଟ୍ଟନାୟକ ସାରସ୍ୱତ ସ୍ମୃତି ସଂସଦ ଆୟୋଜିତ ରାଜ୍ୟସ୍ତରୀୟ ଡ. ବିଜୟ ପଟ୍ଟନାୟକ ସ୍ମାରକୀ ବକ୍ତୃତାମାଳା ‘ବିଜୟଶ୍ରୀ’ ଆଜି ସେକ୍ଟର-୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଲୋଚ୍ୟ ବିଷୟ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସାରସ୍ୱତ ଓ ସାଂସ୍କୃତିକ ସ୍ୱର’ ସମ୍ପର୍କରେ ଆଲୋଚନା କରାଯାଇଥିଲା । ୪ଟି ଅଧିବେଶନ ବିଶିଷ୍ଟ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଅତିଥିମାନଙ୍କ ପରିଚୟ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ସଂସଦର ରାଜ୍ୟ ସମ୍ପାଦକ ପୁଣ୍ୟଦର୍ଶନ ସାହୁଙ୍କ ସଂଯୋଜନାରେ ଆୟୋଜିତ ପ୍ରଥମ ପର୍ଯ୍ୟାୟରେ ରାଉରକେଲା କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନା ସଭାପତି, ବିଶିଷ୍ଟ ସଂଗଠକ ବିଷ୍ଣୁ ପାତ୍ର ମୁଖ୍ୟଅତିଥି, ବିଶିଷ୍ଟ କବି ରାଜୀବ ପାଣି ଓ ରାଉରକେଲା କଲେଜର ପ୍ରାକ୍ତନ ଅଧ୍ୟକ୍ଷା ସୁଜାତା ପ୍ରଧାନ ବିଶେଷ ଅତିଥି ଭାବେ ଯୋଗଦେଇଥିଲେ । ଏହି ପର୍ଯ୍ୟାୟରେ ବିଜୟିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସମ୍ମାନ ପର୍ବରେ ଓଡ଼ିଆ ପ୍ରାଧ୍ୟାପକ ଗିରିଜା ଶଙ୍କର ଗୋସ୍ୱାମୀଙ୍କ ସଭାପତି ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଧରିତ୍ରୀ ପାଇକରାୟ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ଵଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ୨୦୨୨ରୁ ୨୦୨୫ ବର୍ଷ ପାଇଁ ‘ବିଜୟଶ୍ରୀ ସମ୍ମାନ’ ପ୍ରଦାନ କରାଯାଇଥିଲା । ବିଶିଷ୍ଟ ଅନୁବାଦକ, ଔପନ୍ୟାସିକ, କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ, ନିରାକାରପୁରର ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ଡ. ବେଣୁଧର ଦାସ ‘ବିଜୟଶ୍ରୀ ସମ୍ମାନ-୨୦୨୨’; ବିଶିଷ୍ଟ କବି, ବୟାକରଣିକ, ଟାଙ୍ଗୀ ମହାବିଦ୍ୟାଳୟ, କଟକର ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ଡ. ଗୋବିନ୍ଦ ଲେଙ୍କା ‘ବିଜୟଶ୍ରୀ ସମ୍ମାନ-୨୦୨୩’; ବିଶିଷ୍ଟ ଉପସ୍ଥାପକ, ଆଲୋଚକ ତଥା କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ, ନିରାକାରପୁରର ବରିଷ୍ଠ ଇଂରାଜୀ ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ ‘ବିଜୟଶ୍ରୀ ସମ୍ମାନ-୨୦୨୪’; ବିଶିଷ୍ଟ ସଂଗଠକ, ଶିକ୍ଷାବିତ୍, ବାଗ୍ମୀ ଏବଂ ମ୍ୟୁନିସିପାଲ ମହାବିଦ୍ୟାଳୟ, ରାଉରକେଲାର ପ୍ରାକ୍ତନ ଅଧ୍ୟକ୍ଷ ଡ. ସନାତନ ପ୍ରଧାନ ‘ବିଜୟଶ୍ରୀ ସମ୍ମାନ-୨୦୨୫’ ଦ୍ୱାରା ସମ୍ମାନିତ କରାଯାଇଥିଲା । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଡ. ବିଜୟ ପଟ୍ଟନାୟକ ହେଉଛନ୍ତି ଭାଷା-ସାହିତ୍ୟର ଚିର ସମୃଦ୍ଧ ସ୍ୱାକ୍ଷର ଓ ଗଙ୍ଗାଧର ମେହେର ଥିଲେ ଓଡ଼ିଆ ସାହିତ୍ୟର ଅଭିମନ୍ୟୁ । ତୃତୀୟ ଅଧିବେଶନରେ ମେହେର ସାହିତ୍ୟ ଆଲୋଚନା ପର୍ବରେ ଗାଳ୍ପିକ କାଶୀନାଥ ନନ୍ଦୀଙ୍କ ସଭାପତିତ୍ୱ ଓ ସୁସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଓଡ଼ିଆ ପ୍ରାଧ୍ୟାପିକା ଡ. ସୁଷମା ମୋଦୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସମ୍ମାନିତ ତଥା ସମ୍ବର୍ଦ୍ଧିତ ପ୍ରତିଭା ଡ. ରଥ, ଅଗରପଡ଼ା କଲେଜ, ଭଦ୍ରକର ଓଡ଼ିଆ ଅଧ୍ୟାପକ ଡ. ଅରବିନ୍ଦ ଦାସ, ରାଉରକେଲା କଲେଜ, ରାଉରକେଲାର ଓଡ଼ିଆ ଅଧ୍ୟାପିକା ପ୍ରିୟଙ୍କା ପଲାଇ ଗଙ୍ଗାଧରଙ୍କ ଚର୍ଚ୍ଚିତ କାବ୍ୟ-କବିତା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ପର୍ଯ୍ୟାୟରେ କବି ବିଭୁଧ ପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଚତୁର୍ଥ ଅଧିବେଶନରେ ନିରୁପମା ପତିଙ୍କ ସଂଯୋଜନାରେ ଶିକ୍ଷାବିତ୍ ବ୍ରଜେନ୍ଦ୍ର କୁମାର ଦାଶ ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପିକା ଅଳକା ମହାନ୍ତି ପରିଚୟ ପ୍ରଦାନ କରିଥିଲେ । ଏହା ସମେତ ଚାରି ଜଣ କଲେଜ ଛାତ୍ର-ଛାତ୍ରୀ ଶ୍ରେୟସୀ ସାହୁ, ଦୀପକ ସାହୁ, ସାହିଲ ପ୍ରଧାନ, ସୌମ୍ୟରଞ୍ଜନ ମହାନ୍ତି ଗଙ୍ଗାଧର ମେହେରଙ୍କ ଜୀବନାଦର୍ଶ ଓ ସୃଷ୍ଟି ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ କବି କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀ ମଞ୍ଚାସୀନ ଥିଲେ । ଏତଦବ୍ୟତୀତ ସେକ୍ଟର:୬ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପାଞ୍ଚ ଜଣ ଶ୍ରେଷ୍ଠ ଛାତ୍ର-ଛାତ୍ରୀଙ୍କୁ ‘ଉତ୍କର୍ଷ:୨୦୨୫’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ତଥା ଉଦୀୟମାନ ଯୁବ ଉପସ୍ଥାପକ ତଥା ଓଡ଼ିଆ ଅଧ୍ୟାପକ ପୁଣ୍ୟଦର୍ଶନ ସାହୁଙ୍କୁ ‘ଉତ୍କର୍ଷ:୨୦୨୫’ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାମନ୍ଦିରର ସମସ୍ତ ଆଚାର୍ଯ୍ୟ-ଆଚାର୍ଯ୍ୟା ସହଯୋଗ କରିଥିଲେ ।