
ସଇଁତଲା : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ବିଦ୍ୟୁତ ତାର ଚୋରି ଘଟଣାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଏ ଘଟଣାରେ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇଦେଇଛି । ଏନେଇ ଥାନା କେଶ ନଂ ୯୧/୨୫ ଅନୁସାରେ ଦଫା ୩୦୩, (୨), ୩ (୫) ମାମଲା ରୁଜୁ ହୋଇଛି । ଗିରଫ ଅଭିଯୁକ୍ତମାନେ ସୁଦର୍ଶନ ସାହୁ (୩୧), ବିଜେ ସୁନା (୨୭) ଉଭୟ ଭଦ୍ରା ପଞ୍ଚାୟତ ସିଲେଟପଡା ଗାଁର, ଡ୍ରାଇଭର ଲମ୍ବୋଧର ପାତ୍ର (୪୧) ବ୍ଲକ ଛକ ଓ ଅମିତ ପଟେଲ (୩୫) କୁଆରଗାଁ ଡୁମେରମୁଣ୍ଡା ଗାଁର ବୋଲି ଜଣାପଡିଛି । ପ୍ରକାଶ ଯେ, ବୁଢାବାହାଲ ପଞ୍ଚାୟତ ଅଧିନ ବନ୍ଦପଡା ଗାଁରେ ଥିବା ୧୧କେଭି ବିଦ୍ୟୁତ ତାର ବ୍ୟବହାର ନହୋଇ ଖମ୍ବ ଲାଗିଥିବା ବେଳେ ଏହାର ସୁଯୋଗ ନେଇ ସିଲେଟପଡା ଗାଁ ସୁଦର୍ଶନ ସାହୁ, ଗାଡି ଡ୍ରାଇଭର ଲମ୍ବୁଧର ପାତ୍ର, ବିଜେ ସୁନା ଓ ଅମିତ ପଟେଲ ଉଭୟ ମିଶି ଏକ ମାରୁତି ଓମିନତ ଗାଡି ନଂ ଓଆର୍ ୦୩ ଏଫ୍ ୮୮୯୯ ଓ ଏକ ବାଇକ ଯୋଗେ ପହଂଚି ବିଦ୍ୟୁତ ତାର ପ୍ରାୟ ୫ଶହ ମିଟର ଖୋଲି ଗାଡିରେ ଭର୍ତି କରିଥିଲେ । ଖବର ପାଇଁ ଗାଁ ଲୋକେ ବିଦ୍ୟୁତ ବିଭାଗ ଯନ୍ତ୍ରୀ ନିରୋଦ ମେହେରଙ୍କୁ ଜଣାଇବା ପରେ ସ୍ଥାନୀୟ ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଂଚି ଉଭୟ ଯୁବକ ଓ ତାର ଜବତ କରି ଥାନାକୁ ଆଣିଥିଲେ । ଉକ୍ତ ଘଟଣା ସଇଁତଲା ଆଇଆଇସି ସୁଶାନ୍ତ କୁମାର ବଢ଼େଇଙ୍କ ତତ୍ତ୍ୱାବଧାନରେ ଥାନା ଏସ୍ଆଇ ଲଛିନ୍ଦ୍ର ଚାଲାଣ ମାମଲାର ତଦନ୍ତ କରୁଛନ୍ତି । ଏହି ଚୋରି ଘଟଣାରେ ପୋଲିସ ଏକ ମାରୁତି ଗାଡି, ଏକ ବଜାଜ ଡ଼ିସକଭର ବାଇକ, ୪ ଗୋଟି ମୋବାଇଲ ଫୋନ, ୪ ବଣ୍ଡଲ ବିଦ୍ୟୁତ ତାର, ୧ ବଣ୍ଡଲ ବ୍ଲୁ କେବୁଲ ତାର ଜବତ କରିଛି ।