ଘସିଏନ୍‌ରେ କଇଁଚି ଭୁଷି ହତ୍ୟାକଲା ଅଭିଯୁକ୍ତ

ପାଟଣାଗଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଲରମ୍ଭା ଥାନା ଅନ୍ତର୍ଗତ ଘସିଏନ୍‌ ଗାଁରେ ଘଟିଛି ଏକ ହତ୍ୟାକାଣ୍ଡ । ଏହି ଘଟଣାରେ ଜଣେ ମୃତ୍ୟୁ ମୁଖରେ ପଡ଼ିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ଅଭିଯୁକ୍ତ ଜଣକ ଫେରାର୍‌ ଥିବା ବେଳେ ଘଟଣା ସାରା ଅଂଚଳରେ ଚହଳ ସୃଷ୍ଟି କରିଛି । ସୂଚନା ଅନୁସାରେ ଗତ ସଂଧ୍ୟାରେ ଘସିଏନ୍‌ ଗ୍ରାମରକ୍ଷୀ ପ୍ରଶାନ୍ତ ତାଣ୍ଡିଙ୍କ ପୁଅ ଉଜ୍ୱଳ ଓଡ଼ିଶା ପୁଲିସ ଚାକିରି ପାଇଁ ଅନ୍‌ଲାଇନ୍‌ରେ ଫର୍ମ ଭରିବାକୁ ଆସିଥିବା ବେଳେ ସାନଭାଇ ଅଜୁ(୧୭) ମଧ୍ୟ ବଡ଼ଭାଇ ସାଂଗରେ ଆସିଥିଲେ । ଏତିକି ବେଳେ ଅନ୍‌ଲାଇନ୍‌ ଦୋକାନ ପାଖରେ ଥିବା ଏକ ଟେଲର୍‌ ଦୋକାନ ସାମ୍ନାରେ ପୂର୍ବ ମନାନ୍ତରକୁ ନେଇ ଅଜୁ ଓ ଉଜ୍ୱଳଙ୍କ ସହ ପଞ୍ଚି ମାଝୀଙ୍କ ଯୁକ୍ତିତର୍କ, କଟାକଟି ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ପଞ୍ଚି ମାଝୀ ହଠାତ୍‌ ଟେଲର୍‌ ଦୋକାନରୁ କଇଁଚି ଆଣି ଦୁଇଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଅଜୁର ଛାତିରେ କଇଁଚି ଭୁଷି ଦେବାରୁ ଘଟଣାସ୍ଥଳରେ ଅଜୁର ମୃତ୍ୟୁ ଘଟିଥିବା ବେଳେ ଉଜ୍ୱଳଙ୍କୁ ମଧ୍ୟ କଇଁଚିରେ ଆକ୍ରମଣ କରିଥିଲା ଅଭିଯୁକ୍ତ । ଖବରପାଇ ପରିବାର ଲୋକେ ଦୁଇ ଭାଇଙ୍କୁ ଉଦ୍ଧାର କରି ତୁରନ୍ତ ଘସିଏନ୍‌ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ଅଜୁଙ୍କୁ ମୃତ ଘୋଷଣା କରିଥିଲେ ଓ ଉଜ୍ୱଳଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରିଥିଲେ । ଅନ୍ୟପକ୍ଷରେ ଲରମ୍ଭା ପୋଲିସ ଫେରାର୍‌ ଅଭିଯୁକ୍ତ ପୁଞ୍ଚି ମାଝୀକୁ ଖୋଜୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.