ଅଏଁଲାସାରି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁତଲା ଥାନା ଅଏଁଲାସାରି ଗାଁର ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡର ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ ଗିରଫ୍‌ କରିଛି ବଲାଙ୍ଗିର ପୋଲିସ । ଏ ସଂପର୍କରେ ସୂଚନା ଦେଇଛନ୍ତି ବଲାଙ୍ଗିର ସଦର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ । ସୂଚନାଯୋଗ୍ୟ ଯେ, କାକା ପୁଅ ଭାଇର ଟାଙ୍ଗିଆ ଚୋଟରେ ଜଣେ ଭାଇର ମୃତ୍ୟୁ ଘଟିଥିଲା । କାକାଙ୍କ ପରିବାର ଲୋକେ ହତ୍ୟା କରିଥିଲେ ପୁତୁରାଙ୍କୁ । ଏଭଳି ଏକ ନୃଶଂସ ଘଟଣା ସାରା ବଲାଙ୍ଗିର ଜିଲ୍ଲାରେ ଚହଳ ସୃଷ୍ଟି କରିଥିଲା । ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁତଲା ଥାନା ଅଏଁଲାସାରି ଗାଁରେ ଘଟିଥିଲା ଏହି ବିଭତ୍ସ ହତ୍ୟାକାଣ୍ଡ । ଘଟଣାରେ ପ୍ରାଣ ହରାଇଥିଲେ ସମୀର ଭୋଇ(୩୦) । ସମୀର ଓ ତାଙ୍କ କାକା କାଳିଆଙ୍କ ଭିତରେ ଦୀର୍ଘ ଦିନରୁ ଜମିବାଡ଼ିକୁ ନେଇ ବିବାଦ ଚାଲି ଆସିଥିବା ବେଳେ ସେହି ବିବାଦ ହିିଁ ଭୟଙ୍କର ରୂପ ଧାରଣ କରି ସମୀରଙ୍କ ଜୀବନ ନେଇଥିଲା । ସମୀର ଓ କାଳିଆଙ୍କ ଭିତରେ ଜବର୍‌ଦସ୍ତ ବଚସା ହୋଇଥିଲା । ଏତିକି ବେଳେ କାଳିଆଙ୍କ ପୁଅ ଦୀପକ ହଠାତ୍‌ ସମୀରଙ୍କ ବେକରେ ଟାଙ୍ଗିଆ ଚୋଟ ମାରିଥିଲା । ଆକସ୍‌ମିକ ଟାଙ୍ଗିଆ ଚୋଟ ସମ୍ଭାଳି ନପାରିଟଳିପଡ଼ିଥିଲେ ସମୀର । ଏହାପରେ କାଳିଆ ଓ ତାଙ୍କ ପତ୍ନୀ ମିଶି ବାଡ଼ି ଓ ଠେଙ୍ଗା ଧରି ପିଟିଥିଲେ । ଫଳରେ ଘଟଣାସ୍ଥଳରେ ସମୀରଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟପକ୍ଷରେ ଅଭିଯୁକ୍ତ ଦୀପକ ଫେରାର୍‌ ଥିବା ବେଳେ କାକା କାଳିଆ ଓ ଖୁଡ଼ି ପଙ୍କଜ ଥାନାରେ ଆତ୍ମ ସମର୍ପଣ କରିଥିଲେ । ତେବେ ଏହି ମାମଲାର ଫେରାର୍‌ ଅଭିଯୁକ୍ତ ଦୀପକ ଭୋଇକୁ ଗିରଫ୍‌ କରିଛି ବଲାଙ୍ଗିର ପୋଲିସ ।

Leave A Reply

Your email address will not be published.