ଲଖନା ପୋଲିସର ଦାୟିତ୍ୱହୀନତା : ଚକ୍‌ମା ଦେଇ ଥାନାରୁ ଫେରାର୍ ମାରିଲା ଅଭିଯୁକ୍ତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଲଖନା ଥାନାରୁ ପୋଲିସର ଦାୟିତ୍ୱହୀନତା ଯୋଗୁଁ ଗତ ବୁଧବାର ଜଣେ ଅଭିଯୁକ୍ତ ପୁଲିସକୁ ଚକ୍‌ମା ଦେଇ ଥାନାରୁ ଫେରାର୍ ହୋଇଯାଇଛି । ପୁଲିସର ଅବହେଳାକୁ ଦାୟୀ କରିବା ସହ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଥାନା ଘେରାଉ କରିଥିଲେ । ସୂଚନା ଅନୁସାରେ, ଲଖନା ଥାନା ମୁରଲିବାହାଲ ଗ୍ରାମର ଜଳନ୍ଧର ବାଗ ନାମକ ଜଣେ ଯୁବକ କୋମନା ଥାନା ଅନ୍ତର୍ଗତ ମଖାଭଟା ଗ୍ରାମର ଜଣେ ଯୁବତୀଙ୍କୁ ଆଣି ନିଜ ଘରେ ରଖିଥିଲା । ମଙ୍ଗଳବାର ସମ୍ପୃକ୍ତ ଯୁବତୀଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିଲା । ଯୁବତୀ ଜଣକ ସ୍ଥାନୀୟ ମହିଳାମାନଙ୍କୁ ସହାୟତା ମାଗିଥିଲେ । ପରେ ମହିଳାଙ୍କ ସହ ମିଶି ଯୁବତୀ ଥାନାକୁ ଆସି ଏତଲା ଦେଇଥିଲେ । ଥାନାରୁ ଯୁବତୀ ଫେରିବା ପରେ ଜଳନ୍ଧର ପୁଣି ମାଡ଼ପିଟ୍ କରିଥିଲା । ପୀଡ଼ିତା ପୋଲିସକୁ ଫୋନ୍ କରିବା ପରେ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା । ଏଥିସହ ଅଭିଯୁକ୍ତ ଜଳନ୍ଧରକୁ ଥାନାକୁ ଆଣି ଅଟକ ରଖିଥିଲା । ବୁଧବାର ସକାଳୁ ଶୌଚ ଯିବାକୁ କହି ପୁଲିସକୁ ଚକ୍‌ମା ଦେଇ ଅଭିଯୁକ୍ତ ଫେରାର୍ ହୋଇଯାଇଛି । ପୁଲିସ ଟିମ୍ ବହୁ ଖୋଜାଖୋଜି କରିଥିଲେ ବି ପାଇନଥିଲେ । ପୁଲିସର ଜ୍ଞାତସାରରେ ଅଭିଯୁକ୍ତ ଫେରାର୍ ହୋଇଥିବା ଅଭିଯୋଗ କରି ମୁରଲିବାହାଲ ଗ୍ରାମର ଶତାଧିକ ମହିଳା ଆସି ଥାନା ଘେରାଉ କରିଥିଲେ । ତୁରନ୍ତ ଅଭିଯୁକ୍ତକୁ ଧରିବା ପାଇଁ ଦାବି କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଅଭିଯୁକ୍ତ ଫେରାର ରହିଛି । ପୋଲିସ ତନାଘନା କରି ଖୋଜୁଥିଲେ ମଧ୍ୟ ପାଉନି ।

Leave A Reply

Your email address will not be published.