- ୩୨୮ଟି ଅଭିଯୋଗର ଶୁଣାଣି କଲେ ମନ୍ତ୍ରୀ, ସମସ୍ତ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଦେଲେ ନିର୍ଦ୍ଦେଶ
ଶୁଳିଆପଦା/ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡିଶା ସରକାରଙ୍କ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କ୍ୟାବିନେଟ ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ, ଡଃ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ଶୁଳିଆପଦା ବ୍ଲକ ବୈଠକ ଗୃହରେ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ସମୁଦାୟ ୩୨୮ଟି ଅଭିଯୋଗ ଶୁଣାଣି ହୋଇଥିବା ବେଳେ ୨ ଜଣଙ୍କୁ ରେଡ଼କ୍ରସ ପାଣ୍ଠିରୁ ୧୦,୦୦୦ ଓ ୫୦୦୦ ଲେଖାଏଁ ସମୁଦାୟ ୧୫,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା । ମନ୍ତ୍ରୀ ଶ୍ରୀ ମହାପାତ୍ର ସମସ୍ତ ଜନତାଙ୍କର ଅଭିଯୋଗ ଗୁଡିକ ଶୁଣି ସେ ସବୁର ଆବଶ୍ୟକ ସମାଧାନ ପାଇଁ ଏବଂ ଅସମ୍ପୂର୍ଣ୍ଣ କାର୍ଯ୍ୟ ଗୁଡିକର ତୁରନ୍ତ କାର୍ଯ୍ୟକାରିତା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଜନଅଭିଯୋଗ ଶୁଣାଣି ବୈଠକରେ ଜିଲ୍ଲାପାଳ ହେମକାନ୍ତ ସୟ, ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ଧର୍ମାନନ୍ଦ ବେହେରାଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗର ସମାଧାନ କରିବା ପାଇଁ ଅଭିଯୋଗ ପତ୍ର ଗୁଡିକ ଗ୍ରହଣ କରିଥିଲେ । ସମସ୍ତ ଅଭିଯୋଗ ମାନଙ୍କ ମଧ୍ୟରେ ମୁଖ୍ୟତଃ ସରକାରୀ ଅନୁଦାନ ପ୍ରାପ୍ତ ଗୃହ ନିର୍ମାଣ, ଜମି ପଟ୍ଟା, ବିଭିନ୍ନ ସ୍ଥାନରେ ଜଳ ଯୋଗାଣ, ଜମି ସୀମାଙ୍କନ, ଜଙ୍ଗଲ ଜମି ପଟ୍ଟା ଆବଣ୍ଟନ ସ୍ୱାସ୍ଥ୍ୟଗତ ଏବଂ ଚିକିତ୍ସା ଜନିତ ଆବଶ୍ୟକ ସୁବିଧା ଗମନାଗମନ, ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା, ବାସଗୃହ ଜନିତ ସମସ୍ୟା ଗୁଡ଼ିକ ସର୍ବାଧିକ ଥିଲା । ଆଜିର ଶୁଣାଣିରେ ବିଭିନ୍ନ ବିଭାଗ ପାଇଁ ଆସିଥିବା ଅଭିଯୋଗ ଗୁଡିକ ମଧ୍ୟରେ ସରକାରଙ୍କର ବିଭିନ୍ନ ଯୋଜନା ଅନୁଯାୟୀ ଆବାସ ସହାୟତା, ଜଳ ନିଷ୍କାସନ ବ୍ୟବସ୍ଥା ଆଦି ଅଭିଯୋଗ ଗୁଡିକ ଉପରେ ବିଚାର କରି ତାର ସମାଧାନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଉପରୋକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଶୁଳିଆପଦା ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ, ଶ୍ରୀମତୀ ଅନୁପମା ଘୋଷଙ୍କ କାର୍ଯ୍ୟାଳୟର କର୍ମଚାରୀ ଓ ସହଯୋଗ କରିଥିବା ବେଳେ ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ ସୁଶ୍ରୀ ଶ୍ରଦ୍ଧା ସୁମନ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଅଭିଯୋଗ ସଂଚାଳନା କାର୍ଯ୍ୟ କରିଥିଲେ ।