ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ବିଶ୍ରା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଓ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନୀ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ । ଆଜି ମୋଟ ୮୩ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା । ସେଥି ମଧ୍ୟରୁ ୩୮ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୪୫ ଗୋଟି ସାମୁହିକ ଅଭିଯୋଗ ରହିଥିଲା । ଏଥି ମଧ୍ୟରୁ ୧୩ ଗୋଟି ଅଭିଯୋଗର ତତ୍କ୍ଷଣାତ ସମାଧାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୭ଜଣଙ୍କୁ ୪୭ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଆଜି ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ରାସ୍ତାଘାଟ ସମସ୍ୟା, ପେନସନ, ବିଦ୍ୟୁତ୍ ସମସ୍ୟା, ବ୍ରିଜ ନିର୍ମାଣ, ଆବାସ ସମସ୍ୟା, ରାସନ୍ କାର୍ଡ ସମସ୍ୟା, ପାନୀୟ ଜଳ ସମସ୍ୟା ଆଦି ପ୍ରମୁଖ ରହିଥିଲା । ଆଜିର ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୁରଂଜନ ସାହୁ, ଡିଏଫ୍ଓ ଯଶୋବନ୍ତ ସେଠୀ, ବିଶ୍ରା ଗୋଷ୍ଠି ଉନ୍ନୟନ ଅଧିକାରୀ ଜଗନ୍ନାଥ ହନୁମାନଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଜନଶୁଣାଣି ପରେ ପରେ ଜିଲ୍ଲାପାଳ ବ୍ଲକର ବିଭିନ୍ନ ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରି ଅଗ୍ରଗତି ସମୀକ୍ଷା କରିଥିଲେ ।