ବେସରକାରୀ ବିଦ୍ୟାଳୟରେ ଶିକ୍ଷା ଅଧିକାର ଆଇନର ଖୋଲାଖୋଲି ଉଲଂଘନ ଅଭିଯୋଗ ଆଣିଲା ଜିଲ୍ଲା ଅବିଭାବକ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷା ଅଧିକାର ଆଇନ ଅଧୀନରେ ବିଭିନ୍ନ ବେସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଅନ୍ୟାୟ କରାଯାଉଥିବା ଅଭିଯୋଗ କରିଛି ଜିଲ୍ଲା ଅବିଭାବକ ସଂଘ । ଏନେଇ ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଦଳିତ, ବଂଚିତ ଓ ଅର୍ଥନୈତିକ ସ୍ତରରେ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀ ମାନଙ୍କୁ ଘରୋଇ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରାଯାଇଥିଲେ ହେଁ ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ଏହାର ଖୋଲାଖୋଲି ଉଲଂଘନ କରାଯାଉଥିବା ଜିଲ୍ଲା ଅବିଭାବକ ସଂଘ ଅଭିଯୋଗ କରିଛି । କେବଳ ମାଗଣା ଶିକ୍ଷା ପାଇଁ ଆଡ଼ମିସନ୍‌ କରିବା ପରେ ସେମାନଙ୍କୁ ପାଠ୍ୟପୁସ୍ତକ, ପୋଷକ, ସ୍କୁଲ ବ୍ୟାଗ, ଜୋତା ଓ ମଧ୍ୟାହ୍ନ ଭୋଜନ ମାଗଣାରେ ପ୍ରଦାନ କରାଯାଉନାହିଁ । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଏପରିକି ଜିଲ୍ଲାପାଳଙ୍କୁ ଭେଟି ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଏଭଳି ଅବହେଳାକୁ ଘୋର ନିନ୍ଦା କରିଛି ଜିଲ୍ଲା ଅବିଭାବକ ସଂଘ । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରଙ୍କୁ ତୁରନ୍ତ ଏହାର ସମାଧାନ କରିବାକୁ ଦାବି ଜଣାଇଛି । ନଚେତ ଏହି ଯୋଜନାରେ ପାଠ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀ ଓ ଅବିଭାବକ ମାନଂକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ।

Leave A Reply

Your email address will not be published.