ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ଛେତଗାଁ ହାଇସ୍କୁଲର ଖେଳ ଶିକ୍ଷକ ନାରାୟଣ ସାହୁଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟସଭ୍ୟା, ବିଦ୍ୟାଳୟର ଛାତ୍ରଛାତ୍ରୀ, ବିଦ୍ୟାଳୟର ଶିକ୍ଷକ କର୍ମଚାରୀ, ଅଭିଭାବକ ଓ ଅଞ୍ଚଳର ଭଦ୍ର ବ୍ୟକ୍ତିମାନେ ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଶନିବାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପାଇକମାଲ ଦାୟିତ୍ୱରେ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର ତଦନ୍ତ ପାଇଁ ଯାଇଥିଲେ । ଉପସ୍ଥିତ ସମସ୍ତେ ଶିକ୍ଷକ ଜଣକ ସଚ୍ଚୋଟ ଓ ଶୃଙ୍ଖଳିତ କହିଥିବା ବେଳେ ସେ କୌଣସି ଶାରୀରିକ କିମ୍ବା ମାନସିକ ଓ ଜାତିଆଣ ଆକ୍ଷେପ କରିନାହାନ୍ତି ବୋଲି କହିଛନ୍ତି । ସମସ୍ତେ କହିବା ଅନୁସାରେ ଖେଳ ଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ବ୍ଲକ୍, ଜିଲ୍ଲା ତଥା ରାଜ୍ୟସ୍ତରର ଖେଳ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । କେହି ଚକ୍ରାନ୍ତ କରି ତାଙ୍କୁ ଫସାଇ ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତିନୋଟି ଦାବି ପତ୍ର ପ୍ରଦାନ କରିଛନ୍ତି ।
Prev Post