ହିଞ୍ଜିଳିକାଟୁରେ ବିବିଧ ସମସ୍ୟା, ବାଲି ଦୁର୍ନୀତି ଅଭିଯୋଗ

  • ପ୍ରତିକାର ଓ ସମାଧାନ ନ ହେଲେ ୫ରୁ ଧାରଣା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବିବିଧ ସମସ୍ୟା ଲାଗି ରହିଛି । ମୁଖ୍ୟତଃ ଋଷିକୁଲ୍ୟା ନଦୀରୁ ବାଲିର ବ୍ୟାପକ ଚୋରା ଚାଲାଣ ହେଉଥିବା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହୋଇଛି । ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ୍ ପାର୍ଟି ପକ୍ଷରୁ ପ୍ରତିନିଧିତ୍ଵ କରୁଥିବା ସମାଜସେବୀ ରଜନୀକାନ୍ତ ପାଢ଼ୀଙ୍କ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ସୋମବାର ଏକ ସ୍ମାରକପତ୍ର ପ୍ରଦତ୍ତ ହୋଇଛି । ଅଭିଯୋଗ ଦର୍ଶାଯାଇଛି ଯେ, ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବାଲିଦୁର୍ନୀତି, ଜମି ଦୁର୍ନୀତି, ଅବୈଧ ଗୃହନିର୍ମାଣ, ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରପଦବୀ ଶୂନ୍ୟତା ଯୋଗୁଁ ଏଠାକାର ରୋଗୀଙ୍କ ଚିକିତ୍ସା ସେବା ବିପର୍ଯ୍ୟସ୍ତ ହେଇପଡ଼ିଛି । ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଏହାର ପ୍ରତିକାର କରାନଗଲେ ଜାନୁଆରୀ ୫ ତାରିଖଠାରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମୁହିକ ଭାବରେ ଧାରଣା ଦେବେ ବୋଲି ଅଭିଯୋଗକାରୀ ରଜନୀକାନ୍ତ ପାଢ଼ୀ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ହିଞ୍ଜିଳି ତହସିଲ ଅନ୍ତର୍ଭୁକ୍ତ ହିଞ୍ଜିଳି ମୌଜାର ପ୍ଲଟ୍ ନମ୍ବର ୩୦୮୧ରେ ଗଢ଼ା ହୋଇଥିବା ଅବୈଧ ଗୃହନିର୍ମାଣ ଉଚ୍ଛେଦ କରିବା, ବେଆଇନ ମଦଭାଟି ଓ ଦୋକାନ ବନ୍ଦ କରିବାକୁ ଦାବୀ ହୋଇଛି । ହିଞ୍ଜିଳି ଉପଖଣ୍ତ ଚିକିତ୍ସାଳୟରେ ଖାଲି ପଡିଥିବା ବିଭିନ୍ନ ପଦବୀ ପୂରଣ କରିବାକୁ ଦାବି କରାଯାଇଛି । ହିଞ୍ଜିଳି ତହସିଲ ଅନ୍ତର୍ଗତ ଖରିତା ଋଷିକୁଲ୍ୟା ବାଲିଶଯ୍ୟାର ଖାତା ନମ୍ବର ୫୫୪ ପୁନମ୍ବର ୪୫୩୨ ନଦୀର ୧୩ ଏକର ବାଲି ଉଠାଇବା ସକାଶେ ଅନୁମତି ପାଇଛନ୍ତି କିନ୍ତୁ ସେ ଖରିଡା ଗ୍ରାମ୍ୟ ଜଙ୍ଗଲ ଖାତା ନମ୍ବର ୫୫୬ ପ୍ଲଟ ନମ୍ବର ୪୬୦୩ରୁ ବାଲି ବିକ୍ରି କରିବା ସହ ଖରିଡା ଗ୍ରାମ ଦେଇ ଋଷିକୁଲ୍ୟା କୁଳଘାଇ ଯାହା ପୁରୁଷୋତ୍ତମପୁରକୁ ସଂଯୋଗ କରୁଛି ତାହା ଉପରେ ବାଲି ଗାଡି ଚଳାଚଳ କରି କୁଳଘାଇଟି ନଷ୍ଟ କରିଦେଇଛନ୍ତି । ଖରିଡା ବାଲି ଘାଟର ଠିକା ଗୁତାଦାର ଗାଡିବାଲାଙ୍କୁ ଟ୍ରାଞ୍ଜିଟ୍ ପାସ୍‌ ନଦେଇ ବେଆଇନ ଭାବେ ଚଳାଉଛନ୍ତି । ଯଦି କେହି ପାସ୍‌ ବିଷୟରେ ପଚାରିଲେ ପୋଲିସ୍‌ର ଭୟ ଦେଖାଉଛନ୍ତି ବୋଲି ଶ୍ରୀ ପାଢ଼ୀ ଏଭଳି ସଂଗୀନ୍ ଅଭିଯୋଗ ଆଣିଛନ୍ତି । ଖାତାନମ୍ବର ୬୪୨ ପ୍ଲଟ ନମ୍ବର ୧୩୦୬ କିସମ ଗୋଚରରୁ ବାଲି ଉଠାଉଛନ୍ତି । ଜନସାଧାରଣ ଭୟଭୀତ ଅବସ୍ଥାରେ ଅଛନ୍ତି । ତେଣୁ କେହି ସ୍ଵର ଉଠାଇପାରୁନାହାନ୍ତି । ଏହି ବେଆଇନ ବାଲି ବିକ୍ରି ବିଷୟରେ ଦୁଇଜଣ ଆଇନଜୀବୀ ଗ୍ରାମଲୋକଙ୍କ ଦସ୍ତଖତ ସ‌ହ ପୁରୁଷୋତ୍ତମପୁର ତହସିଲଦାରଙ୍କୁ ଏକ ଲିଖିତ ଅଭିଯୋଗପତ୍ର ପ୍ରଦାନ କରି ଫେରିବା ସମୟରେ କିଛି ଗୁଣ୍ତା ତାଙ୍କୁ ଆକ୍ରମଣ କରିଥିଲେ ବୋଲି ଗଞ୍ଜାମ ଜିଲ୍ଲା ପୋଲିସ ପ୍ରଶାସନ ଠାରେ ଅଭିଯୋଗ ହୋଇଛି । ଏଭଳି ଅନେକ ସାଧାରଣ ଅଭିଯୋଗ ବହୁବାର ପ୍ରଶାସନ ଠାରେ ଅଭିଯୋଗ କରିଆସୁଥିଲେ, ସୁଦ୍ଧା ପ୍ରଶାସନ କର୍ଣ୍ଣପାତ କରିନଥିବା ହେତୁ ଆଗମୀ ଜାନୁଆରୀ ୫ ତାରିଖଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଶ୍ରୀ ପାଢ଼ୀ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.