ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ପାଇଁ ବ୍ଲକ, ଥାନା ଓ ତହସିଲ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରାଯାଇଥିବା ଦେଖିବାକୁ ମିଳିଛି । ବୁଡ଼ାଗୁଡା ପଞ୍ଚାୟତରେ ପ୍ରାୟ ୨୦ ଦିନ ଧରି ପାନୀୟ ଜଳ ସମସ୍ୟା ଲାଗିରହିଥିବାରୁ ଗ୍ରାମବାସୀ ଏକତ୍ରିତ ହୋଇ ଏକ ଲିଖିତ ପତ୍ର ଧରି ସମିତି କାର୍ଯ୍ୟାଳୟକୁ ଆସି ବିଡ଼ିଓ ମନୀଷା ଦାସଙ୍କୁ ଦେବାପାଇଁ ଯାଇଥିଲେ । ବିଡ଼ିଓ ଅନୁପସ୍ଥିତ ରହିଥିବା ଯୋଗୁଁ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ । ଏହା ପରେ ଏକ ନକଲ ଥାନା ଓ ତହସିଲ କାର୍ଯ୍ୟାଳୟରେ ଦେଇଥିଲେ । ଦୁଇଟି ୱାର୍ଡରେ ପ୍ରାୟ ୭ ଶହ ଲୋକ ବସବାସ କରିଆସୁଛନ୍ତି । ଦୀର୍ଘ ବର୍ଷ ଧରି ବିଶୁଦ୍ଧ ପାନୀୟର ସମ୍ମୁଖୀନ ହୋଇଆସୁଥିଲେ । ପ୍ରାୟ ୨୦ ଦିନ ହେବ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି । ପିଇବା ପାଣି ଟୋପାଏ ପାଇଁ ବହୁ ହନ୍ତସନ୍ତ ହେବାକୁ ପଡୁଛି । ଏହାର ସମସ୍ୟା ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଷ୍ଣୁ ପାଣିଗ୍ରାହୀଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ । ଦିନ ବିତୁ ଥିବାବେଳେ ଲୋକଙ୍କ ସମସ୍ୟା ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ଏହାକୁ ନେଇ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ରାଜରାସ୍ତା ଅବରୋଧ ସହ ଆମରଣ ଅନଶନ ଭଳି ଚରମପନ୍ଥା ଆପଣାଇବାକୁ ବାଧ୍ୟ ହେବୁ ବୋଲି ଗ୍ରାମବାସୀ କହିଥିଲେ । ଗାନ୍ଧୀ ସାହୁକାର, ସଞ୍ଜୟ କୁମାର ପ୍ରଧାନ, ଶମ୍ଭୁ କୁର୍ସିକା, ନୁରୁ ମହମ୍ମଦ, ଦେବରାଜ ନାୟକ, ପୁଷ୍ପାଞ୍ଜଳି ପାତ୍ର, ହରି ପ୍ରଧାନ, ମିନାରାଓ ଗାଣ୍ଟା, ସୀତାଇ ମିଣିଆକା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହାର ନକଲ ଥାନା ଅଧିକାରୀ ନୀଳକଣ୍ଠ ବେହେରାଙ୍କୁ ଦେବାପରେ ଜିଲ୍ଲାପାଳଙ୍କ ଗୋଚରାର୍ଥେ ପ୍ରେରଣ କରାଯାଇଛି ।